ସରକାରଙ୍କ ଫୋକସରେ ଧର୍ମପୀଠ : ଶ୍ରୀଜଗନ୍ନାଥ, ଲିଙ୍ଗରାଜ, ତାରାତାରିଣୀ ଓ ସମଲେଶ୍ୱରୀ ପୀଠ ପାଇଁ ବଜେଟରେ ବ୍ୟୟବରାଦ

ଭୁବନେଶ୍ବର : ଚଳିତ ବଜେଟରେ ଆଉ ଏକ ବିଶେଷତ୍ବ ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ପରିଣତ କରିବା ପାଇଁ ବୃହତ ଯୋଜନାକୁ ଅର୍ଥ ମଂଜୁର କରିଛନ୍ତି ସରକାର । ଏଥିପାଇଁ ‘ଅବଢ଼ା’ ଯୋଜନା ଅଧିନରେ ସର୍ବମୋଟ ୩ ହଜାର ୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ଆଉ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଖର୍ଚ୍ଚ ହେବ ୬୯୫ କୋଟି ଟଙ୍କା।

ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ, ବହୁତଳ ବିଶିଷ୍ଟ କାର ପାର୍କିଂ ବ୍ୟବସ୍ଥା, ସ୍ୱର୍ଗଦ୍ୱାରର ଉନ୍ନତି, ସମୁଦ୍ର କୂଳର ଭେଣ୍ଡିଂ ଜୋନ୍ ଆଦିର ଉନ୍ନତିକରଣ ପାଇଁ ଟଙ୍କା ଖର୍ଚ୍ଚ ହେବ । ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ବର ଉନ୍ନତିକରଣ ପାଇଁ ବଡ଼ ଯୋଜନା କରିଛନ୍ତି ସରକାର । ମୋଟ ୭ ଶହ କୋଟି ଟଙ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଥିପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା । ସେହିପରି ଏକାମ୍ର କ୍ଷେତ୍ର  ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ ଲାଗି ବଜେଟରେ ୧୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ତେବେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି ଓ ଐତିହ୍ୟର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରିବା ସହ ବଡ ବଡ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ତେବେ ଐତିହ୍ୟସ୍ଥଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଯେଉଁ ଘୋଷଣା କରିଥିଲେ ତାହାର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ନିମନ୍ତେ ଚଳିତ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଉ ସେଥି ନିମନ୍ତେ ଅର୍ଥ ମଧ୍ୟ ଅଟକଳ କରାଯାଇଛି । ପୁରୀ, ଲିଙ୍ଗରାଜ, ତାରାତାରିଣୀ  ଓ ସମଲେଶ୍ୱରୀ ପୀଠ ପାଇଁ ଯେଉଁସବୁ ଘୋଷଣା ହୋଇଥିଲା ତାର କାର୍ଯ୍ୟକାରିତା ପାଇଁ ଚଳିତ ବଜେଟରେ ବ୍ୟୟଅଟକଳ ହୋଇଛି।

ସମ୍ବନ୍ଧିତ ଖବର