ବୈଶିଙ୍ଗା: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ବୁଢ଼ାବଳଙ୍ଗ ନଦୀ l ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି l ଫଳରେ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି l ସେହିପରି ନଦୀ ସଂଲଗ୍ନ ଏକର ଏକର ପରିବା ଚାଷ ସମେତ ଧାନଚାଷ ଜମି ପାଣି ଘେରରେ l ଚିନ୍ତାରେ ନଦୀକୁଳିଆ ଶତାଧିକ ଗରିବ ଚାଷୀ l ଅନ୍ୟପଟେ ଲଗାଣ ବର୍ଷା ପବନରେ କୋଉଠି ଘର ଭାଙ୍ଗି ଜନଜୀବନ ନଷ୍ଟ ହେଲାଣି ତ ଆଉ କୋଉଠି ହଜାର ହଜାର ଅମୃତଭଣ୍ଡା ଗଛ ଭାଙ୍ଗି ତଳେ ଶୋଇଛି l 

Advertisment

ସୂଚନାଯୋଗ୍ୟ, ଆସନ୍ତାକାଲି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ l ୩ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାବେଳେ ଆସନ୍ତା କାଲି ମଧ୍ୟରେ ମଧ୍ୟ ଉପର ମୁଣ୍ଡା ସମେତ ବେତନଟୀ ବ୍ଲକ ଅଞ୍ଚଳରେ ପ୍ରାୟ ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ସ୍ଥାନେ ସ୍ଥାନେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି l ଗତ ୩ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ବେତନଟୀ ବ୍ଲକର ବୁଢ଼ାବଳଙ୍ଗ ନଦୀ ସଂଲଗ୍ନ ବିଭିନ୍ନ ତଳିଆ ଅଞ୍ଚଳ ଆଜି ସକାଳ ଠାରୁ ଜଳମଗ୍ନ ହେବାରେ ଲାଗିଛି l ଏମିତିକି ନାଖାରା ନିକଟରେ ମାଣତ୍ରୀ-ବୈଶିଙ୍ଗାର ବୁଢ଼ାବଳଙ୍ଗ ନଦୀ ଉପରେ ଥିବା ପୋଲ ଉପରକୁ ପାଣି ଉଠିବ ଉଠିବ ହେଲାଣି l

ପ୍ରାପ୍ତ ସୂଚନା ଅନୁଯାଇ କେବଳ ବେତନଟୀ ଅଞ୍ଚଳରେ ଗତ ୧୪ ତାରିଖରୁ ଆଜି ଯାଏଁ ଏହି ୭୨ ଘଣ୍ଟା ମଧ୍ୟରେ ୨୪୫ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ତେବେ ଉପରମୁଣ୍ଡାରେ ମାତ୍ରାଧିକ ବର୍ଷା ପ୍ରଭାବରେ ଏହି ବ୍ଲକ ଅଞ୍ଚଳ ଦେଇ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି l ଯୋଉଁଥିପାଇଁ ପ୍ରଶାସନର ମଧ୍ୟ ତତ୍ପରତା ବଢିଛି l ମୁଖ୍ୟତଃ ଏହି ବ୍ଲକ ଅଧୀନ ପାଟୁଳିପୁରା ପଞ୍ଚାୟତର ନାଖରା ପୋଲ ଉପରେ ସୋମବାର ଅପରାହ୍ନ ଦୁଇଟାରେ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ସହିତ ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ହେମକାନ୍ତ ସଏ l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଉପଜିଲ୍ଲାପାଳ ଈଶ୍ୱରଚନ୍ଦ୍ର ନାଏକ, ବିଡ଼ିଓ ଗୋପୀନାଥ ଖାଖା, ତହସିଲଦାର ସୁରଥଚନ୍ଦ୍ର ରାଉତ, ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ, ବଡ଼ସାହି ତହସିଲଦାର ପତିତପାବନ ଦେବତା, ବଡ଼ସାହି ବିଡ଼ିଓ ବନଜା ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

ନାଖରା ବ୍ରିଜଠାରେ ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଚାଲିଥିବା ବେଳେ ଓଡ୍ରାଫ ଟିମକୁ ବେଲାଣପୁରା ବହୁମୁଖୀ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀରେ ଆଲର୍ଟରେ ରଖାଯାଇଛି l ଏହି ଅବସରରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଗଣ ସ୍ଥାନୀୟ ସରପଞ୍ଚ ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ l ବନ୍ୟାକୁ ଆଶଙ୍କା କରି ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ l ବନ୍ୟାପାଣି ସହିତ ବିଷଧର ସାପ ମାନଙ୍କର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସର୍ପାଘାତ ଓ ଅନ୍ୟାନ୍ୟ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ପାଇଁ ସ୍ୱାସ୍ଥ୍ୟବିଭାଗକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି  l

ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ମଧ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ l ବେତନଟୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଉପରେମୁଣ୍ଡାର ପାଣି ଆସୁଥିବାରୁ ବନ୍ୟାସ୍ଥିତି ଗମ୍ଭୀର ହେବାରେ ଲାଗିଛି l ସେହିଭଳି ଖବର ଲେଖାଯିବା ବେଳକୁ ପାଟୁଳିପୁରା ପଞ୍ଚାୟତର ତଳିଆ ଅଞ୍ଚଳରେ ଥିବା କଚ୍ଚା ଘର ଗୁଡ଼ିକରୁ ଓ ଉକ୍ତ ଅଞ୍ଚଳରେ ଗଢି ଉଠିଥିବା ଏକାଧିକ ଇଟା ଭାଟିରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଗଲାଣି |

ବୁଢ଼ାବଳଙ୍ଗ ନଦୀରେ ପ୍ରଥମ ବନ୍ୟା ପରିସ୍ଥିତି ଉପୁଜିବା ଯୋଗୁଁ ପାଟୁଳିପୁରା ପଞ୍ଚାୟତର ଅଧିକାଂଶ ଚାଷଜମି ଜଳମଗ୍ନ ହୋଇଥିବାର ଦେଖିବାକୁ ମିଳିଛି l ବୁଢ଼ାବଳଙ୍ଗ ନଦୀ ପଠାରେ ଥିବା ଗ୍ରାମାଞ୍ଚଳର ସିଙ୍ଗଳାମୁଣ୍ଡୁଳି, କାଠପାଳ, ବେଲାଣପୁରା, ନଖରା, ମଧୁନଣ୍ଡା, ଡେଂଫଉଦା, ପାଟୁଳିପୁରା, ଦାରିହା ପ୍ରଭୁତି ଗ୍ରାମର ଏକର ଏକର ଚାଷ ଜମିକୁ ବୁଡାଇ ଦେଇସାରିଲାଣି, ଚାଷୀର ଆଖି ଆଗରେ ବୁଡ଼ିଯାଉଅଛି ଏକର ଧାନ କ୍ଷେତ ତ ଆଉ କିଆରୀ କିଆରୀ ଭେଣ୍ଡି, ଜହ୍ନି, ପୋଟଳ , କାକୁଡି, ବାଇଗଣ ଆଦି ପରିବା ଚାଷ l

ମୁଖ୍ୟତଃ ଅମୃତଭଣ୍ଡା ଚାଷୀ ପ୍ରଶାନ୍ତ ସାହୁଙ୍କର ବାଡ଼ିରେ ଲାଗିଥିବା ୧ହଜାରରୁ ବର୍ଷା ପବନରେ ଭାଙ୍ଗି ଯାଇଛି l ଫଳରେ ଲକ୍ଷାଧିକ ଟଙ୍କାର କ୍ଷତିକୁ ଆଖି ଆଗରେ ଦେଖି ଭାଂଗିପଡିଛନ୍ତି ପ୍ରଶାନ୍ତ, ତତସହିତ ପ୍ରଶାସନ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି l ତେବେ ଯଦି ଏଭଳି ବର୍ଷା ଲାଗିରୁହେ ତାହେଲେ ଆଗାମୀ କାଲି ମଧ୍ୟରେ ବୁଢ଼ାବଳଙ୍ଗ ନଦୀରେ ଅଧିକରୁ ଅଧିକ ବନ୍ୟାଜଳ ଆସି ଉପକୂଳବର୍ତ୍ତୀ ଅଞ୍ଚଳ ଲୋକଙ୍କର ଭୟଙ୍କର କ୍ଷୟକ୍ଷତି ଘଟାଇବା ପ୍ରାୟ ସୁନିଶ୍ଚିତ l ଯେଉଁଥିପାଇଁ ପ୍ରଥମେ ବର୍ଷା ଅଭାବରୁ ଦୁଃଖ ସାଉଁଟୁ ଥିବା ଚାଷୀ ପୁଣି ଥରେ ଚିନ୍ତାରେ ପଡିଛନ୍ତି l