ମାଲକାନଗିରି: ମାଲକାନଗିରି ଜିଲ୍ଲା ଏବେ ପୋଲାଭରମ ପ୍ରକଳ୍ପକୁ ଭୟ ଓ ଆଶଂକାରେ ରହିଛି। ଏହି ପ୍ରକଳ୍ପ ଯୋଗୁଁ ଗୋଦାବରୀ ନଦୀର ପଛୁଆ ପାଣି ମାଲକାନଗିରି ଜିଲ୍ଲାକୁ ବୁଡାଉଛି। ଏପରିକି ପ୍ରତିବର୍ଷ ବନ୍ୟା ଆସୁଛି। ଏହାର ସ୍ଥାୟୀ ସମାଧାନ ନା ଆନ୍ଧ୍ର କରୁଛି ନା କେନ୍ଦ୍ର ସରକାର ଏନେଇ କୌଣସି ପଦକ୍ଷେପ ନେଉଛନ୍ତି। ଏନେଇ ବିଭିନ୍ନ ରାଜନୈତିକ ଦଳ ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଦାବି ଉଠାଉଥିବା ବେଳେ ଯଦି ହେବ ତେବେ ଏହାର ଉଚ୍ଚତା କମାଇବା ପାଇଁ ଦାବି କରାଯାଉଛି। କିନ୍ତୁ କେହି ଶୁଣୁନଥିବାରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜଣାପଡିଛି।

Advertisment

 ଗତ ୨୦୦୬ରେ ହୋଇଥିବା ଭୟଙ୍କର ବନ୍ୟା ଲୋକଙ୍କୁ ଆଜି ବି ଭୟଭୀତ କରି ରଖିଛି। ସେତେବେଳେ ଜିଲ୍ଲାର ପଡିଆ ବ୍ଲକ,କାଲିମେଳା ବ୍ଲକ ଏବଂ ମାଥିଲି ବ୍ଲକର ଶତାଧିକ ଗ୍ରାମର ପାଣି ଘେରରେ ରହିଥିଲା। ବହୁ ଧନ ଜୀବନ ନଷ୍ଟ ହେବା ସହ ସରକାରଙ୍କର କୋଟି କୋଟି ଟଂକାର ରାସ୍ତା ଘାଟ,ବ୍ରିଜ ଇତ୍ୟାଦି ମଧ୍ୟ ନଷ୍ଟ ହୋଇଥିଲା। ଏପରିକି କେବଳ ମାଲକାନଗିରି ନୁହେଁ ବରଂ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଏବଂ କୁନ୍ଦୁରା ବ୍ଲକର ମଧ୍ୟ ପ୍ରବଳ କ୍ଷତି ହୋଇଥିଲା। ଚଳିତ ବର୍ଷ ମଧ୍ୟ ମାଲକାନଗିରି ଜିଲ୍ଲାବାସୀ ବନ୍ୟାର ବିଭିଷିକା ଦେଖିଥିଲେ। ଯେଉଁ କ୍ଷତି କି ଆଜି ପର୍ଯ୍ୟନ୍ତ ଲୋକେ ପାଇପାରିନାହାନ୍ତି। ତେବେ ଗତ ୨୦୦୬ରେ ହୋଇଥିବା ବନ୍ୟା ଦ୍ବାରା ବହୁ ଲୋକଙ୍କର କ୍ଷୟକ୍ଷତି ହୋଇଥିବା ବେଳେ ଆଜି ବି ଲୋକେ କ୍ଷତିପୂରଣ ଦାବି କରିଆସୁଛନ୍ତି। ସେତେବେଳେ ମାଥିଲି ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଂଜନ ସେତେବେଳର ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂଙ୍କୁ ପତ୍ର ଲେଖି ବିଭିନ୍ନ ଦାବି ପୂରଣ କରିବାକୁ ଏକ ସ୍ମାରକ ପତ୍ର ଦେଇଥିଲେ।

ସେଥିରେ ୧୨ଟା ଦାବି ରହିଥିଲା। ସେହି ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ ତୁରନ୍ତ ଦୈନନ୍ଦିନ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରାଯିବା ସହ ତୁରନ୍ତ ଏମଜିଏନଆରଜିଏର କାମ ଯୋଗାଇ ଦେବାକୁ କୁହାଯାଇଥିଲା। ଏହି ବନ୍ୟାରେ ବହୁ ଆଦିବାସୀ ଲୋକଙ୍କର କ୍ଷତି ହୋଇଥିଲା। ସେମାନଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଥିଲା। ଏଥିସହ ବନ୍ୟାରେ କ୍ଷତି ହୋଇଥିବା ରାସ୍ତା,ବ୍ରିଜ,ସ୍କୁଲ,ଅଫିସ,ସରକାରୀ କୋଠାଘରକୁ ମଧ୍ୟ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଦାବି କରାଯାଇଥିଲା। ଯାହା କିଛି ମାତ୍ରାରେ ଜିଲ୍ଲା ପ୍ରଶାସନ କ୍ଷତିପୂରଣ କରିବାରେ ସଫଳ ହୋଇଥିଲା। ତେବେ ସବୁଠାରୁ ବଡ ଦାବି ଥିଲା ପ୍ରତ୍ୟେକ ବ୍ଲକରେ ଗୋଟିଏ ଗୋଟିଏ ଡିଗ୍ରୀ କଲେଜ ଖୋଲିବା ପାଇଁ। କିନ୍ତୁ ହୋଇପାରିନଥିଲା। କୋଲାବ,ସପ୍ତଧାରା, ଗାରିଆଗଡ,ପୋଟେରୁ,ସାବେରୀ ଓ ସିଲେରୁ ନଦୀ କୂଳରେ ବାଉଁଶ,ଆମ୍ବ,ଲେମ୍ବୁ,ପିଜୁଳି,ତାଳ ଇତ୍ୟାଦି ବୃକ୍ଷ ଲଗାଇବାକୁ ଦାବି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସବୁ ଗଛ ଲଗାଯାଇପାରିଲା ନାହିଁ। ମାଲକାନଗିରି ବନ୍ୟା ପ୍ରଭାବିତ ଅଂଚଳ ହୋଇଥିବାରୁ ଆଦିବାସୀ ଚାଷୀଙ୍କର ଜମିକୁ ଉନ୍ନତି କରାଯାଉ। ପ୍ରତ୍ୟେକ ରାଜସ୍ବ ଏବଂ ହାମଲେଟ ଗ୍ରାମରେ ବିଦ୍ୟୁତ ସଂଯୋଗୀକରଣ କରାଯାଉ ବୋଲି ଦାବି ଉଠିଥିଲା। ଯାହା କିଛି ମାତ୍ରାରେ ସଫଳ ହୋଇଛି।

ଆଜି ବହୁ ବହୁ ଗ୍ରାମରେ ବିଦ୍ୟୁତ ସେବା ନାହିଁ। ପ୍ରତି ବ୍ଲକରେ ବାଳିକା ହାଇସ୍କୁଲ ଏବଂ ହୋଷ୍ଟେଲ ନିର୍ମାଣ ପାଇଁ କରାଯାଇଥିବା ଦାବି ଆଜି ବି ପୂରଣ କରାଯାଇ ପାରିନାହିଁ। ଜିଲ୍ଲାକୁ ରେଳପଥରେ ସଂଯୋଗ କରିବା ପାଇଁ କରାଯାଇଥିବା ଦାବୀ ପୂରଣ ହୋଇପାରିଲା ନାହିଁ। ୧୫୦ ଲୋକ ଥିବା ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ସେତେବେଳେ କରାଯାଇଥିବା ଏବେ ୧୯ ବର୍ଷ ପରେ ପୂରଣ ହେଉଥିବା ଦେଖିବାକୁ ମିଳୁଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଂଗପୁର ଠାରେ ଏକ ଏମସ୍ ହସପିଟାଲ ନିର୍ମାଣ ପାଇଁ ମଧ୍ୟ ତତ୍କାଳୀନ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂକୁ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିଲା ନାହିଁ। ଜିଲ୍ଲାରେ ପ୍ରତିବର୍ଷ ପୋଲାଭରମ ଯୋଗୁଁ ବନ୍ୟା ହେଉଥିଲେ ମଧ୍ୟ ଏଥିପାଇଁ ଜିଲ୍ଲାବାସୀ କରିଥିବା ଦାବିକୁ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର ଶୁଣୁଛନ୍ତି ବୋଲି ସାଧାରଣରେ ବେଶ ଅସଂତୋଷ ପ୍ରକାଶ ପାଇଛି।