ଜୟପୁର: ଫେସବୁକରୁ ସ୍କୁଲ ସାରଙ୍କ ସହ ଅଙ୍ଗନୱାଡି ଦିଦିଙ୍କର ଆରମ୍ଭ ହୋଇଥିଲା ପ୍ରେମ | ହେଲେ ଏହି ପ୍ରେମ ବିବାହର ରୂପ ନେବା ପୂର୍ବରୁ ଅଙ୍ଗନୱାଡି ଦିଦିଙ୍କୁ ହତ୍ୟା କରାଯାଇଛି | ରାଜସ୍ଥାନର ବାଡ଼ମେରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଝୁନଝୁନୁର ଅଙ୍ଗନୱାଡି ସୁପରଭାଇଜର ମୁକେଶ କୁମାରୀ ତାଙ୍କ ପ୍ରେମିକ ଶିକ୍ଷକ ମାନାରାମଙ୍କୁ ଭେଟିବା ପାଇଁ ୬୦୦ କିଲୋମିଟର ଦୂରରୁ ଗାଡ଼ି ଚଲାଇ ବାଡ଼ମେର ଯାଇଥିଲେ। କିନ୍ତୁ ବିବାହ ଚାପରୁ ମୁକ୍ତି ପାଇବା ପାଇଁ ପ୍ରେମିକ ତାଙ୍କୁ ଲୁହା ରଡ୍ ରେ ପିଟି ହତ୍ୟା କରିଥିଲେ ଏବଂ ମୃତଦେହକୁ ଗାଡ଼ିରେ ରଖି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ।

Advertisment

ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚାଭା ଗାଁର ବାସିନ୍ଦା ଶିକ୍ଷକ ମାନାରାମ ଅକ୍ଟୋବର ୨୦୨୪ରେ ଫେସବୁକରେ ୩୭ ବର୍ଷୀୟ ମୁକେଶ କୁମାରୀଙ୍କ ସହ ବନ୍ଧୁତା କରିଥିଲେ। ଏହି ବନ୍ଧୁତା ଧୀରେ ଧୀରେ ସାକ୍ଷାତ ଏବଂ ପ୍ରେମରେ ପରିଣତ ହୋଇଥିଲା। ମୁକେଶ କୁମାରୀ ପ୍ରାୟତଃ ମାନାରାମଙ୍କୁ ଭେଟିବା ପାଇଁ ବାଡ଼ମେର ଆସୁଥିଲେ। ଅଭିଯୁକ୍ତ ମାନାରାମ ବିବାହିତ ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ସହ ଛାଡପତ୍ର ମାମଲା କୋର୍ଟରେ ଚାଲିଛି। ପୋଲିସର ସୂଚନା ଅନୁଯାୟୀ, ମୁକେଶ କୁମାରୀ ମାନାରାମଙ୍କୁ ବିବାହ ପାଇଁ ଚାପ ପକାଇଥିଲେ ଏବଂ ଏ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା।

ସେପ୍ଟେମ୍ବର ୧୦ ତାରିଖରେ ସେ(ମୁକେଶ କୁମାରୀ) ତାଙ୍କ କାରରେ ବାଡ଼ମେରରେ ପହଞ୍ଚିଥିଲେ ଏବଂ ତାଙ୍କ ପ୍ରେମିକଙ୍କ ପରିବାରକୁ ଭେଟିବାକୁ ଜିଦ୍ ଧରିଥିଲେ। ଏହା ପରେ ସେ ଚାଭା ପୋଲିସ ଷ୍ଟେସନରେ ମଧ୍ୟ ପହଞ୍ଚିଥିଲେ। ପୋଲିସ ଉଭୟଙ୍କୁ ଡାକି ବୁଝାଇଥିଲା । ଏହାପରେ ଉଭୟ ମାନାରାମ ଓ ମୁକେଶ କୁମାରୀ ଫେରିଆସିଥିଲେ | ତେବେ ବିବାହର ଚାପ ବଢ଼ୁଥିବାରୁ ମାନାରାମ ଏକ କୋଠରୀରେ ମୁକେଶ କୁମାରୀଙ୍କ ମୁଣ୍ଡକୁ ଲୁହା ରଡ୍ ରେ ଆକ୍ରମଣ କରି ହତ୍ୟା କରିଥିଲେ। ଅଭିଯୁକ୍ତ ମହିଳାଙ୍କ ଅଲ୍ଟୋ କାରର ଡ୍ରାଇଭିଂ ସିଟ୍ ଉପରେ ମୃତଦେହ ରଖି ଏହାକୁ ଏକ ସଡ଼କ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଥିଲେ। ସେ ସାରା ରାତି ଆରାମରେ ଶୋଇଥିଲେ ଏବଂ ସକାଳେ ଉଠି ତାଙ୍କ ଓକିଲଙ୍କୁ କାରରେ ମୃତଦେହ ବିଷୟରେ ଜଣାଇଥିଲେ। ଏହା ପରେ, ଓକିଲ ପୋଲିସକୁ ସୂଚନା ଦେଇଥିଲେ। ତେବେ ପୁଲିସ ଅନୁସନ୍ଧାନ କରିବା ପରେ ହତ୍ୟାକାଣ୍ଡ ଉପରୁ ପରଦା ଉଠିଯାଇଥିଲା |