ନୂଆଦିଲ୍ଲୀ: ଭାରତୀୟ ଦଳର ଯୋଜନାର ବାହାରେ ରହିବା ପରେ ଦେଶର ଅନ୍ୟତମ ସଫଳ ବାମହାତୀ ଓପନର୍ ଶିଖର ଧାୱନ ଶନିବାର ଅବସର ଘୋଷଣା କରି ଦେଇଛନ୍ତି। ଆଉ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ କି ଘରୋଇ କ୍ରିକେଟ୍ ଖେଳିବେ ନାହ‌ିଁ ବୋଲି ସ୍ପଷ୍ଟ କରିଛନ୍ତି। ଭାରତ ପାଇଁ ୩୪ ଟେଷ୍ଟ୍‌, ୧୬୭ ଅନ୍ତର୍ଜାତୀୟ ଦିନିକିଆ ଓ ୬୮ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିଥିବା ଧାୱନ ଶନିବାର ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିବା ଏକ ଭିଡିଓରେ କ୍ରିକେଟ୍ ଛାଡ଼ିବା ସମ୍ପର୍କରେ ସୂଚନା ଦେଇଛନ୍ତି। ‘ଦେଶ ପାଇଁ ଖେଳିବାକୁ ଜୀବନରେ କେବଳ ଗୋଟିଏ ସ୍ବପ୍ନ ଥିଲା, ଏହାକୁ ମୁଁ ହାସଲ କରିସାରିଛି। ମୋର ଏହି ଯାତ୍ରାରେ ଅବଦାନ ରଖିଥିବା ପ୍ରତି ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି। ପ୍ରଥମତଃ ପରିବାରକୁ, ପିଲାଦିନର ପ୍ରଶିକ୍ଷକ ତାରକ ସିହ୍ନା ଓ ମଦନ ଶର୍ମାଙ୍କୁ ଶ୍ରେୟ ଦେବି। ଏମାନଙ୍କ ମାର୍ଗଦର୍ଶନରେ ମୁଁ ଖେଳର ମୌଳିକ ଶିଖିଥିଲି। ଯେଉଁ ସବୁ ଦଳ ପାଇଁ ଏତେବର୍ଷ‌ ଖେଳିଛି ସମସ୍ତଙ୍କୁ ବି କୃତଜ୍ଞତା ଜଣାଉଛି। ମୁଁ ଆଉ ଏକ ପରିବାର ପାଇଥିଲି ଯେଉଁଠାରୁ ସୁନାମ, ଖ୍ୟାତି ଓ ପ୍ରଶଂସକଙ୍କ ଭଲ ପାଇବା ମିଳିଥିଲା।’ ଏଭଳି କହିଛନ୍ତି ଧାୱନ। ସମ୍ପୂର୍ଣ୍ଣ କାହାଣୀ ପଢ଼ିବାକୁ ପୃଷ୍ଠା ଓଲଟାଇବାକୁ ପଡ଼ିବ। ଏହି କାମ ମୁଁ ଏବେ କରୁଛି। ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଉଛି। ଅବସର ନେବା ବେଳେ ମୁଁ ଅତ୍ୟନ୍ତ ଶାନ୍ତିରେ ରହିଛି, କାରଣ ଦେଶ ପାଇଁ ମୁଁ ଏତେବର୍ଷ‌ ଖେଳିପାରିଛି। ମୋତେ ସୁଯୋଗ ଦେଇଥିବାରୁ ବିସିସିଆଇ ଓ ଡିଡିସିଏ ନିକଟରେ ମଧ୍ୟ ମୁଁ କୃତଜ୍ଞ। ବର୍ଷବର୍ଷ ଧରି ଭଲ ପାଉଥିବା ପ୍ରଶଂସକମାନଙ୍କୁ ବି ଧନ୍ୟବାଦ ଜଣାଉଛି ବୋଲି ଧାୱନ ପ୍ରକାଶ କରିଛନ୍ତି। ନିଜକୁ ମୁଁ ଏବେ ଗୋଟିଏ କଥା କହୁଛି ଦେଶ ପାଇଁ ଆଉ ଖେଳିପାରୁ ନଥିବାରୁ ଦୁଃଖି ନହୋଇ ଏତେ ଦିନେ ଖେଳିଥିବାରୁ ଖୁସି ହେବାକୁ ଚାହେଁ। ଦେଶ ପାଇଁ ଖେଳିବା ମୋ ପାଇଁ ସବୁଠାରୁ ବଡ଼ ଉପଲବ୍‌ଧି। ୨୦୧୦ ମସିହାରେ ବିଶାଖାପାଟଣାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ରିକେଟ୍ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଶିଖର ଧାୱନ ପ୍ରଶଂସକଙ୍କ ନିକଟରେ ତାଙ୍କ ଷ୍ଟାଇଲିସ୍ ସେଲିବ୍ରେସନ୍ ପାଇଁ ‘ଗବ୍ବର’ ନାମରେ ପରିଚିତ ଥିଲେ। ୧୨ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍‌ ଯାତ୍ରାରେ ସେ ୧୦,୦୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିଥିଲେ। ସବୁଠାରୁ ପ୍ରଭାବୀ ହେଉଛି ୨୪ ଶତକ। ଯେଉଁଥିରେ ୧୭ ଦିନିକିଆ ଓ ୭ ଟେଷ୍ଟ୍ ଶତକ ସାମିଲ ରହିଛି। ଏଥିରେ ଏକ ଉଲ୍ଲେଖନୀୟ ବିଷୟ ହେଉଛି ୧୭ ଦିନିକିଆ ଶତକ ମଧ୍ୟରୁ ୧୨ଟି ସେ ବିଦେଶ ମାଟିରେ ଅର୍ଜନ କରିଥିଲେ। ୨୦୧୩ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିବା ବେଳେ ଧାୱନ ଏହାର ପ୍ରମୁଖ ଅଙ୍ଗ ଥିଲେ। ସେଥର ‘ଗବ୍ବର’ ୫ ମ୍ୟାଚ୍‌ରୁ ୯୦.୭୫ ହାରରେ ୩୬୩ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୨ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବି ସାମିଲ ଥିଲା।

Advertisment

ସଚିନ କହିଥିଲେ ‘ଆମେ ଜାଣିଛୁ ତୁମ ହିମ୍ମତ...’
୨୦୧୩ ମସିହାରେ  ମୋହାଲିରେ ଟେଷ୍ଟ୍ ପଦାର୍ପଣ କରି ଅଷ୍ଟ୍ରେଲିଆ ବିପକ୍ଷରେ ୧୮୭ ରନ୍‌ର ଧୂଆଁଧାର ପାଳି ଖେଳିଥିବା ଧାୱନଙ୍କୁ ସେତେବେଳେ ଟେଷ୍ଟ୍ କ୍ୟାପ୍ ପ୍ରଦାନ କରିଥିଲେ ସଚିନ ତେନ୍ଦୁଲକର। ଏହି ଅବସରରେ ସଚିନ କହିଥିଲେ ‘ଆମେ ଜାଣିଛୁ ତୁମ ହିମ୍ମତ...ଆମକୁ କିଛି ଦେଖାଅ’। ଏହା ପରେ ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର୍ ହୋଇଥିବା ଧାୱନ, ସଚିନଙ୍କ ଆଶାଠାରୁ ଢ଼େର ଆଗକୁ ବଢ଼ିଯାଇଥିଲେ। ଅଧିକାଂଶ କ୍ରିକେଟର୍‌ କିଛି ନା କିଛି ସ୍ବାର୍ଥ ପାଇଁ ଖେଳିଥିବା ବେଳେ ଧାୱନ ଥିଲେ ସମ୍ପୂର୍ଣ୍ଣ ନିସ୍ବାର୍ଥପର। ଅନେକ ଥର ପ୍ରତିକୂଳ ପରିସ୍ଥିତିରେ ବି ତାଙ୍କ ମୁଖମଣ୍ଡଳରେ ସ୍ମିତ ହାସ୍ୟ ଫୁଟି ଉଠିଥାଏ। ଦଳରେ ଥାଆନ୍ତୁ ନଥାଆନ୍ତୁ ସାଥି ଖେଳାଳିଙ୍କ ସଫଳତା ପାଇଁ ସେ ସର୍ବଦା କାମନା କରିଥାନ୍ତି। ୨୦୦୪ ମସିହାର ୧୯ ବର୍ଷରୁ କମ୍ ବିଶ୍ବକପ୍‌ଠାରୁ ଚର୍ଚ୍ଚାରେ ରହିଥିଲେ। ସେଥର ଭାରତ ବିଶ୍ବକପ୍ ଜିତିପାରି ନଥିଲା କିନ୍ତୁ ଧାୱନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଶେଷ ଥର ପାଇଁ ସେ ୨୦୨୨ରେ ଭାରତ ପାଇଁ ଖେଳିଥିଲେ।

୬ ବର୍ଷରେ ୧୦୦ ଶତକର ସାକ୍ଷୀ
ଶିଖର ଧାୱନ ୨୦୧୦ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୨ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। କିନ୍ତୁ ୨୦୧୩ରୁ ୨୦୧୯ ମସିହା ପର୍ଯ୍ୟନ୍ତ ୬ ବର୍ଷ ଭିତରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସହ ମିଶି ୧୦୦ ଶତକ ହାସଲ କରିବାର ସ୍ମୃତିକୁ କେବେ ଭୁଲିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ‘ଆମେ ଏକ ସୁନ୍ଦର ଯାତ୍ରାର ପଥିକ ଥିଲୁ। ମୋର ସ୍ପଷ୍ଟ ଭାବେ ମନେ ଅଛି ୬ ବର୍ଷ ଭିତରେ ୧୦୦ ଶତକ ହାସଲ କରିଥିଲୁ। ରବି (ଶାସ୍ତ୍ରୀ) ଭାଇ ‌ସେତେବେଳେ ଆମେ ପ୍ରଶିକ୍ଷକ ଥିଲେ’ ବୋଲି ଧାୱନ ପ୍ରକାଶ କରିଛନ୍ତି। ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲଙ୍କ ଅବିର୍ଭାବ ପରେ ଧାୱନଙ୍କ ଖେଳ ଜୀବନ ଅଣ‌ଦେଖା ‌ହୋଇଥିଲା। ୨୦୧୯ ଦିନିକିଆ ବିଶ୍ବକପ୍‌ ପରଠାରୁ ଅବଶ୍ୟ ତାଙ୍କ ଯିବା ଆସିବା ଲାଗି ରହିଥିଲା। କିନ୍ତୁ ଧାୱନ କହିଥିବା ୬ ବର୍ଷର ପରିସଂଖ୍ୟାନରୁ ଜଣାପଡ଼ିଛି ଏହି ସମୟ ମଧ୍ୟରେ କୋହଲି ୪୯, ରୋହିତ ଶର୍ମା ୩୦ ଏବଂ ଧାୱନ ୨୩ ଶତକ ମାରିଥିଲେ।

ଶୁଭେଚ୍ଛାର ସୁଅ ଛୁଟିଲା

କ୍ରିକେଟ୍‌କୁ ଅଲବିଦା କହିଦେବା ପରେ ଶିଖର ଧାୱନଙ୍କ ନିକଟକୁ ଏବେ ଅବସରକାଳୀନ ଶୁଭେଚ୍ଛାର ସୁଅ ଛୁଟିଛି। ନଜଫଗଡ଼ କା ନବାବ ବୀରେନ୍ଦ୍ର ସେହବାଗଙ୍କଠାରୁ ଆରମ୍ଭ କରି ବର୍ତମାନର ବହୁ ଖେଳାଳି ‘ଗବ୍ବର’ଙ୍କୁ ଶୁଭକାମନା ଜଣାଇଛନ୍ତି। ‘ବଧାଇ ହୋ ଶିଖି’ ଲେଖି ସେହବାଗ କହିଛନ୍ତି ‘ମୋହାଲିରେ ତୁମେ ମୋ ବଦଳରେ‌ ଖେଳିବା ପରଠାରୁ ଆଉ ପଛକୁ ଫେରି ଦେଖି ନଥିଲ। ବର୍ଷବର୍ଷ ଧରି ତୁମେ ଶୀର୍ଷସ୍ତରୀୟ ପ୍ରଦର୍ଶନ ‌ବି ଦେଇଥିଲ। ଏବେ ଜୀବନର ସମ୍ପୂର୍ଣ୍ଣ ମଜା ନିଅ’। ଅବସରପ୍ରାପ୍ତ ଖେଳାଳିଙ୍କ କ୍ଲବ୍‌କୁ ସ୍ବାଗତ କରି ଇର୍ଫାନ୍ ପଠାନ୍ ଲେଖିଛନ୍ତି ‘ଜୀବନ ଏବେ ଆରମ୍ଭ ମାତ୍ର’। ଶିଖର ଧାୱନଙ୍କ ସାଥି ଖେଳାଳି ତଥା ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ‘ତୁମେ ଭାରତୀୟ କ୍ରିକେଟର୍ ଅସଲ ‘ଗବ୍ବର’ ହୋଇ ରହିବ। ନୂଆ ପାଳି ପାଇଁ ଶୁଭକାମନା’ ବୋଲି ଲେଖିଛନ୍ତି ମହମ୍ମଦ ସାମି। ସ୍ପିନ୍ କିଂବଦନ୍ତି ଅନିଲ କୁମ୍ବଲେଙ୍କ ସହ ହାର୍ଦିକ ପାଣ୍ଡ୍ୟା,‌ ଶ୍ରେୟସ ଆୟର, ଉନ୍ମୁକ୍ତ ଚାନ୍ଦ, ଭିଭିଏସ ଲକ୍ଷ୍ମଣ, ୱାସିମ୍ ଜାଫର, ସୁରେଶ ରାଇନା, ପାକ କ୍ରିକେଟର୍‌ ସଇଦ୍ ଅନୱାର ଓ ଇଂଲିସ୍ ଅମ୍ପାୟାର୍‌ ରିଚାର୍ଡ କେଟଲବରୋ ମଧ୍ୟ ଏହି ବାମହାତୀ ବ୍ୟାଟର୍‌ଙ୍କ ଦ୍ବିତୀୟ ପାଳିକୁ ଶୁଭକାମନା ଜଣାଇଛନ୍ତି।

୧୮୭: ମୋହଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ କ୍ରିକେଟ୍‌ ପଦାର୍ପଣ ପାଳିରେ ଧାୱନ ୧୮୭ ରନ୍‌ର ପାଳି ଖେଳିଥିଲେ। ଟେଷ୍ଟ୍‌ରେ କୌଣସି ଭାରତୀୟ ପଦାର୍ପଣକାରୀଙ୍କ ଭିତରେ ଏହା ସର୍ବୋଚ୍ଚ ରନ୍‌ ଥିଲା ଓ ମୋଟ୍‌ ଉପରେ ଅଷ୍ଟମ ‌ସର୍ବୋଚ୍ଚ ହୋଇଥିଲା। ୮୫ ବଲ୍‌ରୁ ଶତକ ଅର୍ଜନ କରି ପଦାର୍ପଣରେ ଦ୍ରୁତତମ ଶତକ ଅର୍ଜନକାରୀ ହୋଇଥିଲେ।

୪୪.୧୧: ଦିନିକିଆରେ ସେ ୧୬୪ ପାଳି ଖେଳିଥିଲା ‌ବେଳେ ଏହି ହାରରେ ୬୭୯୩ ରନ୍‌ ସଂଗ୍ରହ କରିଥିଲେ। ଭାରତର ୧୯ ଜଣ ବ୍ୟାଟର୍‌ ୩୦୦୦ କିମ୍ବା ଊର୍ଦ୍ଧ୍ବ ରନ୍‌ କରିଥିବା ଖେଳାଳିଙ୍କ ଭିତରୁ କେବଳ ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ସଚିନ ତେନ୍ଦୁଲକରଙ୍କ ହାରାହାରି ଅଧିକ ରହିଛି। 

୬୫.୧୫: ଆଇସିସିର ୫୦ ଓଭରିଆ ପ୍ରତିଯୋଗିତା (ଦିନିକିଆ ବିଶ୍ବକପ୍‌ ଓ ଚାମ୍ପିଅନ୍ସ ଟ୍ରଫି) ରେ ଏହା ତାଙ୍କ ହାରାହାରି। ୨୦ ପାଳିରୁ ସେ ୬ ଶତକ ଓ ୧୦ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ଅନ୍ୟୁନ ୧୦୦୦ ରନ୍‌ କରିଥିବା ୫୧ ବ୍ୟାଟର୍‌ଙ୍କ ଭିତରୁ ଧାୱନଙ୍କ ହାରାହାରି ଶ୍ରେଷ୍ଠ। ୧୦ ଦିନିକିଆ ବିଶ୍ବକପ୍‌ରେ ୭୭.୮୮ ଓ ୧୦ ଚାମ୍ପିଅନ୍ସ ଟ୍ରଫିରେ ୭୭.୮୮ ହାରାହାରିରେ ରନ୍‌ ସଂଗ୍ରହ କରିଛନ୍ତି।

୧୮: ଆନ୍ତର୍ଜାତିକ ଦିନିକିଆର ପ୍ରଥମ ୱିକେଟ୍‌ରେ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଭିତରେ ୧୮ଥର ଶତକୀୟ ଭାଗୀଦାରି ହୋଇଛି। ଯାହାକି ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି (୨୧) ଙ୍କ ଯୋଡ଼ି ପରେ ଦ୍ବିତୀୟ ଶ୍ରେଷ୍ଠ ପ୍ରାରମ୍ଭିକ ‌ଯୋଡ଼ି। ମୋଟାମୋଟି ରୋହିତ ଓ ଧାୱନଙ୍କ ଭିତରେ ପ୍ରଥମ ୱିକେଟ୍‌ରେ ହୋଇଥିବା ୫୧୪୮ ରନ୍‌ ବିଶ୍ବ କ୍ରିକେଟ୍‌ ଭିତରେ ଚତୁର୍ଥ ସର୍ବୋଚ୍ଚ। ସଚିନ-ଗାଙ୍ଗୁଲି, ଆଡାମ ଗିଲଖ୍ରୀଷ୍ଟ-ମାଥ୍ୟୁ ହେଡେନ୍‌ ଓ ଗର୍ଡନ ଗ୍ରିନିଜ୍‌-ଡେସମଣ୍ଡ ହାଏନେସ୍‌ଙ୍କ ପଛକୁ ରୋହିତ-ଧାୱନ ରହିଛନ୍ତି। 

୧୪୦: ଦିନିକିଆରେ ୬୦୦୦ ରନ୍‌ରେ ପହଞ୍ଚିବାକୁ ତାଙ୍କୁ ଏତିକି ପାଳି ଖେଳିବାକୁ ପଡ଼ିଥିଲା। ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବାକୁ ଧାୱନଙ୍କ ବ୍ୟତୀତ ହାସିମ ଆମ୍‌ଲା, ବିରାଟ କୋହଲି, କେନ୍‌ ୱିଲିୟମସନ୍‌, ଡେଭିଡ୍‌ ୱାର୍ଣ୍ଣର ଏତିକି ପାଳିରେ ଖେଳିଥିଲେ। 
୧୦୯: ୨୦୧୮ରେ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକୀୟ ଦିନିକିଆ ମ୍ୟାଚ୍‌ ଖେଳିଥିଲା ବେଳେ ସେଥିରେ ୧୦୯ କରିଥିଲେ। ଯାହାଦ୍ବାରା ଶତକୀୟ ମ୍ୟାଚ୍‌ରେ ଶତକ ଅର୍ଜନ କରିବାରେ ବିଶ୍ବର ୧୦ ଜଣ ବ୍ୟାଟର୍‌ଙ୍କ ଭିତରେ ସେ ସାମିଲ ହୋଇଥିଲେ। 

୬୧: ଏସିଆ ମହାଦେଶରେ ଏହା ଧାୱନଙ୍କ ଟେଷ୍ଟ୍‌ ହାରାହାରି। ୨୪ ପାଳିରେ ସେ ୧୪୦୩ ରନ୍‌ ସଂଗ୍ରହ କରିଥିଲା ବେଳେ ୬ ଶତକ ସାମିଲ ଥିଲା। ଏସିଆ ବାହାରେ ସେ ୩୪ ପାଳିରୁ ଗୋଟିଏ ଶତକ ଓ ୨୬.୮୨ ହାରରେ ୯୧୨ ରନ୍‌ କରିଛନ୍ତି।
୧୨: ଭାରତ ବାହାରେ ଏହା ଧାୱନଙ୍କ ଦିନିକିଆ ଶତକ ସଂଖ୍ୟ। ଦିନିକିଆରେ କିନ୍ତୁ ଏସିଆ ବାହାରେ ତାଙ୍କର ଚମତ୍କାର ପ୍ରଦର୍ଶନ (୪୪.୦୩ ହାର ଓ ୮୯.୩୪ ଷ୍ଟ୍ରାଇକ୍‌ରେଟ୍‌) ରହିଛି। ଏପରିକି ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ସେ ୬୮ ପାଳି ଖେଳି ୪୬.୬୮ ହାର ଓ ୯୧.୭୩ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍‌ କରିଛନ୍ତି। ଯାହା ମଧ୍ୟରେ ୮ଶତକ ସାମିଲ ଅଛି।

୬୭୬୯: ଏହା ଆଇପିଏଲ୍‌ରେ ଧାୱନଙ୍କ ସଂଗୃହୀତ ରନ୍‌। କୋହଲି (୮୦୦୪) ଙ୍କ ପଛକୁ ସେ ଦ୍ବିତୀୟ ସର୍ବାଧିକ ସ୍କୋରର ଅଛନ୍ତି। ଏହି ଲିଗ୍‌ରେ ସେ ସର୍ବାଧିକ ୭୬୮ ଚୌକା ମାରିଛନ୍ତି। କୋହଲି କିନ୍ତୁ ୭୦୫ ଚୌକା ମାରି ତାଙ୍କ ପଛକୁ ଅଛନ୍ତି।
୫: ଆଇପିଏଲ୍‌ରେ ୫ଟି ସଂସ୍କରଣ (୨୦୧୨, ୨୦୧୬, ୨୦୧୯, ୨୦୨୦, ୨୦୨୧) ସେ ୫୦୦ରୁ ଊର୍ଦ୍ଧ୍ବ ସ୍କୋର କରିଛନ୍ତି। କେବଳ କୋହଲି, ୱାର୍ଣ୍ଣର ୭ ଥର ଲେଖାଏଁ, କେଏଲ୍‌ ରାହୁଲ ୬ ଥର ଏହି କୀର୍ତ୍ତି କରିଛନ୍ତି। ଧାୱନ ୨୦୧୮ରେ ମଧ୍ୟ ୫୦୦ ସ୍କୋର ମାଇଲ୍‌ଖୁଣ୍ଟ ଛୁଇଁବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ଏହି ସଂସ୍କରଣରେ ସେ ୪୯୭ ରନ୍‌ କରିଥିଲେ।