ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ କରୋନା ନେଇ ଅପପ୍ରଚାର କରି କେନ୍ଦ୍ରାପଡ଼ାରେ ଗିରଫ ହେଲେ ୪

ପୂର୍ବରୁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଗିରଫ ହୋଇଥିଲେ ୨ ଜଣ

କେନ୍ଦ୍ରାପଡ଼ା: କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଡରାଉଥିବା ବେଳେ କେନ୍ଦ୍ରାପଡ଼ାରେ ୪ ଜଣ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ସୋସିଆଲ ମିଡିଆରେ ଅପପ୍ରଚାର କରି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅନ୍ତର୍ଗତ କଂସାର ଗାଁର ନିରଞ୍ଜନ ପରିଡ଼ା (୫୯), ମାଧପୁର ଗାଁର ଧ୍ରୁତିରଂଜନ ବାରିକ, ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗାଁର ଶିବାଶିଷ ମହାନ୍ତି (୩୨) ଓ ମଡରପୁର ନିବାସୀ ପ୍ରଫୁଲ୍ଲ ଦାସ। ଟାଉନ ଥାନା ପୁଲିସ କହିଛି, ଅଭିଯୁକ୍ତମାନେ ହ୍ଵାଟ୍‌ସଅପରେ ଏକ ଗ୍ରୁପ କରି କରୋନା ସଂପର୍କିତ ମିଛ ଖବର ପ୍ରଚାର କରିଥିଲେ। ଶିବାଶିଷ ମହାନ୍ତି ଓ ଧ୍ରୁତିରଂଜନ ବାରିକ ଗ୍ରୁପର ଆଡମିନ ଥିଲେ।

ସୂଚନାଯୋଗ୍ୟ, ଫେସ୍‌ବୁକ୍‌ରେ ମିଛ ଖବର ପୋଷ୍ଟ କରିବା ଘଟଣାରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଥାନା ପୁଲିସ ଅମ୍ବାଦଲାରେ ରହୁଥିବା ସତ୍ୟନାରାୟଣ ସାମଲ ଓରଫ ଦୀପୁ (୩୨)କୁ ଗିରଫ କରିଥିଲା ପୁଲିସ୍ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ନିବାସୀ ପ୍ରଫୁଲ୍ଲ କୁମାର ସମାଲଙ୍କ ପୁଅ ଦୀପୁ । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଫେସ୍‌ବୁକ୍‌ରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ପରିଚୟ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁଲିସ ଅଭିଯୁକ୍ତର ପରିଚୟ ପାଇଥିଲା। ଏହି ଆଧାରରେ ରାୟଗଡ଼ାରେ କରୋନା ଭାଇରସ ବ୍ୟାପିବା ନେଇ ଫେସ୍‌ବୁକ୍‌ରେ ମିଛ ଖବର ପ୍ରସାର ହେବା ପରେ ମୁନିଗୁଡ଼ା ପୁଲିସ ଆଜି ଏକ ମାମଲା ରୁଜୁ କରିଥିଲା।

ସେହିପରି ମିଛ ଖବର ସୋସିଆଲ ମିଡିଆରେ ପ୍ରଚାର କରି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡୁକେଲ ଗାଁର ଜଣେ ଶିକ୍ଷକ ଗିରଫ ହୋଇଥିଲେ। ଗିରଫ ହୋଇଥିବା ଘରୋଇ ବିଦ୍ୟାଳୟର ଶିକ୍ଷକଙ୍କ ନାମ ବିନ୍ଦୁ ମହାନନ୍ଦ। ସେ ସୋସିଆଲ ମିଡିଆରେ କରୋନା ଜନିତ ମିଛ ଖବର ଭାଇରାଲ କରିଥିଲେ। ବିନ୍ଦୁ ମହାରଣା ଲେଖିଥିଲେ ଯେ, ଗୋଲାମୁଣ୍ଡା ବ୍ଳକ ଖଳିଆକାନି ଗାଁରେ ଜଣେ କରୋନା ଆକ୍ରାନ୍ତ ଯୁବକ କବାଟ ବନ୍ଦ କରି ଘରେ ରହିଛି। ଏହି ଘଟଣା ଭାଇରାଲ ହେବା ପରେ ବିଡିଓ ଓ ଥାନା ଅଧିକାରୀ ସଂପୃକ୍ତ ଗାଁକୁ ଯାଇଥିଲେ। କିନ୍ତୁ ସେଭଳି ଘଟଣା ଦେଖିବାକୁ ମିଳି ନ ଥିଲା। ତେବେ ପୁଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିନ୍ଦୁ ମହାନନ୍ଦକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର