ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ କ୍ଷେତ୍ର ପସ୍ତୁତ, ରାତି ପାହିଲେ ୬୦ ଲକ୍ଷ ମତଦାତା କରିବେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଅବସରରେ ଓଡ଼ିଶାରେ ଗୁରୁବାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହାରି ଅନ୍ତଗର୍ତ ୨୮ଟି ବିଧାନସଭା ଆସନରେ ମତଦାନ ହେବ। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାନ ଜାରି ରହିବ।

ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ ୬୦ ଲକ୍ଷ ୩ ହଜାର ୭୦୭ ଭୋଟର (୨୯ ଲକ୍ଷ ୭୨ ହଜାର ୯୨୫ ଜଣ ପୁରୁଷ, ୩୦ ଲକ୍ଷ ୩୦ ହଜାର ୨୨୨ଜଣ ମହିଳା ଏବଂ ୫୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର) ମତାଧିକାର ସାବସ୍ତ୍ୟ କରିବେ। ଏଥିପାଇଁ  ପ୍ରାୟ ୪୭,୮୦୫ ସରକାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ସବୁ ଅଂଚଳ ମାଓବାଦୀ ଅଧ୍ୟୁଷିତ ହୋଇଥିବାରୁ ସେଥିପାଇଁ ଅଧିକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି।

photo by : steemit.com

ଚାରୋଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨୬ ଜଣ (୨୪ ଜଣ ପୁରୁଷ ଓ ୨ ଜଣ ମହିଳା)ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ଜାତୀୟ ସ୍ତରୀୟ ଦଳ ,୪ ଜଣ ରାଜ୍ୟ ସ୍ତରୀୟ ଦଳ ଏବଂ ୭ ଜଣ ଅନ୍ୟ ଦଳର ପ୍ରାର୍ଥୀ ହୋଇଥିବାବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ।

ସେହିପରି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନକୁ ଯାଉଥିବା ୨୮ଟି ବିଧାନସଭା ଆସନ ପାଇଁ ମୋଟ ୧୯୧ ଜଣ (୧୭୬ ଜଣ ପୁରୁଷ ଓ ୧୬ ଜଣ ମହିଳା) ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭୯ ଜଣ ଜାତୀୟ ସ୍ତରୀୟ ଦଳର ହୋଇଥିବା ବେଳେ ୨୮ ଜଣ ରାଜ୍ୟ ସ୍ତରୀୟ ଏବଂ ୩୮ ଜଣ ଅନ୍ୟ ଦଳର। ଏହାଛଡ଼ା ୪୬ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

ପ୍ରଥମ ପର୍ଯ୍ୟାୟ ମତଦାନ

କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ:
ଭବାନୀପାଟଣା, ଜୟପାଟଣା, ଜୁନାଗଡ଼, ଖଡିଆଲ, ନୂଆପଡା, ଲାଞ୍ଜିଗଡ଼, ଧର୍ମଗଡ଼ ବିଧାନସଭା ଆସନ

ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ:
ନବରଙ୍ଗପୁର, ଝରିଗାଁ, ମାଲକାନଗିରି, ଉମରକୋଟ, ଡାବୁଗାଁ, ଚିତ୍ରକୋଣ୍ଡା, କୋଟପାଡ ବିଧାନସଭା ଆସନ

ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ:
ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି, ଗୋପାଳପୁର, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନ

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ:
କୋରାପୁଟ, ଜୟପୁର, ଲକ୍ଷ୍ମୀପୁର, ପଟାଙ୍ଗୀ, ରାୟଗଡ଼ା, ଗୁଣପୁର, ବିଷମକଟକ ବିଧାନସଭା ଆସନ

ସମ୍ବନ୍ଧିତ ଖବର