ବ୍ରସେଲ୍ସ,: ୟୁରୋପରେ ୨୦୨୫ରେ ରେକର୍ଡ ସଂଖ୍ୟକ ଜଙ୍ଗଲ ନିଆଁ ଲାଗିଛି ଏବଂ ବିଶେଷଜ୍ଞମାନେ ଏଥିପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ଅଧିକ ତାପମାତ୍ରା ଓ କମ୍ ବୃଷ୍ଟିପାତ ସମଗ୍ର ମହାଦେଶର ଜଙ୍ଗଲ ନିଆଁକୁ ବଢ଼ାଉଛି। ଚଳିତ ବର୍ଷ ୟୁରୋପରେ ନିଆଁ ଲାଗି ୧୦ ଲକ୍ଷ ହେକ୍ଟରରୁ ଅଧିକ ଜଙ୍ଗଲ ନଷ୍ଟ ହୋଇଛି। ଏହା ୨୦୨୪ ତୁଳନାରେ ଚାରିଗୁଣରୁ ଅଧିକ ବୋଲି ୟୁରୋ ନ୍ୟୁଜ୍ କହିଛି। ୟୁରୋପୀୟ ସଂଘର ରିପୋର୍ଟ ଅନୁସାରେ ମୋଟ ୧,୮୦୦ରୁ ଅଧିକ ଜଙ୍ଗଲ ନିଆଁ ଲାଗିଛି, ଯାହା ୩୮ ନିୟୁତ ଟନ୍‌ରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗତ କରିଛି।

Advertisment

ୟୁରୋପୀୟ ସଂଘର ୨୭ଟି ସଦସ୍ୟ ରାଷ୍ଟ୍ର ମଧ୍ୟରୁ କେବଳ ଚେକ୍ ରିପବ୍ଲିକ୍, ଏଷ୍ଟୋନିଆ, ଲିଥୁଆନିଆ, ଲକ୍ସେମବର୍ଗ ଓ ମାଲ୍ଟାରେ ନିଆଁ ଲାଗିନାହିଁ। ତାଲିକାର ଶୀର୍ଷରେ ଥିବା ଇଟାଲୀ ଓ ରୋମାନିଆରେ ୪୫୦ରୁ ଅଧିକ ଅଗ୍ନିକାଣ୍ଡ ରେକର୍ଡ କରାଯାଇଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶ ସବୁବେଳେ ସବୁଠାରୁ ଅଧିକ ନିଆଁ ଲାଗିଥିବା ଦେଶ ନୁହେଁ। ଉଦାହରଣ ସ୍ୱରୂପ ସାଇପ୍ରସ ମାତ୍ର ତିନୋଟି ଅଗ୍ନିକାଣ୍ଡ ରିପୋର୍ଟ କରିଥିଲା, କିନ୍ତୁ ସେଗୁଡ଼ିକ ବିଶେଷ ଭାବରେ ଭୟଙ୍କର ଥିଲା। ୟୁରୋ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଜାନୁଆରି ମାସରୁ ସ୍ପେନ୍‌ରେ ୪,୦୦,୦୦୦ ହେକ୍ଟରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ୟୁରୋପୀୟ ସେଣ୍ଟର ଫର୍ ମିଡିୟମ୍ ରେଞ୍ଜ ୱେଦରର ବୈଜ୍ଞାନିକ ମାର୍କ ପାରିଙ୍ଗଟନ କହିଛନ୍ତି, ଯେଉଁଠାରେ ଜଳବାୟୁ ଅନିୟମିତତା ଯୋଗୁ ପରିବେଶ ଅଧିକ ଶୁଖିଲା ଓ ଗରମ ରହୁଛି ସେଠାରେ ଅଧିକ ନିଆଁ ଲାଗୁଛି। 

ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ମୁଖ୍ୟତଃ ଭୟଙ୍କର ନିଆଁ ଋତୁ ପାଇଁ ଦାୟୀ। ୟୁରୋପୀୟ ଫରେଷ୍ଟ ଇନଷ୍ଟିଚ୍ୟୁଟର ଅଗ୍ନି ପରିଚାଳନା ବିଶେଷଜ୍ଞ ଆଲେକଜାଣ୍ଡର ହେଲ୍ଡ କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟାଇବା ପାଇଁ ପାଣିପାଗ ସ୍ଥିତି, ଭୌଗୋଳିକ ସ୍ଥିତି, ଉଦ୍ଭିଦ, ବାୟୋମାସ୍ ଓ ଇନ୍ଧନ ସମେତ ଅନେକ କାରଣ ଆବଶ୍ୟକ। ତେବେ ପାଣିପାଗ ହେଉଛି ମୁଖ୍ୟ କାରଣ। ଭବିଷ୍ୟତରେ ଏଭଳି ପରିସ୍ଥିତି ଅଧିକ ସାଧାରଣ ହେବାର ସମ୍ଭାବନା ରହିଛି ବୋଲି ସତର୍କ କରାଇ ଦେଇ ସେ ଆହୁରି କହିଛନ୍ତି, ଜଳବାୟୁ ପରିବର୍ତନ ପରିସ୍ଥିତି ଅନ୍ୟ ସମସ୍ତ କାରଣକୁ ଏକାଠି କାମ କରିବା ପାଇଁ ଉତ୍‌ପ୍ରେରିତ କରିଥାଏ। ଅଗ୍ନିଶମ କର୍ମଚାରୀଙ୍କୁ ସୁରକ୍ଷିତ ଓ ଦକ୍ଷତାର ସହ କାର୍ଯ୍ୟ କରିବାରେ ସାହାଯ୍ୟ କରିବା ପାଇଁ ସକ୍ରିୟ ଲ୍ୟାଣ୍ଡସ୍କେପ୍ ପରିଚାଳନା ଜରୁରୀ ବୋଲି ହେଲ୍ଡ ପରାମର୍ଶ ଦେଇଛନ୍ତି।