ବୟସ, ଶିକ୍ଷା ଓ ସଂଗ୍ରାମର କ୍ଷେତ୍ର ବିବିଧ। କିନ୍ତୁ ସେମାନେ ଗୋଟିଏ ବିନ୍ଦୁରେ ଏକା‌ଠି; ସଭିଏଁ ସଫଳ, ଲୋକପ୍ରିୟ। ଖେଳ, ସିନେମା, ସୌନ୍ଦର୍ଯ୍ୟ ଓ ରାଜନୀତିରେ ସେମାନେ ପାରଦର୍ଶିତା ଦେଖାଇଛନ୍ତି। ତେବେ ରାତାରାତି ସେମାନେ ଶିଖରରେ ପହଞ୍ଚିନା‌ହାନ୍ତି। ଦୃଢ଼ ମନୋବଳ, କଠିନ ପରିଶ୍ରମ, ଶତ ସଂଘର୍ଷ ପରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ସଭିଙ୍କ ପାଇଁ ସାଜିଛନ୍ତି ପ୍ରେରଣା।। ଭେଟେରାନ୍‌ ଅଭିନେତ୍ରୀ ନୃତ୍ୟନିପୁଣା ବୈଜୟନ୍ତୀମାଳା, କୁସ୍ତିବିତ୍‌ ଭିନେଶ, ପହଁରାଳି ତରଗାଇ, ପାରା ଅଲମ୍ପିଆନ୍‌ ଶୀତଲଙ୍କୁ ନେଇ ଏଥର ସୁଶ୍ରୀର ସ୍ବତନ୍ତ୍ର ଉପସ୍ଥାପନା ‘ଶିଖର‌େର ଚାରି’...  

Advertisment

୯୧ରେ ବୈଜୟନ୍ତୀମାଳା
ଅଭିନୟ ଓ ରାଜନୀତିର ତାନାବାନା 
ଜୀବନର ୯୧ତମ ବସନ୍ତରେ ପଦାର୍ପଣ କରି ବୈଜୟନ୍ତୀମାଳା ପଦ୍ମବିଭୂଷଣ ପୁରସ୍କାର ପାଇଥିବା ଅବସରରେ ଯେଉଁ କଥାଟି କହିଥିଲେ ତାହାକୁ ସେ ନିଜର ଚଳିତ ଜନ୍ମଦିନରେ ମଧ୍ୟ ଦୋହରାଇଛନ୍ତି, “ଗୋଟିଏ ଅତ୍ୟନ୍ତ ରକ୍ଷଣଶୀଳ ବ୍ରାହ୍ମଣ ସମାଜରୁ ଆସି ଭାରତୀୟ ଉଗ୍ର ଆଧୁନିକ ସଭ୍ୟତାରେ ପାଦରଖି ବାଟ ଚାଲିବାର ଯେଉଁ ସଂଘର୍ଷ ତାକୁ ଅତିକ୍ରମ କରି ମୁଁ ଆଜି ୯୧ ବର୍ଷରେ ପହଞ୍ଚି ସଫଳତା ହାସଲ କରିପାରିଛି। ନାରୀ ଜୀବନରେ ଅନେକ ଝଡ଼ଝଞ୍ଜା, ଘାତ ପ୍ରତିଘାତ ଓ ନିନ୍ଦା ଅପବାଦ ଆସିଥାଏ। ସେଥିପାଇଁ ତ ନାରୀର ଅନ୍ୟ ନାମ ସଂଘର୍ଷ ଏବଂ ସେହି ସଂଘର୍ଷରୁ ନାରୀ ପାଇଥାଏ ସଫଳତା ତଥା ବିଜୟର ସ୍ୱାଦ। ଏହାକୁ ଆମେ ସମସ୍ତେ ମନେ ରଖିବା ଉଚିତ”।

ଭାରତୀୟ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ ନାଁ ଓ ବହୁଚର୍ଚ୍ଚିତ ଚେହେରା ତଥା ନୃତ୍ୟାଙ୍ଗନା ହେଉଛନ୍ତି ବୈଜୟନ୍ତୀମାଳା। ଭଗବାନ ବିଷ୍ଣୁ ନିଜ ବେକରେ ପିନ୍ଧୁଥିବା ଏକ ବିରଳ ମୁକ୍ତାହାରକୁ ‘ବୈଜୟନ୍ତୀମାଳା’ କୁହାଯାଏ। ଏବେବି ବୟସର ସ୍ପର୍ଶ ତାଙ୍କ ନୂପୁର ଶବ୍ଦ ଓ ନୃତ୍ୟର ଛନ୍ଦକୁ ଛୁଇଁବାକୁ ସମର୍ଥ ହୋଇପାରିନାହିଁ। ଆଜି ମଧ୍ୟ ନିଜର ନୃତ୍ୟକୌଶଳ ଦ୍ୱାରା ଲୋକଙ୍କୁ ସେ ଚକିତ କରୁଛନ୍ତି। ବୈଜୟନ୍ତୀମାଳା ତାଙ୍କ ଅଭିନୟ ଓ ନୃତ୍ୟଦକ୍ଷତା ପାଇଁ ଅପାର ସୁଖ୍ୟାତି ଅର୍ଜନ କରିଥିବାବେଳେ, ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାନ ଭାବରେ ସମାଲୋଚିତ ହୋଇଥିଲେ। ଜଣେ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ିଥିବାରୁ କେହି କେହି ତାଙ୍କୁ ‘ହୋମ୍‌ ବ୍ରେକର୍‌’ ବୋଲି କହନ୍ତି। ସୁପ୍ରସିଦ୍ଧ ଅଭିନେତା ଦିଲୀପ କୁମାର ଓ ରାଜ କପୁରଙ୍କ ସହ ତାଙ୍କର ସମ୍ପର୍କ ବହୁ ବିବାଦିତ। ଅବଶ୍ୟ ବୈଜୟନ୍ତୀମାଳା ଏହାକୁ ଏକ ପବ୍ଲିସିଟି ଷ୍ଟଣ୍ଟ୍ ବୋଲି କହି ଏଡ଼ାଇ ଦେଇଥିଲେ। ଋଷି କପୁରଙ୍କ ସହ ସର୍ବସାଧାରଣରେ ତାଙ୍କର ମତଭେଦ ପ୍ରାୟତଃ ବିବାଦ ଓ ବିତର୍କ ମଧ୍ୟରେ ରହିଥିଲା।

ମାତ୍ର ୧୬ ବର୍ଷ ବୟସରେ ଭାରତନାଟ୍ୟମ୍‌ରେ ନିପୁଣତା ହାସଲ କରି ବୈଜୟନ୍ତୀମାଳା ହଲିଉଡ୍‌ର ଟିନ୍‌ସେଲ୍ ସହର (ଲସ୍‌ ଆଞ୍ଜେଲ୍‌ସ)ରେ ପାଦ ରଖିବା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ। ୧୯୪୯ରେ ତାମିଲ ଚଳଚ୍ଚିତ୍ର ୱାଜକାଇ ମାଧ୍ୟମରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ବୈଜୟନ୍ତୀମାଳା ତାମିଲ, ତେଲୁଗୁ ଓ ହିନ୍ଦୀ ଭଳି ବହୁଭାଷୀ ଫିଲ୍ମରେ ଅଭିନୟ ସହ ନିଜର ଦକ୍ଷତା ପ୍ରମାଣିତ କରି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଥିଲେ। ୧୯୫୫ରେ ବିମଳ ରାୟଙ୍କ ‘ଦେବଦାସ’ ଚଳଚ୍ଚିତ୍ରରେ ଚନ୍ଦ୍ରମୁଖୀ ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହି ଭୂମିକା ପାଇଁ ସେ ପ୍ରଥମ ପସନ୍ଦ ନଥିଲେ। ନର୍ଗିସ୍, ସୁରୈୟା ଓ ବୀଣା ରାୟ ଗଣିକା ଚନ୍ଦ୍ରମୁଖୀ ଭୂମିକାରେ ଅଭିନୟ କରିବାକୁ ମନା କରିବା ପରେ ବୈଜୟନ୍ତୀମାଳା ଏହି ଚରିତ୍ରରେ ଅଭିନୟ କରି ନିଜର ଶ୍ରେଷ୍ଠତା ପ୍ରମାଣ କରିଦେଲେ। ସେହି ସମୟରେ ନିର୍ଦ୍ଦେଶକ ଓ ନିର୍ମାତା ତାଙ୍କ ଉପରେ ଅଧିକ ଆତ୍ମବିଶ୍ୱାସ ପ୍ରଦର୍ଶନ କରିନଥିଲେ। ପୁଣି ଫିଲ୍ମର ସ୍କ୍ରିପ୍ଟ ରାଇଟର୍ ନବେନ୍ଦୁ ଘୋଷ ବୈଜୟନ୍ତୀମାଳାଙ୍କୁ ଅଭିନୟର ସୁଯୋଗ ଦେବାକୁ ଚାହୁଁନଥିଲେ। ସମସ୍ତେ ଭାବୁଥିଲେ ସେ ଏହି ଭୂମିକା ପାଇଁ ବହୁତ କମ୍‌ ବୟସର ଅଭିନେତ୍ରୀ ଥିଲେ। କିନ୍ତୁ ତାଙ୍କର ଅତୁଳନୀୟ ପ୍ରଦର୍ଶନ କେବଳ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରିନଥିଲା ବରଂ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ତାଙ୍କ ନାଁ ଫିଲ୍ମଫେୟାର୍‌ ପୁରସ୍କାର ପାଇଁ ଘୋଷଣା ହୋଇଥିଲା। ମାତ୍ର ଅତ୍ୟନ୍ତ ସ୍ବାଭିମାନୀ ବୈଜୟନ୍ତୀମାଳା ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ। ତାମିଲନାଡୁର ଏକ ଅତ୍ୟନ୍ତ ରକ୍ଷଣଶୀଳ ଆୟାଙ୍ଗର ବ୍ରାହ୍ମଣ ପରିବାରରୁ ଆସିଥିବା ବୈଜୟନ୍ତୀମାଳା ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ ପରଦାରେ ରାଜ କପୁରଙ୍କ ‘ସଙ୍ଗମ’ ଫିଲ୍ମରେ ସ୍ୱିମ୍ ସୁଟ୍ ପିନ୍ଧି ବହୁ ଚର୍ଚ୍ଚିତ ହୋଇଥିଲେ। ତାଙ୍କର ଏହି ସାହସିକ ପଦକ୍ଷେପ ତାଙ୍କୁ ରାତାରାତି ସୁଖ୍ୟାତ ଓ ବିବାଦୀୟ କରିଦେଇଥିଲା। ବୈଜୟନ୍ତୀମାଳା ହିଁ ଭାରତର ପ୍ରଥମ ମହିଳା ସୁପରଷ୍ଟାର୍‌। ହିନ୍ଦୀ, ତାମିଲ ଓ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପରେ ସେ ରାଜୁତି କରୁଥିଲେ ଏବଂ ପ୍ରଥମ ସର୍ବଭାରତୀୟ ଚଳଚ୍ଚିତ୍ର ତାରକାମାନଙ୍କ ମଧ୍ୟରୁ ଜଣେ ହୋଇଥିଲେ।

ନିଜ କ୍ୟାରିୟର୍‌ର ଶିଖରରେ ଥିବାବେଳେ ବୈଜୟନ୍ତୀମାଳା ଡାକ୍ତର ଚମନଲାଲ୍‌ ବାଲିଙ୍କୁ ପ୍ରେମବିବାହ କରି ଅଭିନୟରୁ ଅବସର ନେଇଥିଲେ। କଶ୍ମୀରରେ ଏକ ଫିଲ୍ମ ସୁଟିଂ କରୁଥିବାବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା କରିବାକୁ ଚମନଲାଲ୍‌ ବମ୍ବେରୁ ଆସିଥିଲେ। ସେ ବିବାହିତ ଏବଂ ତିନିଜଣଙ୍କର ପିତା ଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ବଢ଼ିବା ପରେ ଚମନଲାଲ୍‌ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଅଭିନୟ ଓ ନୃତ୍ୟ ସହିତ ବୈଜୟନ୍ତୀମାଳା ରାଜନୀତିରେ ମଧ୍ୟ ନିଜ ଯାଦୁ ଦେଖାଇଛନ୍ତି। କଂଗ୍ରେସ ବିପକ୍ଷରେ ସବୁକିଛି ଥିଲାବେଳେ ସେ ୧୯୮୪ ମସିହାରେ କଂଗ୍ରେସରେ ଯୋଗଦେଇ ତାମିଲନାଡୁ ସାଧାରଣ ନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିଲେ। ସଂସଦରେ ବୈଜୟନ୍ତୀମାଳାଙ୍କ କାର୍ଯ୍ୟକୁ ନେଇ ନିର୍ବାଚନରେ ବିରୋଧୀଙ୍କ ସମାଲୋଚନାକୁ ସେ ଭୁଲ୍‌ ବୋଲି ପ୍ରମାଣ କରି ରାଜନୀତିରେ ମଧ୍ୟ ଦକ୍ଷ ରାଜନେତା ଭଳି ନିଜର ପାରଦର୍ଶିତା ଦେଖାଇଥିଲେ। ୧୯୮୯ରେ ସେ ପୁଣିଥରେ ବିଜୟୀ ହେଲେ। ୧୯୯୩ରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା। ୧୯୯୯ରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଏବଂ ସେହିବର୍ଷ ବିଜେପିରେ ଯୋଗ ଦେଇଥିଲେ। ବୈଜୟନ୍ତୀମାଳା ୧୯୬୮ ମସିହାରେ ପଦ୍ମଶ୍ରୀ, ୧୯୮୨ରେ ସଂଗୀତ ନାଟକ ଏକାଡେମୀ ଏବଂ ୨୦୨୪ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ନିଜର ୯୧ତମ ଜନ୍ମଦିନ ପାଳନ ଅବସରରେ ବୈଜୟନ୍ତୀମାଳା ସାମାଜିକ ଗଣମାଧ୍ୟମରେ ନିଜର ନୃତ୍ୟ ପରିବେଷଣ ଦୃଶ୍ୟକୁ ଛାଡ଼ି ପ୍ରମାଣ କରିଛନ୍ତି ବୟସ ତାଙ୍କ ପାଖରେ ହାର୍‌ ମାନିଯାଇଛି ଏବଂ ସେ ଆଜି ମଧ୍ୟ ୧୯୫୮ ମସିହା ମଧୁମତି ଚଳଚ୍ଚିତ୍ରର ଚୁଲ୍‌ବୁଲି ନାୟିକା ଭଳି ରହିଛନ୍ତି।

ନାରୀ ପାଇଁ କୁସ୍ତିଠାରୁ ଜୀବନର ଲଢ଼େଇ ବେଶୀ ମହତ୍ତ୍ବ ରଖେ: ଭିନେଶ ଫୋଗାଟ୍‌
‘କୋର୍ଟ ଅଫ୍‌ ଆର୍ବିଟେସନ୍‌ ଫର୍‌ ସ୍ପୋର୍ଟସ୍‌’ (ସି.ଏ.ଏସ୍‌.) ନିଜ ନିଷ୍ପତ୍ତି ଘୋଷଣା କରିବା ପରେ ଭିନେଶ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଯେହେତୁ ମୁଁ ମୋର ପରିବାର ସଦସ୍ୟ, ଗ୍ରାମବାସୀ, ସାଥୀ ପ୍ରତିଯୋଗୀ, ବିଶ୍ୱର ସବୁ ବର୍ଗର ଖେଳାଳି, ସର୍ବୋପରି ପ୍ରତିଟି ଭାରତୀୟଙ୍କର ଯେଉଁ ଭଲପାଇବା ଓ ସହଯୋଗ ପାଇଲି, ମୁଁ ଅନୁମାନ କରୁଛି ପ୍ୟାରିସ୍ ଅଲିମ୍ପିକ୍ସ ପଦକ ହରାଇବାର କ୍ଷତ ଓ କ୍ଷତିକୁ ଭରଣା କରିବାକୁ ମୁଁ ଯଥେଷ୍ଟ ସାହସ ପାଇବି। ଏହାକୁ ପାଥେୟ କରି ମୁଁ କୁସ୍ତି ରିଙ୍ଗ୍‌କୁ ଫେରିବାର ଶକ୍ତି ସଞ୍ଚୟ କରିବି। ଆମର ସଂଗ୍ରାମ ଶେଷ ହୋଇନାହିଁ। ସଂଗ୍ରାମର ଯୁଦ୍ଧ ଜାରି ରହିବ ଏବଂ ସତ୍ୟ, ଧର୍ମ ଓ ନ୍ୟାୟର ବିଜୟ ପାଇଁ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି”।

ହରିୟାଣାର କୁସ୍ତି ଗାଁ ଭାବେ ପରିଚିତ ବଲାଲିର ଆଖଡ଼ାଶାଳରେ ଭିନେଶ କୁସ୍ତି ପ୍ରଶିକ୍ଷଣ ତାଲିମ ନେଉଥିବା କିଶୋରୀମାନଙ୍କ ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଲେ ତାହା ଅତ୍ୟନ୍ତ ମର୍ମସ୍ପର୍ଶୀ। ସେ କହିଲେ, “ମୁଁ କହିବି ଜଣେ ନାରୀର ଜୀବନ ଜନ୍ମରୁ ଲଢ଼େଇରେ ଆରମ୍ଭ ହୋଇଥାଏ ଏବଂ ସେହି ଲଢ଼େଇରେ ଶେଷ ହିଁ ହୋଇଥାଏ। ତେଣୁ କୁସ୍ତି ଲଢ଼େଇର ଅଭ୍ୟାସ ସମୟରେ ଜୀବନର ଲଢ଼େଇ ଶିଖିବା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଓ ଜରୁରି ଅଟେ। ଏହା ନ ହୋଇପାରିଲେ କୁସ୍ତି ଜିତିଯିବ କିନ୍ତୁ ତୁମେମାନେ ହାରିଯିବ। ସେଥିପାଇଁ ଲଢ଼େଇ କରି ଜିତିବା ଶିଖ’’।

ନିଜର ପ୍ରତିକ୍ରିୟାରେ ସାମ୍ବାଦିକମାନଙ୍କୁ ଭିନେଶ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ସମଗ୍ର କ୍ରୀଡ଼ାବିତ୍‌ ବିଶେଷତଃ ମହିଳା ଓ ଆଗାମୀ ପିଢ଼ିର ଖେଳାଳିଙ୍କ ପାଇଁ ଏକ ପ୍ରେରଣା ଓ ଆଶୀର୍ବାଦ ଅଟେ। “ମୋତେ ସମଗ୍ର ଭାରତରୁ ଯେଉଁଭଳି ଅଭିନନ୍ଦନ, ଉତ୍ସାହ ତଥା ଅକୁଣ୍ଠ ସମର୍ଥନ ମିଳୁଛି ସେଥିପାଇଁ ମୁଁ ବାସ୍ତବରେ ନିଜକୁ ସବୁଠାରୁ ବଡ଼ ସୌଭାଗ୍ୟବତୀ ବୋଲି ମନେକରୁଛି ଏବଂ ଏହାକୁ ନେଇ ମୁଁ ଅତ୍ୟନ୍ତ ଗର୍ବିତ। ସମସ୍ତଙ୍କ ଭାଗ୍ୟରେ ଏସବୁ ନଥାଏ ଏବଂ ଏହା ଅଲମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିବାଠାରୁ ଢେର୍‌ ଅଧିକ ବଡ଼ ସମ୍ମାନ। ପ୍ୟାରିସ୍‌ ଅଲିମ୍ପିକ୍ସ ଯାତ୍ରାରେ ମୋର ଯଦି କିଛି ବି ଭୁଲ୍‌ ରହିଯାଇଛି ସେଥିପାଇଁ ମୋତେ ମୋର ଦେଶବାସୀ ଯେପରି କ୍ଷମା କରିଦେଇଛନ୍ତି ସେଥିଲାଗି ପ୍ରତିଟି ଭାରତୀୟଙ୍କ ନିକଟରେ ମୁଁ କୃତଜ୍ଞ। ମୁଁ ଭାବୁଛି ଯେଉଁ କୁସ୍ତିକୁ ମୁଁ ସବୁଦିନ ପାଇଁ ତ୍ୟାଗ କରିବି ବୋଲି ନିଷ୍ପତ୍ତି ନେଇଛି ବର୍ତ୍ତମାନ ଏତେସବୁ ସମର୍ଥନ ଓ ସଦିଚ୍ଛା ପରେ ଏଭଳି କଠୋର ନିଷ୍ପତ୍ତିରେ ମୁଁ କିପରି ଅଟଳ ରହିବି! ତେବେ ସମୟ ସବୁକିଛିର ସମାଧାନ କରିଦେବ ବୋଲି ମୁଁ ଆଶା ରଖିଛି। ଏଭଳି ଘଡ଼ିସନ୍ଧି ସମୟ ଓ ବିପଦ ଯଦି ଜୀବନରେ କୌଣସି ଖେଳାଳିଙ୍କ ପାଇଁ ଆସେ ତେବେ ଧୈର୍ଯ୍ୟହରା ହୋଇ କୌଣସି କଠୋର ନିଷ୍ପତ୍ତି ଘୋଷଣା କରିବା ଠିକ୍‌ ନୁହେଁ ଏବଂ ଯେପର୍ଯ୍ୟନ୍ତ ନିଜ ଶରୀର ଓ ମନ ଖେଳିବାକୁ ସମର୍ଥ ସେପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟ ଜାରି ରଖିବା ଉଚିତ ବୋଲି ମୁଁ ସବୁ ଖେଳାଳିଙ୍କୁ କହିବାକୁ ଚାହେଁ। ମୋତେ ମିଳିଥିବା ସମର୍ଥନ ଓ ସମ୍ମାନକୁ ମୁଁ ଠିକ୍‌ ମାର୍ଗରେ, ଠିକ୍‌ ସମୟରେ କାର୍ଯ୍ୟରେ ଲଗାଇବି। ଜୀବନର ଲଢ଼େଇ ବହୁତ ଲମ୍ବା, ଏହାକୁ ଲଢ଼ିବାକୁ ପଡ଼ିବ। କାରଣ ଜୀବନ ଲଢ଼େଇର ଶେଷ ନଥାଏ ଏବଂ ଏଥିପାଇଁ ଆମେ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ’’। ଅଲିମ୍ପିକ୍ସରେ ଭିନେଶ ଅଯୋଗ୍ୟ ଘୋଷିତ ହେବାପରେ ଭାରତୀୟ ସମୁଦାୟଙ୍କୁ ତାଙ୍କର ଲୁହ ଛଳଛଳ ଆଖିରେ ଅତ୍ୟନ୍ତ କୋହଭରା ଆବେଗମୟ ଆବେଦନ “ମାଆ ମୁଁ ହାରିଗଲି କିନ୍ତୁ କୁସ୍ତି ଜିତିଗଲା”। ତାଙ୍କର ଏହି ଗୋଟିଏ ବାକ୍ୟ ସବୁଆଡ଼େ ନିରବତା ସୃଷ୍ଟି କରିଥିଲା। 

ରେସ୍‌ଲର୍‌ ଭିନେଶ ଫୋଗାଟ୍‌ଙ୍କ ମିଳିତ ରୌପ୍ୟପଦକ ଦାବି ଆବେଦନକୁ “କୋର୍ଟ ଅଫ୍‌ ଆର୍ବିଟେସନ୍‌ ଫର୍‌ ସ୍ପୋର୍ଟ‌୍ସ” (ସି.ଏ.ଏସ୍‌.) ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ଦ୍ବିତୀୟରେ ବିଫଳ ହେବାର ପରିଣାମ ଜଣେ ଆଥଲେଟ୍ ପାଇଁ ଅଡୁଆ ବୋଲି କୋର୍ଟ ସ୍ୱୀକାର କରିଛନ୍ତି। ତଥାପି, ଅଲିମ୍ପିକ୍ସ ନିୟମ ଅନୁଯାୟୀ ନିଜର ଓଜନ ବଜାୟ ରଖିବା ଜଣେ ଆଥଲେଟ୍‌ର ଦାୟିତ୍ୱ ଏବଂ ଏଥିରେ କୌଣସି କୋହଳ ପ୍ରଦାନ କରାଯାଇ ପାରିବ ନାହିଁ। ସୋଲ୍ ଆର୍ବିଟ୍ରେଟର୍‌ ନିଜ ଯୁକ୍ତିରେ ଦର୍ଶାଇଛନ୍ତି, ରେସଲର୍‌ (ଭିନେଶ) ନିଜ ଇଚ୍ଛାରେ ୫୦ କିଲୋଗ୍ରାମ୍‌ ରେସ୍‌ଲିଂ ବର୍ଗରେ ପ୍ରବେଶ କରିଥିଲେ ଏବଂ ୫୦ କିଲୋଗ୍ରାମ୍‌ରୁ କମ୍ ଓଜନ ବଜାୟ ରଖିବା ନିୟମ ସମ୍ବନ୍ଧରେ ସେ ଭଲଭାବରେ ଜାଣିଥିଲେ। ଏହା ପୂର୍ବରୁ ମଧ୍ୟ ଭିନେଶ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି। ଅଲିମ୍ପିକ୍ସ ରେସ୍‌ଲିଂ ନିୟମ ଧାରା ୭ରେ ଉଲ୍ଲେଖ ରହିଛି, ପ୍ରତ୍ୟେକ ରେସ୍‌ଲର୍‌ ସ୍ୱାଧୀନ ଇଚ୍ଛାରେ ନିଜର ଓଜନକୁ ଧାର୍ଯ୍ୟ କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି। ନିଜ ଶାରୀରିକ ଫିଟ୍‌ନେସ୍‌ ପାଇଁ ନିଜେ ଦାୟୀ ଅଟନ୍ତି ଏବଂ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେବ। ସେହି ସମୟରେ ନିୟମ ମୁତାବକ ତାଙ୍କ ଓଜନ ଅନୁରୂପ ଭାବେ ସେ ନିଜେ ନିୟନ୍ତ୍ରଣ କରି ଶାରୀରିକ ଫିଟ୍‌ନେସ୍‌ ରଖିବେ।

ସି.ଏ.ଏସ୍‌. ନିଜ ନିଷ୍ପତ୍ତିରେ ଦର୍ଶାଇଛନ୍ତି ଓଜନ ହ୍ରାସ କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟାପ୍ତ ସମୟ ନଥିବାର ପ୍ରମାଣ ତାଙ୍କ ଶାରୀରିକ ଅଧିକାରରେ ହସ୍ତକ୍ଷେପ କରେନାହିଁ। ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିଅନ୍‌ସିପ୍ କୁସ୍ତି ମ୍ୟାଚ୍ ସବୁକୁ ୟୁନାଇଟେଡ୍ ୱାର୍ଲ୍ଡ ରେସ୍‌ଲିଂ ମହାସଂଘ ପରିଚାଳନା ଓ ତଦାରଖ କରେ। ନିୟମ ଅନୁଯାୟୀ ରେସ୍‌ଲର୍‌ଙ୍କୁ କୁସ୍ତି ମ୍ୟାଚ୍‌ର ଉଭୟ ଦିନରେ ନିଜର ଓଜନ ବଜାୟ ରଖିବାକୁ ପଡ଼ିବ। ଅବଶ୍ୟ ୟୁନାଇଟେଡ୍ ୱାର୍ଲ୍ଡ ରେସ୍‌ଲିଂ ମହାସଂଘ ପକ୍ଷରୁ ବିଶ୍ୱ କୁସ୍ତି ମାନ୍ୟତା ଭଳି କେତେକ କୁସ୍ତି ପ୍ରତିଯୋଗିତାରେ ଶାରୀରିକ ଓଜନରେ ୨କିଲୋଗ୍ରାମ୍‌ ପର୍ଯ୍ୟନ୍ତ କୋହଳ କରିବାର ନିୟମ ରହିଛି, କିନ୍ତୁ ଏହା ଅଲିମ୍ପିକ୍ସ ପାଇଁ ପ୍ରଯୁଜ୍ୟ ନୁହେଁ। ନିଜର ନିଷ୍ପତ୍ତି ଘୋଷଣା ସମୟରେ ମୁକ୍ତ ଓ ନିରପେକ୍ଷ ଭାବେ ସି.ଏ.ଏସ୍‌ କହିଲେ ଅଲମ୍ପିକ୍ସରେ ଏଭଳି ନିୟମ ଏକ କଠୋର ନୀତି।
ଭିନେଶ ଫୋଗାଟ୍‌ଙ୍କ ଅଯୋଗ୍ୟତା ବିଶ୍ୱ କୁସ୍ତି ସମ୍ପ୍ରଦାୟ ମଧ୍ୟରେ ନୀରବତା ଖେଳାଇ ଦେଇ ବାଦ ବିବାଦର ଗୋଟିଏ ବଡ଼ ଝଡ଼ ସୃଷ୍ଟି କରିଥିଲା। ବିଶ୍ୱର ସବୁ ବର୍ଗର ଖେଳାଳି ତାଙ୍କୁ ସମର୍ଥନ ଜ୍ଞାପନ କରିଥିଲେ। ଭିନେଶ ପ୍ରଥମ ଭାରତୀୟ ମହିଳା କୁସ୍ତି ଖେଳାଳି ଭାବେ ଅଲମ୍ପିକ୍ସ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେ ଜାପାନର କିଂବଦନ୍ତି ୟୁଇ ସୁସାକିଙ୍କୁ ପରାସ୍ତ କରିଥିଲେ। ୟୁଇ ଭିନେଶଙ୍କ ସହ ଏକାଧିକ ଲଢ଼େଇରେ ପୂର୍ବରୁ ଅପରାଜୟକୁ ନେଇ ଜଣାଶୁଣା ଥିଲେ। ଭିନେଶଙ୍କୁ ସେମିଫାଇନାଲ୍‌ ମ୍ୟାଚ୍‌ରେ ରୌପ୍ୟପଦକ ପାଇବାକୁ ଅଯୋଗ୍ୟ ଘୋଷିତ କରାଯିବା ପରେ ସେ ସି.ଏ.ଏସ୍‌  ବିଚାରାଳୟରେ ଏହା ବିଚାର ପାଇଁ ଆବେଦନ କରିଥିଲେ। ସି.ଏ.ଏସ୍‌ ୧୯୮୪ରେ ପ୍ରତିଷ୍ଠା କରାଯାଇଥିଲା। ଏହା ଏକ ଅନ୍ତର୍ଜାତୀୟ ସଂସ୍ଥା ଅଲମ୍ପିକ୍ସ ପରି କ୍ରୀଡ଼ାରେ କିଛି ବିବାଦ ଉପୁଜିଲେ ଏହାର ସମାଧାନ କରିଥା’ନ୍ତି। ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ଭାରତୀୟ ଅଲମ୍ପିକ୍ସ ମହାସଂଘର ପ୍ରେସିଡେଣ୍ଟ୍‌ ପି.ଟି. ଉଷା ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଏଭଳି ନିୟମର ପରିବର୍ତ୍ତନ ପାଇଁ ଦାବି ଉଠାଇଥିଲେ। ବିଶ୍ୱର ସବୁ କୋଣରୁ ପି.ଟି. ଉଷାଙ୍କ ଦାବିକୁ ସମର୍ଥନ ମିଳିଥିଲା।

ଶୀତଲଙ୍କ ‘ମିଆ’ କାହାଣୀ
ପାରା ଅଲିମ୍ପିକ୍ସ ବିଜେତା ଶୀତଲ ଦେବୀଙ୍କୁ ନେଇ ନିକଟ ଅତୀତରେ ‘ମିଆ’ ବାଏ ତନିସ୍କ ପକ୍ଷରୁ ‘ଦେଖ୍‌ନା ହେ ତୋ ଖେଲ୍‌ ଦେଖୋ’ ଅଭିଯାନ ଆରମ୍ଭ କରାଯାଇଛି। ଏହା ଜରିଅାରେ ନିଜର ଦକ୍ଷତାକୁ ଚିହ୍ନିବା ଲାଗି ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ପ୍ରଥମ ଗହଣା ବ୍ରାଣ୍ଡ୍‌ ଭାବେ ମିଆ ପକ୍ଷରୁ ଜଣେ ପାରା କ୍ରୀଡ଼ାବିତ୍‌ଙ୍କୁ ସହଯୋଗୀ କରି ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛି। ତାଙ୍କୁ ନେଇ ତନି‌ଷ୍କର ଏହି ଅଭିଯାନ ମିଆଙ୍କ ସଂଘର୍ଷର କାହାଣୀକୁ ଏକ ନୂଆ ପରିଚୟ ଦେଇଛି। ମିଆର କାହାଣୀ ପରି ଶୀତଲଙ୍କ କାହାଣୀ ମଧ୍ୟ ସେମିତି ରୋଚକ ତଥା କୌତୂହଳପୂର୍ଣ୍ଣ। ମିଆ ଯେଉଁଥିପାଇଁ ପରିଚିତ ତାହାର ସମସ୍ତ ଗୁଣ ଶୀତଲଙ୍କ ପାଖରେ ରହିଛି। ଶୀତଲଙ୍କ ଏହି ଅଭିଯାନରେ ତାଙ୍କ ସଫଳତା ତଥା ଓ ପ୍ରତିଭାକୁ ଲୋକମାନେ ପ୍ରଶଂସା କରିବାକୁ ଉତ୍ସାହିତ କରାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। 

ଉଲ୍ଲେଖଯୋଗ୍ୟ, ଶୀତଲ ଭାରତର ପ୍ରଥମ ମହିଳା ଯିଏକି ବିନା ହାତରେ ପାରା ଏସିଆନ୍‌ ଗେମ୍ସ୍‌ର ଚତୁର୍ଥ ସଂସ୍କରଣରେ ତୀରନ୍ଦଜୀରେ ଦୁଇଟି ସ୍ବର୍ଣ୍ଣ ସହ ୩ଟି ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ଜାମ୍ମୁ କାଶ୍ମୀରର କିସ୍ତବାଡ଼ ଜିଲ୍ଲାର ଏକ ଅପହଞ୍ଚ ଛୋଟ ଗାଁ ଲୋଇଧାରରେ ତାଙ୍କର ଜନ୍ମ। ଜନ୍ମରୁ ହିଁ ତାଙ୍କର ହାତ ନାହିଁ। ଦୁଇଗୋଡ଼ ଓ ଛାତି ସାହାଯ୍ୟରେ ତୀରନ୍ଦାଜି ଶିଖି ସଫଳ ତୀରନ୍ଦାଜ ହୋଇପାରିଛନ୍ତି ଶୀତଲ। ଜନ୍ମରୁ ଶୀତଲ ଫୋକୋମେଲିଆ ରୋଗରେ ପୀଡ଼ିତ। ଏଣୁ ତାଙ୍କର ୨ଟି ହାତର ବିକାଶ ହୋଇପାରିନାହିଁ। ଏଣୁ ସେ ନିଜ ଗୋଡ଼କୁ ହାତ ଭଳି ବ୍ୟବହାର କରିବା ଆରମ୍ଭ କରିଥିଲେ। ଦୁଇ ଗୋଡ଼ରେ ତୀରନ୍ଦାଜି ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ। ଭାରତୀୟ ସେବା ଦ୍ବାରା ଆୟୋଜିତ କ୍ରୀଡ଼ା ଶିବିରରେ ସେ ଅଂଶଗ୍ରହଣ କରିବା ପରେ ଧୀରେ ଧୀରେ ତାଙ୍କର ତୀରନ୍ଦାଜି ପ୍ରତି ଆଗ୍ରହ ବଢ଼ିଥିଲା। ସେ ତୀରନ୍ଦାଜି କ୍ରୀଡ଼ାବିତ୍‌ ଭାବେ ୨୦୨୧ରେ ଯାତ୍ରା ଆରମ୍ଭ କରିଥି‌ଲେ। କଟରାରେ ଥିବା ମାତା ବୈଷ୍ଣୋଦେବୀ ଏକାଡେମୀରେ ଟ୍ରେନିଂ ନେଇଥିଲେ। କଠିନ ପରିଶ୍ରମ ସହିତ ସେ ସେପ୍ଟେମ୍ବର ୨୦୨୩ରେ ପାରା ଏସୀୟ ଗେମ୍ସ ଓ ପାରା ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲେ। ମାତ୍ର କିଛି ମାସରେ ଶୀତଲ ତୀରନ୍ଦାଜିରେ ଦକ୍ଷ ହୋଇଥିଲେ। ସିଙ୍ଗାପୁରର ଅଲିମ୍‌ ନୁର୍‌ ଏସ୍‌ଙ୍କୁ ୧୪୪.୧୪୨ରେ ପରାସ୍ତ କରି ସ୍ବର୍ଣ୍ଣପଦକ ଜିତିଥିଲେ ଶୀତଲ।

ସାବାସ୍‌ ତରଗାଇ
‌ପାଣିକୁ ଦେଖିଲେ ପିଲାମାନେ ଡରନ୍ତି। ଗ‌ାଧୋଇବା ନାଁ କହିଲେ ସେମାନେ ଖଣ୍ଡେଦୂର ଧାଆଁନ୍ତି, ପହଁରିବା‌ ତ ଦୂରର କଥା। ହେଲେ କିଛି ପିଲା ନଦୀ ନାଳରେ ଗାଧୋଇବାକୁ ଭଲ ପାଆନ୍ତି। ସାଧାରଣତଃ ପୁଅମାନଙ୍କର ଏସବୁରେ ରୁଚିଥାଏ। କିନ୍ତୁ ଜଣେ ଝିଅ! ହଁ, ଝିଅମାନେ ବି ପାଣିକୁ ବେଶ୍‌ ଭଲପାଆନ୍ତି। ସେମିତି ଜଣେ ଝିଅ ହେଉଛନ୍ତି ତରଗାଇ ଆରଥାନା। ବୟସ ମାତ୍ର ୧୦ବର୍ଷ। ଆଉ ଏ ବୟସରେ ସେ ସ୍କୁବା ଡାଇଭିଂ କରି ସମୁଦ୍ରରୁ ୩୦୦୦ କିଲୋଗ୍ରାମ୍‌ରୁ ଅଧିକ ବର୍ଜ୍ୟବସ୍ତୁ ସଫା କରିବାରେ ବିରଳ ରେକର୍ଡ କରିଛନ୍ତି ଏବଂ ଏହାସହ ସେ ସର୍ବକନିଷ୍ଠ ସ୍ବୀକୃତିପ୍ରାପ୍ତ ‘ପିଏଡିଆଇ’ ଜୁନିଅର୍‌ ଓପନ୍‌ ୱାଟର୍‌ ଡାଇଭର୍‌ ଏବଂ ଭାରତରେ ସାର୍ଟିଫିକେଟ୍‌ ପ୍ରାପ୍ତ ପ୍ରଥମ ଝିଅ ହେବାର ଗୌରବ ଅର୍ଜନ କରିଛନ୍ତି।

ଯେତେବେଳେ ତରଗାଇଙ୍କୁ ମାତ୍ର ତିନିଦିନ ହୋଇଥିଲା ‌େସତେବେଳେ ତାଙ୍କ ପିତା ତାଙ୍କୁ ପ୍ରଥମେ ସମୁଦ୍ରକୁ ନେଇଗଲେ। ନଅ ମାସ ବୟସରେ ସେ ନିଜେ ନିଜେ ପାଣିରେ ଭାସିଲେ ଏବଂ ୨ ବର୍ଷ ବୟସରେ ପହଁରିବା ଆରମ୍ଭ କଲେ। ୫ ବର୍ଷ ବୟସରେ ପାଣି ଭିତରେ ସେ ନିଃଶ୍ବାସ ନେବାରେ ପ୍ରଥମ ସଟ୍‌ କରିଥିଲେ ଏବଂ ୮ ବର୍ଷ ବୟସରେ ସେ ତାମିଲନାଡୁର ରାମେଶ୍ବରମ୍‌ କୂଳ ଠାରୁ ୨ ମିଟର୍‌ ଗଭୀରତାରେ ଡାଇଭିଂ କରୁଥିଲେ। ଏତେ କମ୍‌ ବୟସରେ ସେ ଏବେ ଜଣେ ସଫଳ ସ୍କୁବା ଡାଇଭର୍‌। ତାଙ୍କ ବାପା ତାଙ୍କର ପ୍ରେରଣା ବୋଲି କହନ୍ତି ତରଗାଇ। ସେ ଡାଇଭିଂ କରିବାକୁ ଭଲପାଆନ୍ତି ଏବଂ ରଙ୍ଗୀନ ମାଛ ତାଙ୍କର ଖୁବ୍‌ ପସନ୍ଦ। ମାନାମେଲ୍‌କୁଡ଼ିର ଜଳପ୍ରବାହ ସୁନ୍ଦର ଏବଂ ସେଠାରେ ବହୁତ ରଂଗୀନ ମାଛ ଅଛନ୍ତି। ହେଲେ ସେଠାରେ ଅନେକ ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ୍‌ ଭରିହୋଇ ରହିଥିବାରୁ ଡାଇଭିଂ ବେଳେ ସେସବୁ ପାଇଥା’ନ୍ତି ତରଗାଇ। ସମୁଦ୍ର ମଧ୍ୟରୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌, ଚପଲ, ପାଣିବୋତଲ, କ୍ୟାପ୍‌, ଷ୍ଟ୍ର’ ଇତ୍ୟାଦି ସଂଗ୍ରହ କରିଛନ୍ତି ସେ ଓ ତାଙ୍କ ବାପା। ଖାଲି ସେତିକି ନୁହେଁ, ଡାଇଭିଂ ବେଳେ ପୁରୁଣା ଜାଲରେ ଫସି ରହିଥିବା ଦୁଇଟି କଇଁଛଙ୍କୁ ଉଦ୍ଧାର ବେଳେ ସେମାନଙ୍କ ଫ୍ଲିପର୍‌ କାଟି କାଟି ନଷ୍ଟ ହୋଇଯାଇଥିଲା। କାରଣ ବହୁତ ଦିନ ଧରି ସେମାନେ ଜାଲରେ ଫସି ରହିଥିଲେ। ତାଙ୍କ ପିତା ସମୁଦ୍ରରୁ ୩୦,୦୦୦ କିଲୋଗ୍ରାମ୍‌ରୁ ଅଧିକ ବର୍ଜ୍ୟବସ୍ତୁ ସଂଗ୍ରହ କରିଥିବା ବେଳେ ‌ତରଗାଇ ତାଙ୍କ ପଦାଙ୍କ ଅନୁସରଣ କରି ୩୦୦୦ କିଲୋଗ୍ରାମ୍‌ ଆବର୍ଜନା ସଂଗ୍ରହ କରିସାରିଲେଣି। 
ତରଗାଇ ବିଶ୍ବାସ କରନ୍ତି ଯେ, ପ୍ରକୃତି ଆମର ଭଲ ଯତ୍ନ ନିଏ, କିନ୍ତୁ ଆମକୁ ମଧ୍ୟ ପ୍ରକୃତିର ଉପଯୁକ୍ତ ଯତ୍ନ ନେବାକୁ ପଡ଼ିବ। ଏହି ସମସ୍ୟାର ସମାଧାନ ପାଇଁ  ସମାଜର ସବୁବର୍ଗ ଏକାଠି ହେବା ଦରକାର। ସାମୁଦ୍ରିକ ଜୀବନ ରକ୍ଷା କରିବା ଏବଂ ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ରୋକିବା ପାଇଁ ସେ ୬୦ରୁ ଅଧିକ ଆଲୋଚନାଚକ୍ର କରିଛନ୍ତି। ‘ମୁଁ ମୋ ନିଜ ବୟସର ପିଲାମାନଙ୍କ ଉପରେ ବିଶେଷ ଧ୍ୟାନ ଦେଉଛି। କାରଣ ବାପା କହିଛନ୍ତି ଯେ, ପରିବେଶକୁ ବଞ୍ଚାଇବାର ଆବଶ୍ୟକତା ବିଷୟରେ ପରବର୍ତ୍ତୀ ପିଢ଼ିଙ୍କୁ ଶିକ୍ଷାଦେବା ନିହାତି ଜରୁରି। ଏଣୁ ‌େମା ସଂପର୍କୀୟ ୮ ବର୍ଷୀୟ ନିଶ୍ବିକ୍‌ ଓ ମୁଁ ଶ୍ରୀଲଙ୍କା-ଟୁ-ଇଣ୍ଡିଆକୁ ୧୧ ଘଣ୍ଟା ୩୦ ମିନିଟ୍‌ରେ ପହଁରି ସମୁଦ୍ର ବଞ୍ଚାଇବାର ସଚେତନତା ସୃଷ୍ଟି କରିବା ସହିତ ‘ସେଭ୍‌ ଦ ଓସେନ୍‌ ବ୍ୟାନର୍‌’ ଅଧୀନରେ ୧୯ କିଲୋମିଟର୍‌ ଓ ୨୧ କିଲୋମିଟର୍‌ର ସନ୍ତରଣ କରିସାରିଛି। ପ୍ରତିବର୍ଷ ଏହି ସମସ୍ୟା ପ୍ରତି ଧ୍ୟାନ ଦେବା ଜାରି ରଖି ଅନ୍ୟମାନଙ୍କୁ ପ୍ରେରଣା ଦେବାକୁ ଚାହୁଁଛି। ଯେତେବେଳେ ମୁଁ କୌଣସି ସଂସ୍ଥା ସହ କଥାବାର୍ତ୍ତା କରେ ସେତେବେଳେ ମୁଁ ସେମାନଙ୍କୁ ମୋ ସହ ସମୁଦ୍ରକୂଳରେ ଯୋଗ ଦେବାକୁ ଅନୁରୋଧ କରେ। ଅଣ୍ଡର୍‌ ୱାଟର୍‌ କ୍ଲିନ୍‌-ଅପ୍‌ରେ ଆମକୁ ସାହାଯ୍ୟ ପାଇଁ ଅଧିକ ସ୍କୁବା ଡାଇଭର୍‌ ଅାବଶ୍ୟକ’ ବୋଲି କହନ୍ତି ତରଗାଇ। ତାଙ୍କୁ ଯେ‌େତବେଳେ ୧୨ବର୍ଷ ବୟସ ହେବ, ସେବେ ସେ ପ୍ରଥମ ସର୍ବକନିଷ୍ଠ ମାଷ୍ଟର୍‌ ସ୍କୁବା ଡାଇଭର୍‌ ଏବଂ ଏହାସହିତ ସେ ସର୍ବକନିଷ୍ଠ ଅଣ୍ଡର୍‌ୱାଟର୍‌ ଭିଡିଓଗ୍ରାଫର୍‌ ହେବାର ମାନ୍ୟତା ପାଇବାକୁ ଆଶା ରଖିଛନ୍ତି।