ଭୁବନେଶ୍ୱର: ଏଥର ବାପା ନୁହେଁ ପୁଅ ପାଇବେ ଟିକେଟ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରି ନଥିଲେ ମଧ୍ୟ କଟକ ଜିଲ୍ଲାର ଦୁଇଟି ହାଇପ୍ରୋଫାଇଲରେ ଆସନରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଚୌଦାର-କଟକ ଓ ବାଙ୍କୀ ଆସନରେ ବିଜେଡିର ଦୁଇ ହେଭିୱେଟଙ୍କ ବଦଳରେ ତାଙ୍କର ପୁଅଙ୍କୁ ଚଳିତଥର ନିର୍ବାଚନ ମୈଦାନରେ ଦେଖିବାକୁ ମିଳିବ । ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଓ କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ବିଜେଡି ଟିକେଟରେ ତାଙ୍କର ପୁଅ ନିର୍ବାଚନ ରଣକ୍ଷେତ୍ରଙ୍କୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଏନେଇ ସୋସିଆଲ ମିଡିଆରେ ମଧ୍ୟ ଏହି ଚର୍ଚ୍ଚା ଓ ସମ୍ଭାବନାକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

Advertisment

publive-image

କଟକର ଦୁଇ ପ୍ରଭାତଙ୍କ ବଦଳରେ ତାଙ୍କ ପୁଅ ପାଇବେ ବିଜେଡି ଟିକେଟ । ଏଭଳି ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ବିଜେଡି ଉପକୂଳ ଓଡିଶା ଆସନ ଗୁଡିକରେ ପ୍ରାର୍ଥୀ ଦେବା ପାଇଁ ଅଙ୍କ କଷୁଛି । ଆଉ ଏସବୁ ଭିତରେ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ବିବାଦୀୟ ହୋଇଥିବା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବଦଳରେ ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ନୂଆ ମୁହଁ ଭାବେ ସାମ୍ନାକୁ ଆଣିପାରେ ବିଜେଡି । ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ପୁଣିଥରେ ଦଳ ତାଙ୍କୁ ଟିକେଟ ଦେଇ ରିସ୍କ ନେବାକୁ ଚାହୁଁନାହିଁ।

ବିରୋଧୀ ଚିଟଫଣ୍ଡକୁ ବଡ ନିର୍ବାଚନୀ ପ୍ରସଙ୍ଗ କରିଥିବା ବେଳେ ଏଥିରେ ଛନ୍ଦି ହୋଇଥିବା ନେତାଙ୍କୁ ଟିକେଟ ଦେଇ ଦଳ ପୁଣିଥରେ ବ୍ୟାକଫୁଟକୁ ଯିବାକୁ ଚାହୁଁନାହିଁ । ଏପରିକି ପ୍ରଭାତଙ୍କୁ ଟିକେଟ ନ ଦେଇ ଅସନ୍ତୋଷ କରିବାକୁ ମଧ୍ୟ ଚାହୁଁନାହିଁ ଦଳ । ତେଣୁ ସନ୍ତୁଷ୍ଟି ଫର୍ମୁଲାରେ ପ୍ରଭାତଙ୍କ ବଦଳରେ ତାଙ୍କ ପୁଅକୁ ଟିକେଟ ଦେବାକୁ ବିଜେଡି ଷ୍ଟ୍ରାଟେଜିଷ୍ଟ ମାନେ ବ୍ଲୁ-ପ୍ରିଣ୍ଟ କରିଥିବା ଚର୍ଚ୍ଚା ହେଉଛି ।

ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଥିବା ଦେବୀ ରଞ୍ଜନ ମଧ୍ୟ ଏହା ମଧ୍ୟରେ ବାଙ୍କୀ ନିର୍ବାଚନମଣ୍ଡଳୀରେ ନିଜର ଜନସର୍ମ୍ପକ ବଢାଉଥିବା ଦେଖିବାକୁ ମିଳିଛି । ଏପରିକି ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଛାତ୍ର ଓ ଯୁବବର୍ଗଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିବା ଦେବୀରଞ୍ଜନଙ୍କୁ ଦଳ ଟିକେଟ ଦେଉଛି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିବ । ଏହାଛଡା ଯଦି ଦେବୀରଞ୍ଜନଙ୍କୁ ଟିକେଟ ମିଳେ ତେବେ ନୂଆମୁହଁ ଭାବେ ବିରୋଧୀଙ୍କୁ ମାତ ଦେବାରେ ସେ କେତେ ସଫଳ ହେବେ ତାହା ନିର୍ବାଚନ ଫଳାଫଳ କହିବ ।

publive-image

ସେହିଭଳି କଟକ-ଚୌଦ୍ୱାର ଆସନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ଉତ୍ତରାଧିକାରୀ ଭାବେ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇପାରେ। କାରଣ ପ୍ରଭାତ ବିଶ୍ୱାଳଙ୍କ ଦେହରେ ମଧ୍ୟ ଚିଟଫଣ୍ଡର ଦାଗ ଲାଗିଛି । ତେଣୁ ଦଳ ପ୍ରଭାତଙ୍କ ବଦଳରେ ପୁଅ ସୌଭିକଙ୍କ ଉପରେ ଭରସା କରିପାରେ ।

ଏହାପୂର୍ବରୁ ସିସୋର ଗ୍ରୁପ ସହ ଏକ ଜମି କିଣାବିକା ମାମଲାକୁ ନେଇ ପ୍ରଭାତଙ୍କୁ ୧୯ ସେପ୍ଟେଟର ୨୦୧୭ରେ ଗିରଫ କରିଥିଲା ସିବିଆଇ। ତେଣୁ ପ୍ରଭାତଙ୍କୁ ଟିକେଟ ଦେଇ ଦଳ ନିଜ ପାଇଁ ଅଡୁଆ ସୃଷ୍ଟି କରିବାକୁ ଚାହୁଁନାହିଁ। ଏହାଛଡା ଏହି ଆସନଗୁଡିକରେ ବିଜେଡିର ଦବଦବା ରହିଥିବା ବେଳେ ଏହାକୁ କୌଣସି ବି ପରିସ୍ଥିତିରେ ହାତଛଡା କରିବାକୁ ବିଜେଡି ଚାହୁଁନାହିଁ। ଏହାଛଡା ପ୍ରଭାତଙ୍କୁ ଟିକେଟ ଦେଲେ ଏହା ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ଦଳର ଥିଙ୍କଟ୍ୟାଙ୍କ୍‌ ଚିନ୍ତା କରୁଛନ୍ତି । ତେଣୁ ପ୍ରଭାତଙ୍କ ବଦଳରେ ତାଙ୍କ ପୁଅ ସୌଭିକଙ୍କୁ ଟିକେଟ ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଦଳ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।