ମୋର ଅତି ଘନିଷ୍ଠ ବନ୍ଧୁ କସ୍ତୁରୀ। ତାଙ୍କ ଘରେ ପିଲାଟିଏ ଥିଲା- ନାଁ ତା’ର ଚନ୍ଦନ। ଯଦିଓ ସେ ଘରେ ଚନ୍ଦନର ଜନ୍ମ ‌ହୋଇ ନଥିଲା, କିନ୍ତୁ ପରିବାରର ସଦସ୍ୟମାନଙ୍କଠାରୁ ସେ ଅଧିକ ଥିଲା। ଘରେ ତା’ର ଗୁରୁତ୍ବ କାହାଠାରୁ ବି କମ୍ ନଥିଲା। ଚନ୍ଦନ! ଚନ୍ଦନ!! ଚନ୍ଦନ!!! ଦିନରାତି ଘରସାରା ତା’ରି ନାଁ ଡାକ ପଡୁଥିବ। ସତେ ଯେମିତି ଚନ୍ଦନ ବିନା ସେ ଘରେ କିଛି ବି ହୋଇପାରିବ ନାହିଁ। କସ୍ତୁରୀଙ୍କ ବାପା କଳାହାଣ୍ଡିରେ ଚାକିରି କରୁଥିବା ବେଳେ ତାଙ୍କ ଘରେ ରଥ ବୋଲି ଜଣେ ରୋଷେଇଆ ଥିଲେ। ଚନ୍ଦନ ହେଉଛି ତାଙ୍କ ପୁତୁରା। ଚନ୍ଦନର ମାନସିକ ବିକାଶ ଠିକ୍‌ ଭାବରେ ହୋଇପାରି ନଥିଲା। ବୟସ ବଢୁଥିଲେ ବି ତା’ର ବୁଦ୍ଧି, ବ୍ୟବହାର ଦଶବର୍ଷର ପିଲା ପରି ଥିଲା। ତା’ର ଏହି ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ଗାଁ ପିଲେ ପାଗଳା, ବାୟା, ଆଡ଼ବାୟା କହି ତାକୁ ହରଦମ୍ ଚିଡ଼ାଉଥିଲେ। କିଏ ତା’ ମୁଣ୍ଡରେ କାଚ ବୋତଲ ଭାଙ୍ଗିଲାଣି ତ କିଏ ତାକୁ ମନଇଚ୍ଛା ଗାଳିଗୁଲଜ କଲାଣି। କାମଦାମ କରିବାକୁ ଘରଲୋକେ ଚନ୍ଦନକୁ ଦି’ ଜାଗାକୁ ପଠେଇଥିଲେ। ହେଲେ ସେଠାରେ ତାକୁ ଦୁର୍ବ୍ୟବହାର ଆଉ ଅକଥନୀୟ  ଅତ୍ୟାଚାର ସହିବାକୁ ପଡ଼ିଲା। ଚନ୍ଦନର ଏପରି ଅବସ୍ଥା ଦେଖି ତା’ ପରିବାର ଲୋକ ଅସହାୟ ହୋଇପଡ଼ିଥିଲେ ଏବଂ ସେମାନେ ଚନ୍ଦନକୁ ତାଙ୍କ ଘରେ ଆଶ୍ରୟ ଦେବାପାଇଁ କସ୍ତୁରୀର ବାପାଙ୍କୁ ଅନୁରୋଧ କରିଥିଲେ। ଏଭଳି ଅବସ୍ଥାରେ ଚନ୍ଦନ ଗାଁରୁ ଆସି କସ୍ତୁରୀଙ୍କ ଘରେ ରହିଥିଲା।

Advertisment

ଚନ୍ଦନର କଥାବାର୍ତ୍ତା, ଚାଲିଚଳଣ ଓ ଆଚାରବ୍ୟବହାର ଛୋଟପିଲାଟିଏ ପରି ଥିଲା। ଏକଦମ୍ ସରଳ ଓ ଭୋଲାଭାଲା। ତାକୁ କେହି କିଛି ବି କହିଲେ ସେ ବିଶ୍ୱାସ କରିଯାଏ। ଥରେ କସ୍ତୁରୀଙ୍କ ବାପା କହିଲେ,‘‘ତୋ ପାଇଁ ଗୋଟେ ପୋଷା ବାଘ ନେଇଆସିବା। ତୁ ତାକୁ ନେଇ ଚରେଇବାକୁ ଯିବୁ।’’ ତା’ ପରଠୁ କେବେ ବାଘ ଆସିବ, କେବେ ବାଘ ଆସିବ ବୋଲି ପଚାରି ପଚାରି ସେ ଅସ୍ତବ୍ୟସ୍ତ କରିଦେଲା। ଚନ୍ଦନ ପାଇଁ ଦୁନିଆର ସବୁଠୁ ଦାମୀ ଉପହାର ଥିଲା ଚିକେନ୍ ରୋଲ୍। ଖୁବ୍ ଖୁସିରେ ଖାଉଥିଲା ସେ। ଆମେ କସ୍ତୁରୀ ଘରକୁ କେବେ ବୁଲିବାକୁ ଗଲେ ଦିଦି ଦିଦି କହି ପଛରେ ପଡ଼ିଥିବ। ଘରେ କାହା ଜନ୍ମଦିନ ପାଳନ ହେବାର ଥିଲେ ସବୁଠୁ ଅଧିକ ଖୁସି ହୁଏ ସେ। ନିଜେ ନାଚିବାରେ, ରିଲ୍‌ସ୍ କରିବାରେ ଓ ଅନ୍ୟକୁ ହସେଇବାରେ ତା’ର ଭାରି ଆନନ୍ଦ। ତା’ର ସବୁଠାରୁ ପ୍ରିୟ ଗୀତ ଥିଲା ‘ରସବତୀ ବିଳାସ’। ଘର ଝାଡୁପୋଛା କଲାବେଳେ କାମ ଅପେକ୍ଷା ଝାଡୁ ଧରି ନାଚିବାରେ ତା’ର ବେଶୀ ମନ। ସ୍ନେହ, ସରଳତା ଆଉ ନିରୀହପଣିଆରେ ସେ ସବୁରି ହୃଦୟ ଜିତିଥିଲା। ଚନ୍ଦନ ଥିଲା ସ୍ୱାଇଁ ପରିବାରର ହୃଦୟ ଆଉ ଆତ୍ମା।
ଦୁଇବର୍ଷ ପୂର୍ବରୁ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହର୍ ଘର୍ ତ୍ରିରଙ୍ଗା’ର ଡାକରା ଦେଇଥିଲେ। ଛାତ ଉପରେ ତ୍ରିରଙ୍ଗା ଉଡ଼ାଇବା ଲାଗି ଘରେ ସବୁଠାରୁ ଅଧିକ ଉତ୍ସାହିତ ଥିଲା ଚନ୍ଦନ। ପୂର୍ବଦିନରୁ ଘର ଛାତରେ ପାଣିଟାଙ୍କି ପାଇଁ ତିଆରି ହୋଇଥିବା ଘର ଉପରକୁ ଚଢ଼ି ପାଇପରେ ପତାକା ବାନ୍ଧି ଦେଇଥିଲା। କସ୍ତୁରୀକୁ ଭିଡିଓ କଲ୍ କରି ପତାକା ବନ୍ଧା ଦେଖେଇଲା। ଏଥିରେ ତା’ର ଖୁସି କହିଲେ ନ ସରେ! 
ଅଗଷ୍ଟ ୧୫ ତାରିଖ ସକାଳ। ପୂର୍ବଦିନ ରାତିସାରା ବର୍ଷା ହୋଇ ରାସ୍ତାଘାଟ, ବାଡ଼ିବଗିଚା, ଘରଛାତ ସବୁଆଡ଼ ଓଦା ପଚପଚ। ସାଧାରଣତଃ ଅନ୍ୟଦିନମାନଙ୍କରେ ବିଳମ୍ବରେ ଉଠୁଥିବା ଚନ୍ଦନ ସେଦିନ କିନ୍ତୁ ବଡ଼ିଭୋରରୁ ଉଠି ପଡ଼ିଥିଲା। ତା’ ମନ ତ୍ରିରଙ୍ଗାଠି ଥାଏ। ସକାଳୁସକାଳୁ ପତାକା ଦେଖିବାକୁ ଛାତ ଉପରକୁ ଚାଲିଗଲା। ତାକୁ ଲାଗିଲା ପତାକାଟି ଟିକେ ବଙ୍କା ହେଇଯାଇଛି। ସେ ସିଧା ଚଢ଼ିଗଲା ପାଣିଟାଙ୍କି ଛାତ ଉପରକୁ। ବର୍ଷାପାଣିରେ ଶିଉଳି ଲାଗି ଛାତଟା ଖସଡ଼ା ହୋଇକି ଥିଲା। ହଠାତ୍ ଚନ୍ଦନର ଗୋଡ଼ ଖସିଗଲା। ତିନିତାଲା ଉଚ୍ଚ ଛାତରୁ ସେ ସିଧା ଆସି ପଡ଼ିଲା ତଳେ। ତାକୁ ସଙ୍ଗେସଙ୍ଗେ ଡାକ୍ତରଖାନା ନିଆଗଲା। କସ୍ତୁରୀଙ୍କ ଘରର ସମସ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ। କିନ୍ତୁ ସେମାନେ ଚନ୍ଦନକୁ ବଞ୍ଚାଇପାରିଲେ ନାହିଁ। ମାତ୍ର ଛବିଶ ବର୍ଷ ବୟସରେ ସେ ଆଖି ବୁଜିଦେଲା।

ଚନ୍ଦନର ଆକସ୍ମିକ ମୃତ୍ୟୁରେ କସ୍ତୁରୀ ଘରଲୋକେ ପୂରା ଭାଙ୍ଗିପଡ଼ିଥିଲେ। ମୁଁ ସାଧାରଣତଃ, କୌଣସି ସୁଖପ୍ରଦ ମୁହୂର୍ତ୍ତରେ ଅଧିକ ଉତ୍‌ଫୁଲ୍ଲିତ କିମ୍ବା ଦୁଃଖଦ ପରିସ୍ଥିତିରେ ଅତି ବିଚଳିତ ହୁଏନାହିଁ। ସେଥିଲାଗି ଅନେକ ଭାବନ୍ତି, ମୁଁ ସ୍ବଭାବତଃ କଠୋର। ମୋ ଭିତରେ କୌଣସି ଭାବପ୍ରବଣତା ନାହିଁ। କିନ୍ତୁ ସେଦିନ ଚନ୍ଦନର ଚାଲିଯିବା ଖବର ମୋତେ ଅସ୍ୱାଭାବିକ ଭାବରେ ପ୍ରଭାବିତ କରିଥିଲା। ଭାବୁଥିଲି, କାହିଁକି ଭଲ ଲୋକମାନେ ହିଁ ଆମକୁ ଶୀଘ୍ର ଛାଡ଼ି ଚାଲିଯାଆନ୍ତି? ଚନ୍ଦନ ତା’ ଜୀବନର ସୀମିତ ସମୟ ଭିତରେ କେତେ ଲୋକଙ୍କ ହୃଦୟକୁ  ଛୁଇଁ ଯାଇଥିଲା ଆଉ ଆମକୁ କେତେ କଥା ଶିଖାଇ ଦେଇଗଲା! ଛୋଟଛୋଟ ଖୁସିରେ ସନ୍ତୁଷ୍ଟ ରହିବା, ସବୁ ସମୟରେ ସମସ୍ତଙ୍କୁ ଖୁସି ବାଣ୍ଟିବା... ଏମିତି ଅନେକ ଛୋଟବଡ଼ କଥା! ଆମେ ଜାଣିନେ ଆମ ପାଖରେ ଆଉ କେତେ ସମୟ ବାକି ଅଛି। ଏହା ବି ଆମକୁ ଅଜଣା, ଆମ ଚଉହଦିରେ ଥିବା ଚିହ୍ନାଅଚିହ୍ନା ମଣିଷମାନେ ଆଉ କେତେ ସମୟ ପାଇଁ ଆମ ସାଙ୍ଗରେ ଅଛନ୍ତି। ଯଦି ଆମ ପାଖରେ କିଛି ଅଛି, ତା’ ହେଉଛି କେବଳ ‘ଆଜି’। ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ମନଭରି ଉପଭୋଗ କରିବା। ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବା ଏବଂ ଜୀବନରେ ସବୁକଥାରେ ଖୁସି ସାଉଁଟିବା। କାରଣ କାଲି କ’ଣ ଘଟିବ, ଆମେ କେହି ଜାଣିନେ!