ପ୍ରଥମ ପର୍ଯ୍ୟାୟ ଭୋଟ୍‌: କାଁ ଭାଁ ହିଂସା, ଇଭିଏମ୍‌ ସମସ୍ୟା

ତ୍ରିପୁରାରେ ସର୍ବାଧିକ ୮୧.୮% ମତଦାନ ଜମ୍ମୁରେ ୭୨, ପଶ୍ଚିମବଂଗରେ ୮୧%

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ୯୧ଟି ଲୋକସଭା ଆସନରେ ମତଦାନ ପ୍ରକ୍ରିୟା ସଂପନ୍ନ ହୋଇଛି। ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ ସିକ୍କିମରେ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟରେ ଲୋକସଭା ପାଇଁ ମତଦାନ ହୋଇଥିବା ବେଳେ ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଛି। ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଲୋକସଭା ଆସନ, ତେଲେଙ୍ଗାନର ୧୭ଟି ଆସନ, ଓଡ଼ିଶାର ୪ଟି ଆସନ, ଆସାମର ୫ଟି , ବିହାରର ୪ଟି , ମଣିପୁରର ୨ଟି , ଜମ୍ମୁ କଶ୍ମୀରରେ ୨ଟି, ମେଘାଳୟର ୨ଟି , ଛତିଶଗଡ଼, ନାଗାଲ୍ୟାଣ୍ଡ୍‌ ଏବଂ ମିଜେରାମର ଗୋଟିଏ ଲେଖାଏଁ ଆସନ, ସକ୍କିମ ଏବଂ ତ୍ରିପୁରାରେ ଗୋଟିଏ ଲେଖାଏଁ ଆସନ, ଉତ୍ତର ପ୍ରଦେଶର ୮ଟି ଆସନ, ଉତ୍ତରାଖଣ୍ଡର ୫ଟି , ଆଣ୍ଡାମାନ ଏବଂ ଲକ୍ଷାଦ୍ବୀପରେ ଗୋଟିଏ ଲେଖାଏଁ ଆସନ, ପଶ୍ଚିମ ବଂଗରେ ୨ଟି ଏବଂ ମହାରାଷ୍ଟ୍ରର ୭ଟି ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସଂପନ୍ନ ହୋଇଛି। ଆନ୍ଧ୍ର ପ୍ରଦେଶ, ବିହାର, ମଣିପୁର ଏବଂ ପଶ୍ଚିମବଂଗର କେତେକ ମତଦାନ କେନ୍ଦ୍ରରେ ଇଭିଏମ୍‌ ଖରାପ ଥିବାରୁ ତାହାର ପରବର୍ତ୍ତନ କରାଯାଇଥିଲା। ଏହା ସହିତ ୪୨୮ଟି ଭିଭିପିଏଟି ମେସିନ୍‌ ମଧ୍ୟ ବଦଳାଯାଇଥିବା ନିର୍ବାଚନ କମିସନ ସୂଚନା ଦେଇଛନ୍ତି।

ତ୍ରିପୁରାରେ ସର୍ବାଧିକ ୮୧.୮ ପ୍ରତିଶତ ମତଦାନ ହୋଇଥିବା ବେଳେ ପଶ୍ଚିମବଂଗରେ ୮୧ ପ୍ରତିଶତ, ମଣିପୁରରେ ୭୮.୨ ପ୍ରତିଶତ, ଆନ୍ଧ୍ର ପ୍ରଦେଶରେ ୭୭ ପ୍ରତିଶତ, ବିହାରରେ ୫୦.୨୬ ପ୍ରତିଶତ, ତେଲେଙ୍ଗାନାରେ ୬୦.୫୭ ପ୍ରତିଶତ, ମେଘାଳୟରେ ୬୨ ପ୍ରତିଶତ, ଉତ୍ତର ପ୍ରଦେଶରେ ୬୪ ପ୍ରତିଶତ, ଲକ୍ଷାଦ୍ବୀପରେ ୬୫.୯ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୫୬ ପ୍ରତିଶତ ଏବଂ ଆସାମରେ ୬୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଜମ୍ମୁରେ ୭୨ ପ୍ରତିଶତ ମତଦାନ ହୋଇଥିବା ବେଳେ ବାରମୁଳାରେ ୩୩.୨୯ ପ୍ରତିଶତ ମତଦାନ ହୋଇଥିଲା। ଡେପୁଟି ନିର୍ବାଚନ କମିସନର ଉମେଶ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସଂପୂର୍ଣ୍ଣ ହୋଇଛି। କାଁ ଭାଁ ହିଂସାକୁ ବାଦଦେଲେ ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ସେ କହିଛନ୍ତି। ମତଦାନ ବେଳେ ବିଭିନ୍ନ ରାଜ୍ୟରେ କାଁ ଭାଁ ହିଂସା ଦେଖିବାକୁ ମିଳିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ରାଜନୈତିକ ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର କୈରାନା ଲୋକସଭା କ୍ଷେତ୍ରର ସାମାଲିରେ ବୁଥ୍‌ ଜବରଦଖଲ ପାଇଁ ହୋଇଥିବା ଏକ ପ୍ରୟାସକୁ ବିଏସ୍‌ଏଫ୍‌ ପଣ୍ଡ କରିଛି। ଭୋଟର୍‌ ପରିଚୟପତ୍ର ନଥାଇ କିଛି ଲୋକ ଏକ ବୁଥ୍‌ ଭିତରକୁ ବଳପୂର୍ବକୁ ଧସେଇ ପଶିବା ପରେ ବିଏସ୍‌ଏଫ୍‌ ଯବାନ ଫାଙ୍କା ଗୁଳି ଚାଳନା କରିଥିଲେ। ମହାରାଷ୍ଟ୍ରର ଗଡ଼ଚିରୋଲି ଅଂଚଳରେ ଏକ ବୁଥ୍‌ର ସୁରକ୍ଷା ଦାୟିତ୍ବରେ ଥିବା ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଭୋଟିଂ ମେସିନ୍‌ ଖରାପ ଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଉତ୍ତର ପ୍ରଦେଶର କେତେକ ମତଦାନ କେନ୍ଦ୍ରରେ ଦଳିତ ଭୋଟର୍‌ଙ୍କୁ ପୁଲିସ ଅଟକାଉଥିବା ଖବର ପ୍ରଚାରିତ ହେବାପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦଳ ପକ୍ଷରୁ ଏ ସଂପର୍କରେ ତୁରନ୍ତ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର