ନୂଆଦିଲ୍ଲୀ : ୟୁପିଏ ସରକାର ସମୟର ଏକ ପ୍ରତିରକ୍ଷା କିଣା ଦୁର୍ନୀତି ମାମଲାର ପର୍ଦ୍ଦାଫାସ ହୋଇଛି । ମିରେଜ ଲଢୁଆ ବିମାନର ନବୀକରଣ ପାଇଁ ୟୁପିଏ ସରକାରଙ୍କ ସମୟରେ ଫ୍ରାନ୍ସ କମ୍ପାନି ଥେଲ୍ସ ସହ ହୋଇଥିବା ପ୍ରାୟ ୨୦ ହଜାର କୋଟି ଟଙ୍କାର ଚୁକ୍ତିରେ କୋଟି କୋଟି ଟଙ୍କାର କମିଶନି କାରବାର ହୋଇଥିଲା । ଏହି କମିଶନି କାରବାରରେ ଫେରାର ପ୍ରତିରକ୍ଷା ସାମଗ୍ରୀ ଦଲାଲ ସଂଜୟ ଭଣ୍ଡାରୀ ସଂପୃକ୍ତ ଥିବା ଜଣାପଡ଼ିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଚୁକ୍ତି ପାଇଁ ସଂଜୟ ଜଣେ ଭାରତୀୟ ପ୍ରତିରକ୍ଷା ଅଧିକାରୀଙ୍କ ସହ ଥେଲ୍ସ କମ୍ପାନିର ବୈଠକ କରାଇଥିଲେ । ଚୁକ୍ତି ଚୂଡ଼ାନ୍ତ ହେଲେ ମୋଟ ୧୬୭ କୋଟିର କମିଶନି ଦେବାକୁ ସହମତି ହୋଇଥିଲା । ପ୍ରଥମ ଦଫାରେ କମ୍ପାନି ସଂଜୟଙ୍କ ଏକ ବ୍ୟାଙ୍କ ଖାତାକୁ ୭୫ କୋଟି ଟଙ୍କା ପ୍ରେରଣ କରିଥିଲା । କିନ୍ତୁ ଅବଶିଷ୍ଟ ୯୨ କୋଟି ଟଙ୍କା ମିଳିନଥିବାରୁ ସଂଜୟ ଉକ୍ତ କମ୍ପାନି ବିରୋଧରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ସରଳଭାଷାରେ କହିଲେ ଦଲାଲି ଅର୍ଥ ନମିଳିବାରୁ ଦଲାଲ ମାମଲା ରୁଜ୍ଜୁ କରିଛି ।

Advertisment

ସୂଚନାଯୋଗ୍ୟ ଯେ ସଂଜୟ ଭଣ୍ଡାରି ରବର୍ଟ ଭଦ୍ରାଙ୍କ ଘନିଷ୍ଠ ବୋଲି ଅଭିଯୋଗ ହେଉଛି ।

ଗତ ୮୦ ଦଶକରେ ଭାରତ ଫ୍ରାନ୍ସରୁ ୫୧ଟି ମିରେଜ କିଣିଥିଲା । ପୁଣି ଏଗୁଡ଼ିକର ଉନ୍ନତିକରଣ ପାଇଁ ୟୁପିଏ ସରକାରଙ୍କ ଅମଳରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଏହା ଅନୁଯାୟୀ ଫ୍ରାନ୍ସରୁ କେତେକ କିଟ୍ ଆସିଥିଲା । ଆସନ୍ତା ୨୦୩୫ ପର୍ଯ୍ୟନ୍ତ ମିରେଜ ବିମାନଗୁଡ଼ିକୁ ସେବା ଉପଯୋଗୀ କରି ରଖିବାକୁ ବାୟୁସେନା ନିଷ୍ପତ୍ତି ନେଇଛି । ସେତେବେଳେ ତେଜସ୍ ଓ ଅନ୍ୟ କେତେକ ବିଦେଶୀ ବିମାନ ଆସିବା ପରେ ସେଗୁଡ଼ିକୁ ସେବାନିବୃତ୍ତ କରାଯିବ ।