ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଭଦ୍ରକରେ ସର୍ବାଧିକ ୬୮%, ବାଲେଶ୍ୱର-ଜଗତସିଂହପୁରରେ ୬୪% ପ୍ରତିଶତ ମତଦାନ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ସନ୍ଧ୍ୟା ୬ଟାରେ ଅଧିକାଂଶ ସ୍ଥାନରେ ଶେଷ ହୋଇଛି। ମାତ୍ର କିଛି ସ୍ଥାନରେ ଭିଭିପ୍ୟାଟ-ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବାରୁ ରିପୋର୍ଟ ଲେଖାଯିବା ବେଳକୁ ସନ୍ଧ୍ୟା ୬ଟା ପରେ ମଧ୍ୟ ମତଦାନ ଜାରି ରହିଛି। ଆଶା କରାଯାଉଛି ଯେ, ଯେଉଁ ମତଦାନ କେନ୍ଦ୍ରଗୁଡ଼ିକରେ ମତଦାନ ଜାରି ରହିଛି, ସେସବୁ ସ୍ଥାନଗୁଡ଼ିକରେ ରାତି ୮ରୁ ୯ଟା ସୁଦ୍ଧା ଶେଷ ହୋଇଯିବ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ମତଦାନ ହୋଇଛି। ଭଦ୍ରକ ଲୋକସଭା ଆସନରେ ସର୍ବାଧିକ ୬୮ ପ୍ରତିଶତ, ମୟୂରଭଂଜ ଲୋକସଭା ଆସନରେ ୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଉଭୟ ବାଲେଶ୍ୱର ଓ ଜଗତସିଂହପୁର ଲୋକସଭା ଆସନରେ ୬୪-୬୪ ପ୍ରତିଶତ ମତଦାନ ହୋଇଛି। ଭଦ୍ରକରେ ୬୮ ପ୍ରତିଶତ, ଯାଜପୁରରେ ୬୫ ପ୍ରତିଶତ, କେନ୍ଦ୍ରାପଡ଼ାରେ ୬୫ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସଂକ୍ଷେପରେ ୪ର୍ଥ ପର୍ଯ୍ୟାୟ ମତଦାନ

ସୂଚନାଯୋଗ୍ୟ ଆଜି ସକାଳ ୭ଟାରୁ ରାଜ୍ୟର ୧୦,୭୯୨ ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ୯୫,୦୦,୬୩୫ ମତଦାତା ସେମାନଙ୍କର ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରୁଛନ୍ତି। ମୋଟ ୪୯,୦୧,୦୭୯ ଜଣ ପୁରୁଷ, ୪୫,୯୮,୯୭୯ ଜଣ ମହିଳା ଓ ୫୪୫ ଜଣ ତୃତୀୟ ଲିଙ୍ଗୀ ମତଦାତା ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧,୮୬,୪୫୫ ଜଣ ହେଉଛନ୍ତି ଦିବ୍ୟାଙ୍ଗ ମତଦାତା।

ଓଡ଼ିଶାରେ ଶେଷ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୬ ଲୋକସଭା ଓ ୪୧ଟି ବିଧାନସଭା ଆସନରେ ୫୨ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ଜଣ ପୁରୁଷ ଥିବା ବେଳେ ୧୨ ଜଣ ହେଉଛନ୍ତି ମହିଳା। ସେହିପରି ୩୩୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩୦୧ ଜଣ ପୁରୁଷ ହୋଇଥିବା ବେଳେ ୩୪ ଜଣ ମହିଳା। ତୃତୀୟ ଲିଙ୍ଗୀର ଜଣେ ମାତ୍ର ପ୍ରାର୍ଥୀ ଅଛନ୍ତି।

ପୋଲିଂ କର୍ମଚାରୀ ମାନେ ଆଜି ରାତି ସୁଦ୍ଧା ଫେରିବେ। ସେମାନେ ଫେରିବା ବେଳକୁ ରାତି ହୋଇଯାଇଥିବାରୁ କେତେ ପ୍ରତିଶତ ପୋଲିଂ ହେବ, ତାହା କହିବା ସହଜ ନୁହେଁ। ତେଣୁ ପୋଲିଂ ପ୍ରତିଶତ ବାବଦରେ ମଙ୍ଗଳବାର ମଧ୍ୟାହ୍ଣରେ କୁହାଯାଇପାରିବ।

ସମ୍ଭାବିତ ବାତ୍ୟାକୁ ନେଇ ଆମେ ପ୍ରସ୍ତୁତ ଅଛୁ ବୋଲି ସିଇଓ କହିଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ‘ଫୋନି’କୁ ନେଇ ଆମେ କ୍ରମାଗତ ନିର୍ବାଚନ ଆୟୋଗ ଓ ଜିଲ୍ଲାମାନଙ୍କରେ ନିର୍ବାଚନ ଅଧିକାରୀଙ୍କ ସହିତ ସଂପର୍କରେ ଅଛୁ।

ବିଗତ ଦିନରେ ହୋଇଥିବା ୩ଟ ପର୍ଯ୍ୟାୟ ତୁଳନାରେ ଚଳିତ ପର୍ଯ୍ୟାୟରେ ଭଲ ମତଦାନ ହେବ ବୋଲି ଆମେ ଆଶା କରୁଛୁ। ଗଣମାଧ୍ୟମରୁ ଜାଣିବାକୁ ମିଳିଛି ଯେ, କିଛି ପୋଲିଂ ବୁଥରେ ହିଂସା ଘଟିଛି ମାତ୍ର ଏହା କେତେ ଦୂର ସତ ବା ମିଛ ତାହା ପରେ ଜଣାପଡ଼ିବ। ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଆମ କ୍ରମାଗତ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ପୋଲିଂ କମ୍ପାର୍ଟମେଣ୍ଟକୁ ଯାଇ ମତଦାତାଙ୍କୁ ସହଯୋଗ କରିବା ନିୟମ ନାହିଁ କିନ୍ତୁ ଏଭଳି କାମ କରିଥିବା ୩ ଜଣ ପୋଲିଂ କର୍ମଚାରୀଙ୍କ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଝାରପୁର ଆସନର ୧୯୯ ନମ୍ବର ବୁଥରେ ପୋଲିଂ କର୍ମଚାରୀ ବୈକୁଣ୍ଠନାଥ ମଲ୍ଲିକ, ୧୩୫ ନମ୍ବର ବୁଥରେ ଧୀରେନ୍ଦ୍ର ତ୍ରିପାଠୀ ଓ ସୁକିନ୍ଦା ଆସନର ୧୯୬ ନମ୍ବର ବୁଥରେ ଜନାର୍ଦ୍ଦନ ପୃଷ୍ଟିଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧିତ ଖବର