ସୁନ୍ଦରଗଡ଼: ଆଦାନିକୁ ଆବଣ୍ଟିତ ସୁନ୍ଦରଗଡ଼ ହେମଗିର ବ୍ଲକ ବିଜାହାନ୍ କୋଇଲା ଖଣି ପାଇଁ ଆଜି ଡକା ଯାଇଥିବା ଜମି ଅଧିଗ୍ରହଣ ଗ୍ରାମସଭା ରଣକ୍ଷେତ୍ର ପାଲଟିଛି। ସଭା ଆରମ୍ଭ ହେଉଣୁ କମ୍ପାନି ସମର୍ଥକ ଓ ବିସ୍ଥାପିତଙ୍କ ମଧ୍ଯରେ ମାଡପିଟ, ଠେଲାପେଲା, ଚୌକି ଭଙ୍ଗାରୁଜା, ଟଣାଓଟରା ହୋଇଥିଲା। କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ତଥା ନିଯୁକ୍ତି ନେଇ କମ୍ପାନି ଆଗୁଆ ଲିଖିତ ସୂଚନା ନଦେଇ ସିଧାସଳଖ ଗ୍ରାମସଭା କରୁଥିବା ଅଭିଯୋଗ କରି ବିସ୍ଥାପିତ ପ୍ରବଳ ବିରୋଧ କରିଥିଲେ। ଏପରିକି ପୁଲିସ ସହ ମଧ୍ଯ ଠେଲାପେଲା ହୋଇଥିଲା।
ଏହା ସତ୍ତ୍ବେ ସରପଞ୍ଚଙ୍କ ମାଧ୍ଯମରେ ଗ୍ରାମସଭା କରାଇନେବାକୁ କମ୍ପାନି ଉଦ୍ଯମ କରୁଥିବା ଦେଖି ବିରୋଧକାରୀ ତାତିଥିଲେ। ସ୍ଥିତି ବିଗୁଡ଼ୁଥିବା ଦେଖି ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମସଭାକୁ ବାତିଲ ଘୋଷଣା କରିଥିଲେ। ପୂର୍ବରୁ ବିଜାହାନ ଅଞ୍ଚଳରେ ଜଙ୍ଗଲ ଉଜାଡ଼ି ବଲାଙ୍ଗୀର ଗନ୍ଧମାର୍ଦ୍ଦନରେ କ୍ଷତିପୂରକ ବନୀକରଣ କରିବାକୁ ଯୋଜନା କରୁଥିବା ଅଭିଯୋଗରେ ଆଦାନି ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇରହିଛି। ଏସ୍ଥିତିରେ ଆଜି ପ୍ରଥମ ଗ୍ରାମସଭା ବାତିଲକୁ ନେଇ ଆଦାନିର କାରସାଦି ପୁଣି ଚର୍ଚ୍ଚାକୁ ଆସିଛି। ଆଦାନି ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ କମ୍ପାନିକୁ ୨୦୨୨ରେ ହେମଗିର ବ୍ଲକ୍ ବିଜାହାନ କୋଇଲା ଖଣି ଆବଣ୍ଟିତ ହୋଇଛି।
ଖଣି ପାଇଁ ଝାରପଲମ ପଞ୍ଚାୟତ ବିଜାହାନ ଗାଁରୁ ୨୫୦.୦୧୦ ଏକର ଓ ଭୋଗରାକଛାରରୁ ୧୮୮.୨୦୦ ଏକର ରୟତି ଜମି ଅଧିଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ବିଜାହାନ ଗାଁରେ ଗ୍ରାମସଭା ଡକାଯାଇଥିଲା।
/sambad/media/media_files/2025/02/28/d904b342-6be0-4995-a1f9-add279a85773-541408.jpg)
ହେମଗିର ଏବିଡିଓଙ୍କ ଉପସ୍ଥିତିରେ ଝାରପଲମ ସରପଞ୍ଚ ଚନ୍ଦ୍ରବ ମାଝୀଙ୍କ ଅଧ୍ଯକ୍ଷତାରେ ସଭା ଆରମ୍ଭ ହେବା କ୍ଷଣି ବିସ୍ଥାପିତମାନେ କମ୍ପାନିର କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ପ୍ଯାକେଜ ନେଇ କାହିଁକି ଆଗୁଆ ସୂଚନା ଦେଲେନି ବୋଲି ପଚାରିବା ସହ ଗ୍ରାମସଭା ବାତିଲ ଦାବି କରିଥିଲେ। କିଛି ସମର୍ଥକ ବିସ୍ଥାପିତଙ୍କୁ ବିରୋଧ କରିବାରୁ ପାଟିତୁଣ୍ଡ ହୋଇଥିଲା। ପରେ ଦେଖୁ ଦେଖୁ ଠେଲାପେଲା, ମାଡ଼ପିଟ, ଚୌକି ଭଙ୍ଗାରୁଜା ମଧ୍ଯରେ ସଭାସ୍ଥଳ ରଣକ୍ଷେତ୍ର ପାଲଟି ଯାଇଥିଲା।
ଏପରିକି ପୁଲିସ ସହ ମଧ୍ଯ ଧସ୍ତାଧସ୍ତି ହୋଇଥିଲା। ଗ୍ରାମସଭା କରିବା ପ୍ରଶାସନର ଦାୟିତ୍ବ ହୋଇଥିବାବେଳେ କମ୍ପାନିର ମାଳମାଳ ଅଧିକାରୀ ସଭାରେ ଉପସ୍ଥିତ ରହିବା ଲୋକଙ୍କୁ ନାପସନ୍ଦ ହୋଇଥିଲା। କମ୍ପାନି ବିସ୍ଥାପିତଙ୍କୁ ଭଣ୍ଡୁଥିବା ଅଭିଯୋଗ କରି ବିସ୍ଥାପିତ ଆଦାନି ଗୋ ବ୍ଯାକ୍ ନାରା ଦେଇଥିଲେ। ଗ୍ରାମସଭା ବାତିଲ ଘୋଷଣା ପରେ ସରପଞ୍ଚଙ୍କୁ ପୁଲିସ ସୁରକ୍ଷା ମଧ୍ଯରେ ବାହାରକୁ ଅଣାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/02/28/a91fc060-f380-4e60-9b49-0befd030fdff-419598.jpg)