କୋରାପୁଟ: ଜିଲ୍ଲାରେ ଧୀରେ ଧୀରେ କ୍ଷୁଦ୍ର ଶସ୍ୟ ଚାଷ କମି କମି ଆସିଲାଣି। କିଛି ବ୍ଲକରେ ଚାଷୀ ମକା ଓ ଆଉ କିଛି ବ୍ଲକରେ ଲେମନ୍ ଗ୍ରାସ୍ ଚାଷ ଆଡକୁ ମୁହାଁଇଛନ୍ତି। ଜିଲ୍ଲାର ମୋଟ ୩ଲକ୍ଷ ୧ହଜାର ୫୦୦ହେକ୍ଟର ଚାଷ ଜମି ରହିଥିବାବେଳେ ଚାଷ ୨ଲକ୍ଷ ୯୭ ହଜାର ୫୫୦ ହେକ୍ଟରରେ କରାଯାଉଛି। ୧ଲକ୍ଷ ୮୫ହଜାର ୫୪୦ହେକ୍ଟର ଉଚ୍ଚଜମି, ୭୮ହଜାର ୫୩୦ହେକ୍ଟର ମଧ୍ୟମ ଓ ୩୩ହଜାର ୪୮୦ହେକ୍ଟର ଖାଲୁଆ ଜମି ରହିଛି। ମଧ୍ୟମ ଓ ଖାଲୁଆ ଜମିରେ ବେଶି ପରିମାଣର ଧାନ ଚାଷ ଓ ଆଖୁଚାଷ କରାଯାଉଛି। ସେଭଳି ଉଚ୍ଚ ଜମି ଓ କିଛିକାଂଶ ମଧ୍ୟମ ଜମିରେ ମକା, ଡାଲିଜାତୀୟ, ପନିପରିବା, ମାଣ୍ଡିଆ ଓ ତୈଳବୀଜ ଚାଷ ହେଉଛି। ପୂର୍ବରୁ ଲୋକେ ଜଙ୍ଗଲ ଜମି ଗୁଡିକରେ ମାଣ୍ଡିଆ, ବାଜ୍ରା, କୋଳଥ, ମୁଗ, ବିରି, ସୁଆଁ, କାଙ୍ଗୁ ଚାଉଳ ଆଦି ଚାଷ କରାଯାଉଥିଲା। ଜିଲ୍ଲାର କୋଟପାଡ ଅଂଚଳରେ ମକା ଓ ଆଖୁଚାଷ ବହୁଳ ହେଉଥିବା ବେଳେ ଧୀରେ ଧୀରେ କ୍ଷୁଦ୍ର ଶସ୍ୟ ଚାଷ କମି କମି ଆସିଲାଣି।

Advertisment

ଧାନ ଚାଷ ୯୫ହଜାର ହେକ୍ଟର ଜମିରେ କରାଯାଉଥିବା ବେଳେ ଡାଲି ଜାତୀୟ ୧୮୨୧୫ ହେକ୍ଟର, ତୈଳବୀଜ ୧୫ହଜାର ୩୪, ତନ୍ତୁ ଜାତୀୟ ୧୨୩୧ହେକ୍ଟରରେ ଚାଷ ହେଉଛି। ତେବେ ଗତ ତିନି ବର୍ଷର ଗ୍ରାଫକୁ ସମୀକ୍ଷା କରାଯାଏ ତେବେ ଡାଲି ଜାତୀୟ ୨୦୨୦ ମସିହାରେ ୧୯୭୬୮ହେକ୍ଟର ଜମିରେ କରାଯାଇଥିବା ବେଳେ ୨୦୨୧ରେ ୧୯୨୦୦ହେକ୍ଟର, ୨୦୨୨ରେ ୧୮୨୧୫ହେକ୍ଟର ଜମିରେ ଚାଷ କରାଯାଇଛି। ସେଭଳି ତୈଳଜାତୀୟ ୨୦୨୧ମସିହାରେ ୧୭ହଜାର ୨୭୨ହେକ୍ଟର,୨୦୨୧ମସିହାରେ ୧୬୭୦୦ହେକ୍ଟର ଓ ୨୦୨୨ରେ ୧୫୦୩୪ହେକ୍ଟର ଜମିରେ ଚାଷ କରାଯାଇଛି। ସେଭଳି ରବିରେ ସମଗ୍ର ଜିଲ୍ଲାରେ ମାତ୍ର ୪୦ହେକ୍ଟର ଜମିରେ ଗହମ, ମକା ୪୩୦୦ହେକ୍ଟର, ମାଣ୍ଡିଆ ୭୮୦ହେକ୍ଟର , ଡାଲି ଜାତୀୟ ୨୦ହଜାର ୬୦ହେକ୍ଟର, ତୈଳବୀଜ ଜାତୀୟ ୫୭୧୦ହେକ୍ଟର ଜମିରେ ଚାଷ ହୋଇଛି।  ଗୋଟିଏ ପଟେ ଧାନ ଓ ମକାକୁ ବାଦ୍ ଦେଇ ସରକାର ଅନ୍ୟ କ୍ଷୁଦ୍ରଶସ୍ୟ ବିକ୍ରି ପାଇଁ ମଣ୍ଡି ଆରମ୍ଭ କରିନାହନ୍ତି। ତେଣୁ ଏସବୁକୁ ଉତ୍ପାଦନ କରିବା ପରେ ବିକ୍ରିବଟାର ସୁବିଧା ନଥିବାରୁ ଆଗ ଭଳି  ଚାଷୀ କ୍ଷୁଦ୍ର ଶସ୍ୟ ଚାଷ କରିବା ବଦଳରେ ହଳଦୀ, ଅଦା, ଲେମନଗ୍ରାସ, ମକା ଓ ପନିପରିବା ଆଦିର ଚାଷ କରୁଛନ୍ତି। ପୂର୍ବରୁ ଜୈବିକ ପଦ୍ଧତିରେ କରାଯାଉଥିବା ଚାଷ କାଳକ୍ରମେ ସଂପୁର୍ଣ୍ଣ ରୁପେ ରାସାୟନିକ ସାର ଓ ହାଇବ୍ରୀଡ୍ ବିହନ ଉପରେ ନିର୍ଭର। ଏହି ସ୍ଥିତିରେ ରାସାୟନିକ ୟୁରିଆ ସାର୍ ଅଧିକା ଜମିରେ ପକାଇବା ଫଳରେ ଜମିର ଉର୍ବରତା ଆଉ ପୂର୍ବଭଳି ନାହିଁ ।

କୃଷି ବିଭାଗ ପକ୍ଷରୁ ୟୁରିଆ ସାରର ପରିମାଣ କମାଇବା ପାଇଁ ଚାଷୀଙ୍କୁ ଯେତେ କହିଲେ ସୁଦ୍ଧା କୌଣସି ଚାଷୀ ଶୁଣୁ ନାହାନ୍ତି। ଏହି ସ୍ଥିତିରେ ଦିନକୁ ଦିନ ପୂର୍ବଭଳି ଜିଲ୍ଲାରେ ଉତ୍ପାଦିତ କାନ୍ଦୁଲ ମଂଜି ଓ ଡାଲି, ମସୁର, ମୁଗ ଓ ବିରି ଡାଲି, ସୁଆଁ, ବାଜ୍ରା, କାଙ୍ଗୁ ଚାଉଳ ଆଉ ମିଳୁ ନାହିଁ। ପାରମ୍ପରିକ ଚାଷ ଧିରେ ଧିରେ ଲୋପ ପାଇବାକୁ ବସିଥିବା ବେଳେ ବିଶ୍ବ ବଜାରରେ ଏବେ ପାରମ୍ପରିକ କ୍ଷୁଦ୍ର ଖାଦ୍ୟ ଶସ୍ୟର ନାହିଁ ନଥିବା ଚାହିଦା ରହିଛି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଚାଷୀଙ୍କୁ ପୁଣି ପାରମ୍ପରିକ ଚାଷ, ଜୈବିକ ଖତ ଦିଆ ଚାଷ, କ୍ଷୁଦ୍ର ଖାଦ୍ୟ ଶସ୍ୟ ଚାଷ କରିବାକୁ ପ୍ରତ୍ସାହିତ କରିବା ପାଇଁ ଉତ୍ତମ ବଜାର ଯୋଗାଇବା ସହ ସଚେତନତା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।