ଭୁବନେଶ୍ୱର (ସୁବ୍ରତ ଦାସ) : ବହୁ ପ୍ରତୀକ୍ଷିତ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ୪ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଥିବାରୁ ରାଜନୈତିକ ବାତାବରଣ ସରଗରମ ହୋଇପଡ଼ିଛି।
ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ଅଭିଯାନର ପୁରୋଭାଗରେ ଅଛନ୍ତି ନିଜେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏକ ଅତ୍ୟାଧୁନିକ ବସ୍ରେ ବସି ଗତ ୫ ଦିନ ଧରି ନିର୍ବାଚନ ପ୍ରଚାର କରୁଛନ୍ତି।
ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶାକୁ ଫୋକସ୍ରେ ରଖି ଗତ ମାସକ ମଧ୍ୟରେ ତିନି ତିନ ଥର ପ୍ରଚାରରେ ଆସିଲେଣି।
ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇଥର ପ୍ରଚାରରେ ଆସି ୪ଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇସାରିଲେଣି। ପ୍ରତିକୂଳ ପାଗ ଯୋଗୁଁ ତାଙ୍କର ଆଜି ଆସିବାକୁ ଥିବା ଗସ୍ତକ୍ରମ ପୁଣି ବାତିଲ ହୋଇଥିଲେ ମଧ୍ୟ ଖୁବ୍ ଶୀଘ୍ର ପୁଣି ସେ ଓଡ଼ିଶା ଆସିବେ ବୋଲି ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି। ଲୋକସଭା ନିର୍ବାଚନ ସାଂଗକୁ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଏହି ରାଜ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଥିବା ବିଷୟ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ।
/sambad/media/post_attachments/wp-content/uploads/2019/04/modi-laturjpg.jpg)
ତିନୋଟି ଯାକ ପ୍ରମୁଖ ରାଜନୈତିକ ଦଳ ରାଜ୍ୟର ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ମନଲୋଭା ପ୍ରତିଶ୍ରୁତିମାନ ସେମାନଙ୍କର ନିର୍ବାଚନୀ ଇସ୍ତାହାରରେ ଦେଇଛନ୍ତି। ଆଜି ସଂଧ୍ୟାରେ ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳ କ୍ଷମତାକୁ ଆସିଲେ କାଳିଆ କମିଶନ ଗଠନ କରିବ ବୋଲି ଘୋଷଣା କରିଛନ୍ତି। ଗତ ୨୦୧୪ ନିର୍ବାଚନ ବେଳେ ତାଙ୍କ ଦଳ ପକ୍ଷରୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ ହୋଇଥିବା ଦାବି କରି ଏଥର ସେ ପୁଣି କ୍ଷମତାକୁ ଆସିଲେ ଯୁବ, ମହିଳା ଓ କୃଷକଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି, ଜମିହୀନକୁ
ସ୍ଥାୟୀ ଜମି ପଟ୍ଟା ପ୍ରଦାନ, ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା, ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ଏବଂ ସବୁ ଜମିକୁ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।
କେନ୍ଦ୍ରରେ ମୋଦୀ ସରକାର ବହୁ ଲୋକ କଲ୍ୟାଣ ମୂଳକ ପଦକ୍ଷେପ ନେଇଛି ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି। କୃଷକମାନଙ୍କୁ କୃଷିଜାତ ଦ୍ରବ୍ୟ ପାଇଁ ସର୍ବାଧିକ ସହାୟକ ମୂଲ୍ୟ ଦିଆଯାଇଛି ବୋଲି ସଜ୍ଜନ ଶର୍ମା ଦାବି କରିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ପ୍ରତିଶ୍ରୁତି ଦେଇଛି ଯେ, ଏହା ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବ ଏବଂ ଅଣ ଜଳସେଚିତ ଜମିରେ ଜଳସେଚନ ପାଇଁ କୃଷକମାନଙ୍କୁ ମାଗଣାରେ ସୌର ଚାଳିତ ପମ୍ପ୍ ଦେବ। ତା’ଛଡ଼ା ଛଡ଼ା କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବାକୁ ୫ ବର୍ଷ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବ।
/sambad/media/post_attachments/wp-content/uploads/2019/03/niranjan-2.jpg)
ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରକୁ ମାସିକ ୬ ହଜାର ଟଙ୍କା (ବର୍ଷକୁ ୭୨ ହଜାର ଟଙ୍କା) ଆର୍ଥିକ ସହାୟତା ଦିଆଯିବ ଏବଂ ଏହି ଟଙ୍କା ପରିବାରର ମହିଳା ସଦସ୍ୟଙ୍କ ବ୍ୟାଙ୍କ୍ ଖାତାରେ ଜମା କରାଯିବ। ମହିଳାଙ୍କ ଉପରେ ଅତ୍ୟାଚାର ରୋକିବା ପାଇଁ ପଦକ୍ଷେପ ନିଆଯିବ ଏବଂ ଏଥିଲାଗି ପ୍ରତି ପଞ୍ଚାୟତରେ ସେବା ମିତ୍ର ନିଯୁକ୍ତି ଦିଆଯିବ। ଏହାଛଡ଼ା ବିଧବା ମହିଳାଙ୍କୁ ୨ ହଜାର ଟଙ୍କା ଲେଖାଏଁ ଭତ୍ତା ଦିଆଯିବ ବୋଲି ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି। ଏତଦ୍ବ୍ୟତୀତ ଜଙ୍ଗଲରେ ବସବାସ କରୁଥିବା ଅଧିବାସୀମାନଙ୍କୁ ଜମି ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଅଧିକାର ଦିଆଯିବ ବୋଲି ସେ କହିଛନ୍ତି।
ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆଉ ମାତ୍ର ଦିନେ ବାକି ରହିଥିବାରୁ ୨୬ ଜଣ ଲୋକସଭା ଏବଂ ୧୯୧ ଜଣ ବିଧାନସଭା ପ୍ରାର୍ଥୀଙ୍କର ଉତ୍କଣ୍ଠା ବେଶ୍ ବଢ଼ିଯାଇଛି।