ନବରଙ୍ଗପୁର: ନକଲି ପ୍ରମାଣ ପତ୍ର ଦେଇ ଚାକିରୀ। ପୁଣି ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ବିଭାଗରେ କାର୍ଯ୍ୟରତ ୨ ଜଣ ସାମୟିକ ପ୍ରଶିକ୍ଷକ(ପାର୍ଟ ଟାଇମ ଇନଷ୍ଟ୍ରାକ୍ଟର)ଙ୍କ ବିରୋଧ ରେ ଥାନାରେ ଅଭିଯୋଗ। ଏହି ୨ ଜଣ ପ୍ରଶିକ୍ଷକ ହେଲେ ରାଇଘର ଏକ୍ସ ବୋର୍ଡ ସ୍କୁଲ ରେ କାର୍ଯ୍ୟରତ ସାମୟିକ ପ୍ରଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଜେନା ଓ ନନ୍ଦାହାଣ୍ଡି ବ୍ଲକ ର ଜବାଗୁଡା ୟୁପିଏସ ସ୍କୁଲ ରେ କାର୍ଯ୍ୟରତ ଜଗନ୍ନାଥ ଖରା। ଏହି ଶିକ୍ଷକ ମାନେ ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ ଗତ ୨୦୧୬ ମସିହା ଠାରୁ କାର୍ଯ୍ୟରତ ରହିଛନ୍ତି। ୨୦୧୬ ମସିହା ଠାରୁ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ  ଜିଲ୍ଲା ରେ ବିଭିନ୍ନ ସ୍କୁଲ ରେ ଆର୍ଟ ଓ ଶାରୀରିକ ଶିକ୍ଷା ପାଇଁ ସାମୟିକ ପ୍ରଶିକ୍ଷକ ନିଯୁକ୍ତି ଦିଆଯାଇଥିଲା।  ଗତ ୨୦୨୨ ମସିହାରେ ଏହିୁ ବର୍ଗର କାର୍ଯ୍ୟରତ ସମସ୍ତ ପ୍ରଶିକ୍ଷକ, ବିଇଓ ଓ ଡିପିସି ଅଫିସ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପ୍ରମାଣ ପତ୍ର ଯାଞ୍ଚ ପାଇଁ  ବିଭିନ୍ନ ବୋର୍ଡ ଓ ବିଶ୍ବବିଦ୍ୟାଳୟକୁ  ପଠାଯାଇଥିଲା।

Advertisment

ଚଳିତ ମାସରେ ଓଡ଼ିଶା ବୋର୍ଡ ଅଫିସ ପକ୍ଷରୁ ଏହି ୨ ଜଣ ପ୍ରଶିକ୍ଷକଙ୍କ ଦଶମ ଶ୍ରେଣୀ ବୋର୍ଡ ପ୍ରମାଣପତ୍ର ନକଲି ବୋଲି ଚିଠି ଆସିଥିଲା। ଏହି ଚିଠି ସମଗ୍ର ଶିକ୍ଷା କାର୍ଯ୍ୟାଳୟର ହସ୍ତଗତ ହେବା ପରେ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏହି ୨ ଜଣ ଶିକ୍ଷକଙ୍କ ଦଶମ ବୋର୍ଡ ପ୍ରମାଣ ପତ୍ର ନକଲି ବୋଲି ଉଲ୍ଲେଖ କରିବା ସହ ସମଗ୍ର ଶିକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ୨ ଶିକ୍ଷକଙ୍କ ବିରୋଧରେ ସମ୍ପୃକ୍ତ ଥାନାରେ ଏତଲା ଦେବା ପାଇଁ ନନ୍ଦାହାଣ୍ଡି ଓ ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟକୁ ଚିଠି କରାଯାଇଥିଲା।  ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଇଘର ଥାନା ଏବଂ ନନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ନବରଙ୍ଗପୁର ଥାନାରେ ଏ ନେଇ ଅଭିଯୋଗ କରିଥିବା ଜଣାପଡିଛି।