ମାଛ ତରକାରୀ ବିଲେଇ ଖାଇଦେଲା ବୋଲି…ଶାଶୂ-ଶ୍ବଶୁରଙ୍କ ଗାଳି ଅସହ୍ୟ ହେଲା, କୂଅକୁ ଡେଇଁ‌ ବୋହୂର ଆତ୍ମହତ୍ୟା!

ଛତ୍ରପୁର: ମାଛ ତରକାରୀ ବିଲେଇ ଖାଇଦେବାରୁ ଶାଶୂଶ୍ବଶୁରଙ୍କ ଗାଳି ସହି ନପାରି କୂଅକୁ ଡେଇଁ ଆତ୍ମହତ୍ୟା କଲା ବୋହୂ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକଜଣକ ହେଲେ, ଭଗବାନ ସେଠୀଙ୍କ ପତ୍ନୀ ମମତା ସେଠୀ।

ସ୍ବାମୀ ଭଗବାନ ଚେନ୍ନାଇରେ ଦାଦନ ଖଟୁଥିବା ମମତା ତାଙ୍କ ଦୁଇ ସନ୍ତାନ ଓ ଶ୍ବଶୁର ଲକ୍ଷ୍ମଣ ଏବଂ ଶାଶୂ ନୀଳଙ୍କ ସହ ରହୁଥିଲେ। ଗତକାଲି ରାତିରେ ମମତା ମାଛ ତରକାରୀ କରିଥିଲେ। ହେଲେ ଏକ ବିଲେଇ ହଠାତ୍ ତରକାରୀ ଖାଇଦେବାରୁ ଶାଶୂଶ୍ବଶୂର ଓ ମମତାଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଛି। ସାମାନ୍ୟ ମାଛ ତରକାରୀଙ୍କୁ ନେଇ ମମତାଙ୍କୁ ଶାଶୁ ନୀଳ ଓ ଶ୍ବଶୁର ଲକ୍ଷ୍ମଣ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଇଥିଲେ। ଆଉ ମମତା ମାନସିକ ଭାବେ ଭାଙ୍ଗି ପଡ଼ି ରାତିରେ ଘର ସାମ୍ନାରେ ଥିବା କୂଅ ଭିତରକୁ ଡେଇଁ ପଡ଼ିଥିଲେ। କୂଅ ଅଧିକ ଗଭୀର ହୋଇଥିବାରୁ ମମତାଙ୍କୁ ଉଦ୍ଧାର କରିବା ଗ୍ରାମବାସୀଙ୍କ ପକ୍ଷେ ସମ୍ଭବପର ହୋଇପାରି ନଥିଲା।

ଛତ୍ରପୁର ଅଗ୍ନିଶମ ବିଭାଗର ଆଇଏଫ୍ଏମ୍ ଅଭିରାମ ନାଇକ, ଫାୟାରମ୍ୟାନ୍ ୟୁ.କେ.ମୁଗ୍ରି, ଏସ୍‌.ବାସୁରୁଦ୍ଦିନ୍, କେ.ସି.ପରିଡ଼ା, ଡି.କେ.ଦାସ ଓ ଆର୍.ଦାସ ପ୍ରମୁଖ ରାତି ୧୨ଟାରେ ପହ‌ଞ୍ଚି ମମତାଙ୍କୁ ମୃତାବସ୍ଥାରେ କୂଅ ଭିତରୁ ଉଦ୍ଧାର କରିଥିଲେ।  ଚମାଖଣ୍ତି ପୁଲିସ ପହ‌ଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସେପଟେ ମମତାଙ୍କୁ ଶାଶୂଶ୍ବଶୁର ଯୌତୁକ ନିର୍ଯାତନା ଦେଇ ଆସୁଥିଲେ ବୋଲି ବାପା ପୂର୍ଣ୍ଣଚନ୍ଦ୍ର ସେଠୀ ଚମାଖଣ୍ତି ଥାନାରେ ଏତଲା ଦେଇଛନ୍ତି। ଏନେଇ କେସ୍ ନମ୍ବର ୧୪ ଅନୁସାରେ ଏକ ମାମଲା ରୁଜୁ ସହ ଶାଶୂଶ୍ବଶୁରଙ୍କ ଅଟକ ରଖାଯାଇଛି ବୋଲି ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧତା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମମତାଙ୍କ ମୃତ୍ୟୁ ଖବର ପାଇଁ ସ୍ବାମୀ ଭଗବାନ ଆଜି ଚେନ୍ନାଇରୁ ଫେରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର