ତୁମ କାହାଣୀ: ମୂଷା ଚାଲିଲା ସହରକୁ

ନୃସିଂହ ଚରଣ ବେହେରା

ନେ ଗୋଟିଏ ମୂଷା ନିଜ ସାଙ୍ଗକୁ ଦେଖା କରିବାକୁ ଗାଁରୁ ଆସିଲା ସହରକୁ। ଗାଁର ମୂଷାଟି ନିଜର ବନ୍ଧୁକୁ ଏତେ ଦିନ ପରେ ଦେଖି ଆତ୍ମହରା ହୋଇଗଲା। ସେ ଆଗ ବନ୍ଧୁର କୁଶଳ ବିଷୟରେ ପଚାରି ତା’ ସହ ଗପିବାକୁ ଲାଗିଲା। ଏତେ ଦିନ ପରେ ବନ୍ଧୁ ଆସିଛି, ପୁଣି ସହରରୁ। ତେଣୁ ସେ ବନ୍ଧୁ ଚର୍ଚ୍ଚା କରିବା ପାଇଁ ପାଖରେ ଥିବା ଜମିରୁ କିଛି ମକା ଆଉ ଗଛରୁ କିଛି କୋଳି ତୋଳି ଆଣିଲା।

ହେଲେ…ମକା ଆଉ କୋଳିକୁ ଦେଖି ସହରରୁ ଆସିଥିବା ମୂଷାର ମୁହଁଟି ଶୁଖିଗଲା। ସେ ଜମାରୁ ଖୁସି ହୋଇ ପାରିଲାନି ଏମିତି ଖାଦ୍ୟ ଦେଖି। ତେଣୁ ସେ ତା’ ସାଙ୍ଗକୁ କହିଲା ଛି…! ସାଙ୍ଗ ତୁ ଏଠି ଗାଁରେ ରହି ଏସବୁ କ’ଣ ଖାଉଛୁ? ଏଗୁଡ଼ାକୁ କ’ଣ ଖାଦ୍ୟ କୁହାଯିବ? ତୁ ଏଠି ଏସବୁ ଅଖାଦ୍ୟକୁ ଖାଇ କେମିତି ଯେ ରହୁଛୁ ତାହା କେବଳ ଭଗବାନ ଜାଣନ୍ତି। ତୁ ଏଥର ଚାଲ ମୋ ସହିତ ସହରକୁ। ସେଠି ଦେଖିବୁ ଭଳିକି ଭଳି କେତେ ପ୍ରକାରର ଖାଇବା ଜିନିଷ ଆଉ ତା’ ସହିତ ବଡ଼ ବଡ଼ ଆଲିଶାନ୍‌ ଘର।

ଏହା ଶୁଣି ଗାଁ ମୂଷାର ମନ ଛନ ଛନ ହେଲା ସହର ଯିବା ପାଇଁ। ସେ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା। ସହରରେ ପହଞ୍ଚିବା ପରେ ବିଚରା ଗାଉଁଲି ମୂଷାଟି ବଡ଼ ବଡ଼ ଘର, ମୋଟର କାର୍‌ ସହିତ ଆହୁରି କେତେ କ’ଣ ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ତା’ପରେ ସହରୀ ମୂଷାଟି ଗୋଟିଏ ବଡ଼ ଅଟ୍ଟାଳିକା ତଳେ ଥିବା ପାର୍କିଂ ଏରିଆର ଗୋଟିଏ କୋଣକୁ ନେଇକରି ଗଲା। ଆଉ କହିଲା…ଦେଖ ସାଙ୍ଗ ଏଇଟା ହେଉଛି ମୋର ଘର। ଆଉ ତୁ ଗାଁରେ ବିଲ ଭିତରେ ଗାତ କରି ରହିଛୁ। ସହରୀ ମୂଷାର ଘରକୁ ଦେଖି ଗାଁ ମୂଷା ଖୁସି ହୋଇଗଲା।

ତା’ପରେ ଦୁହେଁ ସହର ବୁଲିବାକୁ ବାହାରିଗଲେ। ପରେ ପରେ ଦୁହିଁଙ୍କୁ ଭୋକ ଲାଗିଲା। ସହରୀ ମୂଷା ବହୁତ ଫଳ ଆଣିଲା ସାଙ୍ଗ ପାଇଁ। ଏତିକିବେଳେ କେଉଁଠି ଥିଲା କେଜାଣି ଗାଡ଼ିଟିଏ ମାଡ଼ି ଆସିଲା। ବହୁତ କଷ୍ଟରେ ଦୁହେଁ ଜୀବନ ବଞ୍ଚାଇଲେ। ତା’ପରେ ଗାଉଁଲୀ ମୂଷାଟି କହିଲା, ମଁୁ ମୋ ନିଜ ଘରକୁ ଫେରି ଯାଉଛି ସାଙ୍ଗ। ମୋ ଗାଁ ତୋ’ ସହରଠାରୁ ବହୁତ ଭଲ। ଏଠି ତ ପାଦେ ପାଦେ ବିପଦ ଅଛି। ସେଠାରେ ମନ ଆନନ୍ଦରେ ସବୁଆଡ଼େ ବୁଲି ହୁଏ। ହଁ ସେଠି ସହର ଭଳି ନାନା ପ୍ରକାର ଖାଇବା ଦ୍ରବ୍ୟ ମିଳେନା ସିନା ଶାନ୍ତି ଅଛି। ମଁୁ ଯାଉଛି। ବାଏ…..।
ବାୟାବାବା ମଠ ଲେନ୍‌
ଭୋଇ ନଗର, ଭୁବନେଶ୍ବର

ସମ୍ବନ୍ଧିତ ଖବର