ଘର ଭିତରେ ଫୁଟିଲା ବୋମା: ୫ ଗୁରୁତରଙ୍କୁ ଏମ୍‌କେସିଜିରେ ଭର୍ତ୍ତି, ୨ ଆହତ

ବେଗୁନିଆପଡ଼ା: ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡ଼ି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୭ ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ (ଏମକେସିଜି)କୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଅନ୍ୟ ୨ ଜଣଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ତ୍ରିପୁରାରୀ ବେହେରା, ଶ୍ରୀହରି ବେହେରା, ବିଷ୍ଣୁ ବେହେରା, ବଳରାମ ବେହେରା ଓ ମିଥୁନ ବେହେରା।

ସୂଚନା ଅନୁସାରେ ଆଜି ଅପରାହ୍ନରେ କୋଦଳା ଥାନା ବେରୁଆଁବାଡ଼ି ଗ୍ରାମ ସିଅଳସାହିର ଦଣ୍ଡପାଣି ବେହେରାଙ୍କ ଘରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଦଣ୍ଡପାଣି ବେହେରାଙ୍କର ୪ ପୁଅ, ଜଣେ ଭାଇ ଓ ୨ ପୁତୁରା ଗୁରୁତର ଆହତ ହୋଇଛନ୍ତି। ସୂଚନା ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚିଛି। ପୁଲିସ ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ଘଟଣାର ତଦନ୍ତ କରୁଛି। ଘର ଭିତରକୁ ବୋମା ଆସିଲା କେମିତି? ଦଣ୍ଡପାଣି ବେହେରା ବୋମା କାରବାର କରୁଥିଲେ କି ଏସବୁ ଉପରେ ସନ୍ଦେହ କରୁଛି ପୁଲିସ।

ସମ୍ବନ୍ଧିତ ଖବର