ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନ କରିଥିଲେ। ବିସିସିଆଇ ଜରିମାନା ଭାବରେ ମ୍ୟାକ୍ସୱେଲଙ୍କ ମ୍ୟାଚ୍ ଫି'ର ୨୫ ପ୍ରତିଶତ କାଟି ଦେଇଛି। ଏହା ସହିତ ତାଙ୍କୁ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ଦିଆଯାଇଛି। ପଞ୍ଜାବ କିଙ୍ଗସ ଏହି ମ୍ୟାଚ୍କୁ ୧୮ ରନ୍ରେ ଜିତିଥିଲା। ପ୍ରିୟାଂଶ ଆର୍ଯ୍ୟ ୪୨ ବଲ୍ରେ ୧୦୩ ରନ୍ର ଇନିଂସ ଖେଳିଥିଲେ, ଯାହା ପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ କରାଯାଇଥିଲା।
ଆଇପିଏଲ ପକ୍ଷରୁ ଜାରି ହୋଇଥିବା ସରକାରୀ ବିବୃତ୍ତିରେ କୁହାଯାଇଛି, "ପଞ୍ଜାବ କିଙ୍ଗସ୍ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ମଙ୍ଗଳବାର ଦିନ ନ୍ୟୁ ଚଣ୍ଡିଗଡ଼ର ନ୍ୟୁ ପିସିଏ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ତାଙ୍କ ଦଳର ମ୍ୟାଚ୍ ସମୟରେ ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ତାଙ୍କ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା କରାଯାଇଛି ଏବଂ ଗୋଟିଏ ଡିମେରିଟ୍ ପଏଣ୍ଟ ମଧ୍ୟ ପାଇଛନ୍ତି। ଗ୍ଲେନ୍ ମ୍ୟାକ୍ସୱେଲ ସ୍ବୀକାର କରିଥିବା ଦୋଷ ଆଇପିଏଲ ଆଚରଣବିଧି ୨.୨ର ଲେବଲ-୧ ଅନ୍ତର୍ଗତ ଆସୁଛି, ଯାହାକି କ୍ରିକେଟ ଉପକରଣ, ପୋଷାକ, ଗ୍ରାଉଣ୍ଡ ଉପକରଣ, ଫିକ୍ସର ଆଦିକୁ କ୍ଷତି ପହଞ୍ଚାଇବା ପାଇଁ ଲାଗୁ ହୋଇଥାଏ । ଅର୍ଥାତ ପଡ଼ିଆ କିମ୍ବା ଡ୍ରେସିଂ ରୁମରେ ଥିବା ସାମଗ୍ରୀକୁ ନଷ୍ଟ କରିବା ଲାଗି ଏହା ଲାଗୁ ହୋଇଥାଏ ।
ଉଲ୍ଲେଖ ଥାଉ କି ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିନାହିଁ, ସେ ୩ଟି ଇନିଂସରେ 31 ରନ କରିଛନ୍ତି। ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୩୦ ରନ କରିଥିଲେ, ଯେତେବେଳେ ସେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ନିଜର ଖାତା ମଧ୍ୟ ଖୋଲିପାରି ନଥିଲେ ଏବଂ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ସେ ୧ ରନ କରିବା ପରେ ଆଉଟ ହୋଇଥିଲେ। ତଥାପି, ସେ ବୋଲିଂରେ ଭଲ ଯୋଗଦାନ ଦେଉଛନ୍ତି, ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୩ ୱିକେଟ୍ ନେଇଛନ୍ତି।
ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ଚଳିତ ସିଜନରେ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି, ପ୍ରଥମ ୨ଟି ମ୍ୟାଚ୍ ଜିତିବା ପରେ, ସେମାନେ ତୃତୀୟ ମ୍ୟାଚ୍ ହାରିଗଲେ ଏବଂ ଚତୁର୍ଥ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୮ ରନ୍ରେ ପରାସ୍ତ କଲେ। ୪ଟିରୁ ୩ଟି ବିଜୟ ସହିତ, ପଞ୍ଜାବ କିଙ୍ଗ୍ସ ବର୍ତ୍ତମାନ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଅଛି।