ଏକଜିଟ ପୋଲ୍ : ଏଥର ପୁଣି ମୋଦି ସରକାର ! ଗତ ଥରଠାରୁ ଅଧିକ ଆସନ ଦେଲା ଟୁଡେଜ ଚାଣକ୍ୟ

ନୂଆଦିଲ୍ଲୀ : ଆଜି ୭ମ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ୨୦୧୯ ନିର୍ବାଚନ ଶେଷ ହୋଇଛି । ଏବେ ସମସ୍ତଙ୍କ ଆଖି ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ଉପରେ ରହିଛି । ଏହା ପୂର୍ବରୁ ଆଜି ବିଭିନ୍ନ ସଂସ୍ଥା ନିଜ ନିଜର ବୁଥବାହୁଡା ମତ ବା ଏକଜିତ ପୋଲ ପ୍ରକାଶ କରିଛନ୍ତି । ପ୍ରାୟ ଅଧିକାଂଶ ଏକଜିଟ ପୋଲରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ବହୁମତ ମିଳିବା ପୂର୍ବାନୁମାନ କରାଯାଇଛି ।
ଏବେ ସୁଦ୍ଧା ପୂର୍ବାନୁମାନ କରିଥିବା ୮ଟି ସଂସ୍ଥା ବିଜେପି ନେତୃତ୍ୱାଧୀନ ଏନଡିଏକୁ ବହୁମତ ଦେଇଛନ୍ତି । ରିପବ୍ଲିକ-ସି ଭୋଟରର ରିପୋର୍ଟ ଅନୁସାରେ ଏନଡିଏ ୨୮୭ଟି, ୟୁପିଏ ୧୨୮ଟି ଓ ଅନ୍ୟମାନେ ୧୨୭ଟି ସିଟ ପାଇବେ । ସେହିପରି ରିପବ୍ଲିକ ଭାରତ-ଜନ କି ବାତର ରିପୋର୍ଟ ଅନୁସାରେ ଏନଡିଏ ୩୦୫ଟି, ୟୁପିଏ ୧୨୪ଟି ଓ ଅନ୍ୟମାନେ ୧୧୩ଟି ସିଟ ପାଇବେ । ନ୍ୟୁଜ ନେସନର ରିପୋର୍ଟ ଅନୁସାରେ ଏନଡିଏ ୨୮୨ରୁ ୨୯୦ ଟି, ୟୁପିଏ ୧୧୮ରୁ ୧୨୬ଟି ଓ ଅନ୍ୟମାନେ ୧୩୦ ରୁ ୧୩୮ଟି ସିଟ ପାଇବେ । ସେହିପରି ଟାଇମ୍ସ ନାଓର ଅଟକଳ ଅନୁସାରେ ଏନଡିଏ ୩୦୬ଟି, ୟୁପିଏ ୧୪୨ଟି ଓ ଅନ୍ୟମାନେ ୯୪ଟି ସିଟ ପାଇବେ । ସେହିପରି ଜି ନ୍ୟୁଜ ଏନଡିଏକୁ ୩୦୬ଟି ଆସନ ଦେଇଛି ।
ତେବେ ଗତ ଥର ସଠିକ ପୂର୍ବାନୁମାନ କରିଥିବା ଟୁଡେଜ ଚାଣକ୍ୟ ଉପରେ ସମସ୍ତଙ୍କ ଆଖି ରହିଛି । ଟୁଡେଜ ଚାଣକ୍ୟ ରିପୋର୍ଟ ଅନୁସାରେ ଏନଡିଏ ୩୪୦ଟି, ୟୁପିଏ ୭୦ଟି ଓ ଅନ୍ୟମାନେ ୧୩୩ଟି ଆସନ ପାଇବେ ।
ଏହି ସଂସ୍ଥାର ରିପୋର୍ଟ ଅନୁସାରେ ଏନଡିଏ ଗୁଜୁରାଟରେ ୨୬ରୁ ୨୬ଟି ଓ ହରିୟାନାରେ ୧୦ରୁ ୧୦ ଆସନ ପାଇବ । ସେହିପରି ଦିଲ୍ଲୀରେ ବିଜେପି ୭ଟିରୁ ୭ଟି ଆସନ ପାଇବ । ରାଜସ୍ଥାନରେ ବିଜେପି ୨୫ଟି ଆସନ ପାଇବାର ସମ୍ଭାବନା ରହିଛି । ମହାରଷ୍ଟ୍ରରେ ବିଜେପି ୩୮ ଓ କଂଗ୍ରେସ ୧୦ଟି ଆସନ ପାଇବ ।
ଅନ୍ୟପକ୍ଷରେ ଏକଜିଟ ପୋଲ ସମ୍ପର୍କରେ ନେତାମାନଙ୍କ ମତାମତ ହସ୍ତଗତ ରହିଛି । ଏକଜିଟ ପୋଲକୁ ବିଜେପି ନେତାମାନେ ସମର୍ଥନ କରୁଥିବାବେଳେ ବିରୋଧୀ ଦଳମାନେ ଏହା ଭୁଲ ବୋଲି କହିଛନ୍ତି । ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜି, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରମୁଖ ଏକଜିଟ ପୋଲରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର