ନିର୍ମାଣଧୀନ ସେଫଟି ଟାଙ୍କିରେ ପଡ଼ି ୫ ବର୍ଷ ବୟସର ଶିଶୁର ମୃତ୍ୟୁ

ରାଉରକେଲା: ପାନପୋଷ କୋଏଲ ବ୍ୟାଙ୍କ ଖରିଆବାହାଲ ଜମିଆ କଲୋନିରେ ରବିବାର ନିର୍ମାଣଧୀନ ସେଫଟି ଟାଙ୍କିରେ ପଡି ଜଣେ ୫ ବର୍ଷ ବୟସ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ଅନିଶ ସାହୁ। ସୂଚନା ଅନୁସାରେ ରଘୁନାଥପାଲି ଥାନା ଅନ୍ତର୍ଗତ ଜମିଆ କଲୋନିରେ ଆଜି ପୂର୍ବାହ୍ନ ପ୍ରାୟ ୯ଟାର ଅନିଶ ଆଉ ଜଣେ ସାଙ୍ଗ ସହିତ ସେଫଟି ଟାଙ୍କି ନିକଟରେ ଖେଳୁଥିଲା। କୌଣସି କାରଣରୁ ସେ ସେଫଟି ଟାଙ୍କି ଭିତରେ ପଡ଼ିଯାଇଥିଲା। ସେଫଟି ଟାଙ୍କି ପାଣି ପୂର୍ଣ୍ଣ ଥିଲା। ଫଳରେ ସେ ବୁଡ଼ି ଯାଇଥିଲା।

ପରିବାର ଲୋକେ ବହୁ ଖୋଜାଖୋଜି ପରେ ନ ପାଇବାରୁ ଅନିଶ ସାଙ୍ଗରେ ଖେଳୁଥିବା ପିଲାକୁ ପଚାରି ଥିଲେ। ଏହା ପରେ ଅନିଶକୁ ସେଫଟି ଟାଙ୍କି ଭିତରୁ ମୃତ ଅବସ୍ଥାରେ ବାହାର କରାଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଅନିଶ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇ ପଠାଇଥିଲା। ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଏଠାରେ ପ୍ରାୟ ୩-୪ ବର୍ଷ ହେବ ଏକ ନିର୍ମାଣଧୀନ ଘର କାମ ଚାଲିଛି। ଏହା ଅଧାପନ୍ତରିଆରେ ରହିଛି। ନିର୍ମାଣଧୀନ ଘର ପାଖରେ ଥିବା ସେଫଟି ଟାଙ୍କି ମଧ୍ୟ ଖୋଲାରେ ଅଛି। ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇ ନାହିଁ। ନିକଟରେ ବର୍ଷା ହେବାରୁ ସେଫଟି ଟାଙ୍କିରେ ପାଣି ପୂର୍ଣ୍ଣ ଥିଲା। ତେଣୁ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଦୃଷ୍ଟି ଦେବାର ଥିଲା। ସୁରକ୍ଷା ବ୍ୟବସ୍ଥା ଠିକ ଥିଲେ ଶିଶୁର ମୃତ୍ୟୁ ଘଟି ନ ଥାନ୍ତା।

ସମ୍ବନ୍ଧିତ ଖବର