ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ମେଘାଳୟ ଓ ହିମାଚଳପ୍ରଦେଶ ବ୍ୟତୀତ ଅନ୍ୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକ୍ଡାଉନ୍ ଉଠାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆଜି ଭିଡିଓକନ୍ଫରେନ୍ସିଙ୍ଗ୍ରେ କହିଛନ୍ତି। ଦେଶର କରୋନାଭାଇରସ୍ ପରିସ୍ଥିତି ସଂକ୍ରାନ୍ତରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନଅଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଭିଡିଓ କନ୍ଫରେନ୍ସିଙ୍ଗ୍ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ କୋଭିଡ୍-୧୯ ଓ ଲକ୍ଡାଉନ୍ ସଂକ୍ରାନ୍ତରେ ମେଘାଳୟ, ମିଜୋରାମ୍, ପୁଦ୍ଦୁଚେରୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଓଡ଼ିଶା, ବିହାର, ଗୁଜରାଟ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀମାନେ ଅଲୋଚନା କରିଥିଲେ। ବାକି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲିଖିତ ଭାବେ ସେମାନଙ୍କର ମତାମତ ପଠାଇବାକୁ କୁହାଯାଇଛି।
ଆଜିର ବୈଠକରେ ପ୍ରଥମେ କହିଥିଲେ ମେଘାଳୟର ମୁଖ୍ୟମନ୍ତ୍ରୀ କର୍ଣ୍ଣଡ୍ ସାଙ୍ଗ୍ମା। ସେ କହିଲେ କି, ମେ ୩ ତାରିଖ ପରେ ମଧ୍ୟ ତାଙ୍କ ରାଜ୍ୟରେ ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ଗମନାଗମନ ଉପରେ କଟକଣା ଜାରି ରଖିବ। କିନ୍ତୁ, ଅତ୍ୟାବଶ୍ୟକ ସେବା ଓ ଡାକ୍ତରୀ ସେବା ନିମନ୍ତେ ଗମନାଗମନକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି।
ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା କହିଲେ କି, ଲକ୍ଡାଉନ୍ ସମୟରେ ସେମାନେ ଧାର୍ମିକ ହୋଇଯାଇଛନ୍ତି ଏବଂ କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାହା ସ୍ବୀକାର କରିବେ।
/sambad/media/post_attachments/wp-content/uploads/2020/04/vcon.jpg)
ରାଜ୍ୟର ସ୍ବାସ୍ଥ୍ୟ ସେବାକାରୀଙ୍କ ନିମନ୍ତେ ପିପିଇ ଯୋଗାଣରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ପୁଦ୍ଦୁଚେରୀର ମୁଖ୍ୟମନ୍ତ୍ରୀ ବି ନାରାୟଣସ୍ବାମୀ କହିଛନ୍ତି। ମେ ୩ ତାରିଖରେ ଲକ୍ଡାଉନ୍ ଉଠିଗଲେ କଳକାରଖାନା ଚାଲୁ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଏହାଛଡ଼ା କୋଭିଡ୍-୧୯ ମୁକାବିଲା ପାଇଁ ସେ କେନ୍ଦ୍ର ସରକାରଙ୍କ ଠାରୁ ଆର୍ଥିକ ସହାୟତା ଚାହିଁଛନ୍ତି।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍ କହିଲେ କି, ଅଗ୍ରଗତି କରିବାର ମୂଳ ହେଉଛି ଆର୍ଥିକ ପୁନରୁଥ୍ଥାନ। ସତର୍କତାମୂଳକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇ ପର୍ଯ୍ୟାୟକ୍ରମେ ବାଣିଜ୍ୟ ବ୍ୟବସାୟ ଆରମ୍ଭ ହେବ। ପର୍ଯ୍ୟଟନ ଏବଂ ଧାର୍ମିକ ସ୍ଥଳ ଉତ୍ତରାଖଣ୍ଡ ଲକ୍ଡାଉନ୍ ଯୋଗୁଁ ଖୁବ୍ ପ୍ରଭାବିତ ହୋଇଛି।
ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ଏବେ ଆର୍ଥିକ କାରବାର ଆରମ୍ଭ କରିବା ସ୍ଥିତିରେ ଅଛୁ। କିନ୍ତୁ, ଅନ୍ୟ ରାଜ୍ୟମାନଙ୍କ ସହିତ ପରାମର୍ଶ କରି ଲକ୍ଡାଉନ୍ ଜାରି ରଖାଯିବା ଉଚିତ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଆମେ ସମସ୍ତେ ଏକତ୍ର କାମ ଚାଲୁ ରଖିବା। ବିଶ୍ବର ଏଭଳି ସ୍ଥିତିରେ ଭାରତ ତା’ର ଉପସ୍ଥିତି ଜାହିର କରିବ। ନୀତି ଆୟୋଗ ସଂସ୍କାରମୂଳକ ଉପାୟ କରିବ। ଜାତୀୟ ଲକ୍ଡାଉନ୍ ଜାରି ରହିବା ଉଚିତ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକଳାପକୁ ଅନୁମତି ମିଳିବା ଉଚିତ। ସାଧାରଣ ସମାବେଶ, ଧାର୍ମିକ ଓ ଶିକ୍ଷାନୁଷ୍ଠାନ ପୂର୍ଣ୍ଣରୂପେ ବନ୍ଦ ରହୁ। କେବଳ ରାଜ୍ୟ ମଧ୍ୟରେ ଆର୍ଥିକ କାର୍ଯ୍ୟକଳାପ ଚାଲୁ।
ପୋଲିଓ ଅଭିଯାନ ଭଳି ଘରକୁ ଘର ସ୍କ୍ରିନିଙ୍ଗ୍ କରିଛୁ ବୋଲି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଭିଡିଓ କନ୍ଫରେନ୍ସିଙ୍ଗ୍ରେ କହିଛନ୍ତି। ଏ ପର୍ଯ୍ୟନ୍ତ ୪ କୋଟି ଲୋକଙ୍କୁ ସ୍କ୍ରିନିଙ୍ଗ୍ କରାଯାଇ ସାରିଲାଣି।