ଭୁବନେଶ୍ୱର (ସୁବ୍ରତ ଦାସ) : ନିଜ ପାଇଁ ଦଳୀୟ ଟିକେଟ ଭିକ୍ଷା କରି ତ ହଜାର ହଜାର ଆଶାୟୀ ପ୍ରାର୍ଥୀ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସ ଆଗରେ ଲମ୍ବାଧାଡି ଲଗାଇଛନ୍ତି। ତା’ ଛଡ଼ା ନିଜ ପୁଅମାନଙ୍କ ପାଇଁ ମଧ୍ୟ ବରିଷ୍ଠ ରାଜନେତା ଲବି କରୁଥିବାର ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ବାପ ନିଜ ପୁଅ ପାଇଁ ଟିକେଟ୍ ଲାଗି ଲବି କରିବା କିଛି ନୂଆ କଥା ନୁହେଁ। ସଂପ୍ରତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତାଙ୍କ ପୁତ୍ର ବୈଭବକୁ ଲୋକସଭା ଟିକେଟ ଦେଉଥିବା ଚର୍ଚ୍ଚା ଚାଲିଛି।
ଲୋଇସିଂହା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଆଜି ନବୀନ ନିବାସରେ ଦଳର ମୁଖିଆଙ୍କୁ ଭେଟି ତାଙ୍କ ପୁଅକୁ ଏଥର ନିର୍ବାଚନ ପାଇଁ ଟିକେଟ ଦେବାକୁ ଲବି କରିଛନ୍ତି। ଲଗାତାର ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଥିବା ଶ୍ରୀ ବେହେରା ଗଣମାଧ୍ୟମକୁ କହିଛନ୍ତି, ‘ମୋର ସକ୍ରିୟ ରାଜନୀତିରେ ବେଶ୍ ଅଭିଜ୍ଞତା ହେଲାଣି। ଏବେ ବୟସ ହେଲାଣି। ମୋ ବଦଳରେ ମୋ ପୁଅକୁ ଟିକେଟ ଦେଲେ ଭଲ ହୁଅନ୍ତା।’ ଶ୍ରୀ ବେହେରାଙ୍କ ପୁତ୍ର ନିହାର ରଂଜନ ବେହେରା କହିଛନ୍ତି, ‘ନିଷ୍ପତ୍ତି ଦଳର ମୁଖିଆଙ୍କ ଉପରେ ନିର୍ଭର କରେ।’
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ବାସୁଦେବପୁର ବିଧାୟକ ବିଜୟଶ୍ରୀ ରାଉତରାୟ ଏଥର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ବହୁ ପୂର୍ବରୁ ଘୋଷଣା କରିସାରିଛନ୍ତି। ସେ ତାଙ୍କର ପୁତ୍ର ବିଷ୍ଣୁବ୍ରତ ରାଉତରାୟଙ୍କୁ ବାଟ ଛାଡ଼ି ଦେଇଛନ୍ତି। କେବଳ ସେତିକି ନୁହେଁ, ଏଥିପାଇଁ ତାଙ୍କୁ ଦଳ ପକ୍ଷରୁ ସବୁଜ ସଂକେତ ମଧ୍ୟ ମିଳିସାରିଛି। ନିଜ ନିର୍ବାଚନ ମଣ୍ଡଳୀରେ ପୁଅ ପାଇଁ ବିଜୟଶ୍ରୀ ପ୍ରଚାର ବି ଆରମ୍ଭ କରିସାରିଲେଣି।
ସେହିପରି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ନିଜର ପାରମ୍ପରିକ ନିର୍ବାଚନ କ୍ଷେତ୍ର ବଲାଙ୍ଗୀର ବିଧାନସଭା ଆସନକୁ କନିଷ୍ଠ ପୁତ୍ର ଅର୍କେଶ ନାରାୟଣଙ୍କୁ ଛାଡ଼ିଦେଇଛନ୍ତି।
ପୂର୍ବରୁ ବୟୋଜ୍ୟେଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ନିର୍ବାଚନ ରାଜନୀତିରୁ ଏକପ୍ରକାର ସନ୍ୟାସ ନେଇ ପୁତ୍ର ପ୍ରୀତି ରଂଜନ ଘଡ଼େଇଙ୍କୁ ତାଙ୍କର ରାଜନୈତିକ ଉତ୍ତରାଧିକାର ହସ୍ତାନ୍ତର କରିଥିଲେ।