ଛତିଶଗଡ଼ର କୋଭିଡ୍ ହସ୍ପିଟାଲରେ ନିଆଁ, ୫ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ

ରାୟପୁର: ଛତିଶଗଡ଼ର ରାୟପୁରରେ ଥିବା ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଯିବା ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ରାୟପୁର ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଅଜୟ ଯାଦବଙ୍କ କହିବା ମୁତାବକ ରାୟପୁର ସହରର ପାଚପେଡ଼ି ନାକା ଅଞ୍ଚଳରେ ଥିବା ରାଜଧାନୀ ହସ୍ପିଟାଲରେ ଶନିବାର ରାତିରେ ନିଆଁ ଲାଗିଯିବା ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ଯାଦବ କହିଛନ୍ତି କି ଶନିବାର ସନ୍ଧ୍ୟାରେ ହସ୍ପିଟାଲରେ ଅଚାନକ ନିଆଁ ଲାଗି ଯାଇଥିଲା । ଏନେଇ ପୁଲିସ ସୂଚନା ପାଇବା ପରେ ଦମକଳବାହିନୀ ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ସେତେବେଳେକୁ ନିଆଁ ପୂରା ହସ୍ପିଟାଲକୁ କାବୁ କରିଦେଇଥିଲା । ଫଳରେ ଜଣେ ରୋଗୀ ଜଳିଯାଇଥିବା ବେଳେ ଅନ୍ୟ ଚାରିଜଣ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ଦମକଳବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ରୋଗୀମାନଙ୍କୁ ଉଦ୍ଧାର କରିବା ସହ ସହରର ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର