ପୂର୍ବତନ ଡିଜି ଓ ମୁଖ୍ୟ ସଚିବଙ୍କୁ ଯୋଗ୍ୟତା ଭିତ୍ତିରେ ବିଭିନ୍ନ କମିସନରେ ନିଯୁକ୍ତି ଦିଆଯାଉଛି

ଭୁବନେଶ୍ୱର: ରାଜ୍ୟ ସରକାର ବିଭିନ୍ନ କମିସନରେ ପୂର୍ବତନ ଡିଜି ଓ ପୂର୍ବତନ ମୁଖ୍ୟ ସଚିବମାନଙ୍କୁ ଅଧ୍ୟକ୍ଷ ପଦରେ ବସାଇଥା’ନ୍ତି କାହିଁକି? ସେମାନଙ୍କ ଠାରୁ ଅଧିକ ଯୋଗ୍ୟ ପ୍ରାର୍ଥୀ କ’ଣ ଓଡ଼ିଶାରେ ନାହାନ୍ତି କି? ବିଧାୟକ ଗଣେଶ ରାମ୍‌ ସିଂହ ଖୁଣ୍ଟିଆଙ୍କ ଏହି ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର ବିଭିନ୍ନ କମିସନରେ ସମ୍ପୃକ୍ତ କମିସନର ନିଯୁକ୍ତି ନିୟମାବଳୀ ଅନୁଯାୟୀ ଯୋଗ୍ୟତା ଭିତ୍ତିରେ ପୂର୍ବତନ ଡିଜି ଓ ପୂର୍ବତନ ମୁଖ୍ୟ ଶାସନ ସଚିବମାନଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତ କରିଥାନ୍ତି।

ସେହିପରି ବିଧାୟକ ଶ୍ରୀ ଖୁଣ୍ଟିଆଙ୍କ ପ୍ରଶ୍ନ କେତେ ଜଣ ଅବସରପ୍ରାପ୍ତ ବ୍ୟକ୍ତିବିଶେଷ ପରାମର୍ଶଦାତା, ସମୀକ୍ଷକ ଆଳରେ ବର୍ଷ ବର୍ଷ ଧରି ସରକାରୀ କାମ କରୁଛନ୍ତି, ତାଙ୍କ ପିଛା ବାର୍ଷିକ କେତେ ଖର୍ଚ୍ଚ ହେଉଛି? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି, ଏଚ୍‌ଆର୍‌ଏମ୍‌ଏସ୍‌ରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ବିଗତ ତିନି ବର୍ଷରେ ରାଜ୍ୟରେ ୭୩ଜଣ ଅବସରପ୍ରାପ୍ତ ବ୍ୟକ୍ତିବିଶେଷ ପରାମର୍ଶଦାତା ବା ସମୀକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେମାନଙ୍କ ପାଇଁ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୪,୫୩,୪୯,୯୩୪ଟଙ୍କା, ୨୦୨୦-୨୧ ଆର୍ଥିକ ବର୍ଷରେ ୩,୧୪,୯୫,୧୧୪ଟଙ୍କା, ୨୦୨୧-୨୨ ଆର୍ଥିକ ବର୍ଷରେ ୨,୩୩,୮୯,୨୯୧ଟଙ୍କା ଖର୍ଚ୍ଚ ହୋଇଛି। ଏହିପରି ତିନିଟି ଆର୍ଥିକ ବର୍ଷରେ ମୋଟ୍ ୧୦କୋଟି ୨ଲକ୍ଷ ୩୪ହଜାର ୩୩୯ଟଙ୍କା ଖର୍ଚ୍ଚ କରାଯାଇଛି।

ସମ୍ବନ୍ଧିତ ଖବର