କାଲିମେଳା: ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲିଠାରୁ ଲଗାଣ ବର୍ଷା ହେବା ଯୋଗୁଁ କାଲିମେଳା ବ୍ଳକ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି । ଫଳରେ ଲୋକମାନେ ଏକ ପ୍ରକାର ଜଳବନ୍ଦୀ ଭାବରେ ରହିବାକୁ ବାଧ୍ୟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ କାଲିମେଳାରେ ସର୍ବାଧିକ ୧୨୭ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି । ତେଣୁ ଲଗାଣ ବର୍ଷା ଯୋଗୁଁ ପୋଟେରୁ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ପୋଟେରୁ ନଦୀରେ ବନ୍ୟାପାଣି ଆସିବା ଯୋଗୁଁ ପୋଲ ଉପରେ ୧୦ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ପୋଟେରୁ ଗ୍ରାମ ଭିତରେ ବନ୍ୟାଜଳ ପ୍ରବେଶ କରି ଅନେକ ଦୋକାନ ଘର ନଷ୍ଟ କରିଦେଇଛି । ଲୋକମାନେ ନିଜ ନିଜର ଜିନିଷପତ୍ର ଧରି ଉଚା ସ୍ଥାନକୁ ଚାଲିଯାଉଥିବାର ଦେଖିବାକୁ ମିଳିଛି । 

Advertisment

ସେହିପରି କାଂଗୁରକୋଣ୍ଡା ପୋଲ ଉପରେ ୧୨ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ଜାତୀୟ ରାଜପଥ ବନ୍ଦ ରହିଛି । କାଂଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ ଚାଲୁଥିବାରୁ ଏହାର ପଛୁଆ ଜଳରେ କାଂଗୁରକୋଣ୍ଡା ବଜାର ବୁଡ଼ିଯାଇଛି । ବଜାରରେ ଥିବା ବିଭିନ୍ନ ଘର ଓ ଦୋକାନ ଭିତରେ ପାଣି ପଶିଯାଇଥିବାର ଦେଖିବାକୁ ମିଳିଛି । ସକାଳୁ ସକାଳୁ ପାଣି ଧୀରେ ଧୀରେ ବଢ଼ି ଚାଲିଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେହିପରି କାଂଗୁରକୋଣ୍ଡା ପଂଚାୟତ ଅନ୍ତର୍ଗତ ଏମପିଭି-୨୨ ଗ୍ରାମର ୩ଟି ଘରେ ବନ୍ୟାଜଳ ପ୍ରବେଶ କରିବାରୁ ସେମାନେ ଉଚା ସ୍ଥାନକୁ ଚାଲିଯାଇଛନ୍ତି । ଏହି ଗ୍ରାମଟି କାଂକୁରକୋଣ୍ଡା ନାଳ ନିକଟରେ ଅବସ୍ଥିତ ଥିବାରୁ  ଗ୍ରାମର ତଳୁଆ ଅଂଚଳରେ ବନ୍ୟାଜଳ ପଶିଯାଇଛି ।

 ବନ୍ୟା ଯୋଗୁଁ ବେଶି ପ୍ରଭାବିତ ହୋଇଛି ଭେଜାଙ୍ଗିବାଡ଼ା ପଂଚାୟତ ଅନ୍ତର୍ଗତ ଏମପିଭି-୧୬ ଗ୍ରାମ । ଏହି ଗ୍ରାମରେ ଆଜି ଭୋର ସମୟରେ ବନ୍ୟାପାଣି ପ୍ରବେଶ କରିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଛନ୍ତି । ଗ୍ରାମର ଚାରିପଟେ ବନ୍ୟାପାଣି ଘେରି ଯିବାରୁ ଗ୍ରାମବାସୀମାନେ ବାହାରକୁ ବାହାରି ପାରି ନଥିଲେ । ଏ ସଂପର୍କରେ ସେମାନେ ପ୍ରଶାସନକୁ ଜଣାଇବାପରେ ଆଜି ସକାଳୁ ଜିଲ୍ଲାପାଳ ନିଜେ ଏହି ଗ୍ରାମକୁ ଗସ୍ତ କରି ଲୋକମାନଙ୍କୁ କିପରି ସୁରକ୍ଷିତ ଭାବରେ ଉଦ୍ଧାର କରାଯିବ ସେ ଉପରେ ଗୁରତ୍ୱ ଦେଇଥିଲେ ।

ମାଲକାନଗିରି ରୁ କାଲିମେଳାକୁ ସୋଂଯାଗ କରୁଥିବା ଜାତୀୟ ରାଜପଥର ପୋଟେରୁ, କାଂଗୁରକୋଣ୍ଡା ପୋଲ ବୁଡ଼ିଯାଇଥିବାରୁ ଜିଲ୍ଲାପାଳ ବାଲିମେଳା ଦେଇ ଏମପିଭି-୧୬ ଗ୍ରାମରେ ପହଁଚିଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶରେ ତୁରନ୍ତ ସେମାନଙ୍କୁ କାଲିମେଳାରୁ ଅଗ୍ନିଶମ ବାହିନୀ ପାୱାର ବୋଟ ସାହାଯ୍ୟରେ ଉଦ୍ଧାର କରି ନିକଟସ୍ଥ ଏମପିଭି-୨୦ ପ୍ରାଥମିକ ବିଦ୍ୟାଳୟରେ ଆଣି ରଖିବାର ବ୍ୟବସ୍ଥା କରିଥିଲେ । ଏମପିଭି-୧୬ ଗ୍ରାମର ୩୫ଟି ପରିବାରର ୮୦ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ଏହି ସ୍କୁଲରେ ଥଇଥାନ କରାଯାଇ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି ।

 କିଛି ଅସୁସ୍ଥ ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ କାଲିମେଳା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବାର ପଂଚାୟତ ନିର୍ବାହୀ ଅଧିକାରୀ ଗୋଲକ ପଟନାୟକ ଓ କାଲିମେଳା ସିଡ଼ିପିଓ ଅନ୍ନପୂର୍ଣ୍ଣା ବୁରୁଦା ସୂଚନା ଦେଇଛନ୍ତି । ଲଗାଣ ବର୍ଷା ଯୋଗୁଁ କାଲିମେଳା ବ୍ଳକ ଅନ୍ତର୍ଗତ ଏମଭି-୯୦, ଏମଭି-୯୬ ପୋଲ ବୁଡ଼ିଯିବାରୁ କାଲିମେଳାରୁ ମୋଟୁକୁ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି । ସେହିପରି କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ୫ଫୁଟରୁ ଅଧିକା ବନ୍ୟାଜଳ ଚାଲୁଥିବାରୁ କାଲିମେଳାରୁ ଛତିଶଗଡ଼ ଓ ପଡ଼ିଆ ବ୍ଳକକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି ।

 ଏଥି ଯୋଗୁଁ ବିଭିନ୍ନ ସ୍ଥାନରେ ଶହଶହ ଯାନବାହାନ ଅଟକି ରହିଥିବାର ଦେଖିବାକୁ ମିଳିଛି । ଗତକାଲି ଠାରୁ କାଲିମେଳା ବ୍ଳକରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଦୋକାନ ବଜାର ଓ ଡ଼େଲି ମାର୍କେଟ ଗୁଡ଼ିକ ମଧ୍ୟ ବନ୍ଦ ରହିଛି । ଫଳରେ ନିତ୍ୟବ୍ୟହାର୍ଯ୍ୟ ଜିନିଷ ପତ୍ରର ଅଭାବ ଦେଖାଦେଇଛି । ବନ୍ୟା ଯୋଗୁଁ ଜାତୀୟ ରାଜପଥ ବୁଡ଼ି ରହିଥିବାରୁ ଆନ୍ଧ୍ରରୁ କୌଣସି ମାଲବାହୀ ଗାଡ଼ି ଜିଲ୍ଲାକୁ ଆସିପାରୁନାହିଁ ।