ଭୀଷଣ ଆକାର ଧାରଣ କରୁଛି ସାମୁଦ୍ରିକ ବାତ୍ୟା ଫନି, ଓଡ଼ିଶା ଉପରେ ବି ପ୍ରଭାବ ପଡିବ
ଭୁବନେଶ୍ୱର : ଭାରତ ମହାସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଭାରତର ପୂର୍ବ ଉପକୂଳ ଆଡକୁ ଆଗଉ ଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ଫନିର ଗତିପଥ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୭୪୫ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୧୦୫୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଭୀଷଣ ସାମୁଦ୍ରିକ ଝଡ଼ ଓ ପରବର୍ତ୍ତି ୨୪ ଘଣ୍ଟା ମଧ୍ୟରେ ଏକ ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ଫନି ପ୍ରଭାବରେ ଦ୍ୱାରା ଆସନ୍ତା ୩୦ ଏପ୍ରିଲ ଓ ୧ ମଇରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପବନର ବେଗ ଏହିସବୁ ରାଜ୍ୟଗୁଡ଼ିକରେ ଘଣ୍ଟାପ୍ରତି ୧୪୫ରୁ ୧୫୫ କିଲମିଟର ଓ କେତେକ କ୍ଷେତ୍ରରେ ୧୭୦ କିଲୋମିଟର ଛୁଇଁବା ଆଶଙ୍କା କରାଯାଉଛି । ପୂର୍ବରୁ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏବେ ତାହାର ପ୍ରଭାବ ଓଡ଼ିଶାରେ ବି ପଡିବ ବୋଲି କୁହାଯାଉଛି । ଓଡ଼ିଶାରେ ଆସନ୍ତା ୨-୩ ରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିପାରେ ।
Sambad is now on WhatsApp
Join and get latest news updates delivered to you via WhatsApp
ଆହୁରି ମଧ୍ୟ ଉପକୂଳ ଛୁଇଁବା ପରେ ଏହାର ଗତିପଥ କଣ ରହିବ ତାହା ଏବେଠାରୁ କହିବା ସମ୍ଭବ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଅର୍ଥାତ ଲାଣ୍ଡଫଲ କରିବା ପରେ ଏହା ଓଡ଼ିଶା ଆଡକୁ ବୁଲିବା ବି ଅସମ୍ଭବ ନୁହେଁ । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ରାଜ୍ୟଗୁଡ଼ିକରେ ରେଡ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।