ଗୁଆହାଟୀ: ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍ରେ ପ୍ରଥମ ବିଜୟ ହାସଲ କରିଥିଲା । ରବିବାର ରାତିର ରୋମାଞ୍ଚକ ମୁକାବିଲାରେ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗ୍ସକୁ ୬ ରନ୍ରେ ପରାସ୍ତ କରି ପଏଣ୍ଟ୍ ଖାତା ଖୋଲିଥିଲା । ରାଜସ୍ଥାନ ଦେଇଥିବା ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ୧୭୬/୬ରେ ଅଟକି ଯାଇଥିଲା। ଏହି ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇର ଶେଷ ଦୁଇ ଓଭରରୁ ବିଜୟ ପାଇଁ ଚେନ୍ନାଇକୁ ୩୯ ରନ୍ର ଦରକାର ଥିଲା। ଊନ୍ନବିଂଶ ଓଭରରୁ ମହେନ୍ଦ୍ର ସିଂହ ଧୋନି-ରବୀନ୍ଦ୍ର ଜାଡ଼େଜା ୧୯ ରନ୍ ଅମଳ କରି ଚେନ୍ନାଇକୁ ଆଶା ଦେଇଥିଲେ।
ତେବେ ଶେଷ ଓଭରର ଦ୍ବିତୀୟ ବଲ୍ରେ ଧୋନିଙ୍କୁ ଆଉଟ୍ କରି ସନ୍ଦୀପ ଶର୍ମା ରାଜସ୍ଥାନ ବିଜୟକୁ ପକ୍କା କରି ଦେଇଥିଲେ। ଅନ୍ତିମ ଓଭରରୁ ୧୩ ରନ୍ ସଂଗ୍ରହ କରି ଚେନ୍ନାଇ ଶେଷରେ ହାରିଥିଲା। ତେବେ ସିଏସକେ ଦଳକୁ ଜିତିବା ପାଇଁ ୨୫ ବଲ୍ ରେ ୫୪ ରନ୍ କରିବାକୁ ପଡ଼ିଥିଲା, ଧୋନି ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ରାଜସ୍ଥାନ ବିପକ୍ଷ ମ୍ୟାଚ୍ରେ ସେ ୧୧ ବଲ୍ରେ ୧୬ ରନ୍ କରି ଆଉଟ୍ ହୋଇଥିଲେ।
ଏହି ମ୍ୟାଚ୍ ଗୌହାଟୀରେ ଖେଳାଯାଉଥିଲା, କିନ୍ତୁ ଧୋନିଙ୍କ ଆଉଟ୍ ଉପରେ ଜଣେ ମହିଳା ପ୍ରଶଂସକଙ୍କ ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି। ଶେଷ ଓଭରରେ ଚେନ୍ନାଇ ସୁପର କିଙ୍ଗସକୁ ଜିତିବା ପାଇଁ ୨୦ ରନ ଆବଶ୍ୟକ ଥିଲା। ଶିମରନ୍ ହେଟମାୟର ଏମଏସ ଧୋନିଙ୍କ କ୍ୟାଚ୍ ଧରିବା ମାତ୍ରେ କ୍ୟାମେରାରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଥିଲା, ଯିଏ କିଛି କହି ନଥିଲେ କିନ୍ତୁ ତାଙ୍କ ମୁହଁରେ କ୍ରୋଧର ଭାବ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏହି ମହିଳା ପ୍ରଶଂସକ ରାଗରେ ତାଙ୍କ ଆଙ୍ଗୁଠି ମୋଡ଼ି ଦେଇଥିଲେ। ଏହି ମହିଳା ପ୍ରଶଂସକଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ ସେୟାର କରାଯାଉଛି।