ଏରସମାରେ ବଢ଼ୁଛି କରୋନା ସଂକ୍ରମଣ, ଗଢ଼ହରିଶପୁର ପଂଚାୟତକୁ କଣ୍ଟେନମେଣ୍ଡ ଜୋନ୍ ଘୋଷଣା

ବାତ୍ୟା ୟାସ୍ ଯିବା ପରେ ବଢ଼ିଲା ସଂକ୍ରମଣ;ଘରେ ଘରେ ଥଣ୍ଡା ଜ୍ୱର

ଜଗତସିଂହପୁର ଟାଉନ୍/ଏରସମା : ସାମୁଦ୍ରିକ ଝଡ଼ ୟାସ୍ ଆସିଲା ଓ ଚାଲିଗଲା । କରୋନାକୁ ନେଇ ପ୍ରଶାସନର ଯାହା ଭୟ ଥିଲା ବାତ୍ୟା ଯିବା ପରେ କିଛି ମାତ୍ରାରେ ତାହା ସତ ହୋଇଛି । ବାତ୍ୟା ପରେ ଏବେ ଉପକୂଳ ବ୍ଲକ୍ ଗୁଡ଼ିକରେ ସଂକ୍ରମଣ ବଢ଼ିବାରେ ଲାଗିଛି । ବିଶେଷ କରି ଏରସମା ବ୍ଲକ୍ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯାହାକୁ ନେଇ ଆଜି ଗଡ଼ହରିଶପୁର ପଂଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ପଂଚାୟତ ସହ ନିକଟ ପଂଚାୟତରେ ଘରେ ଘରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି ।
ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ପାରାଦୀପ ଷଣ୍ଢକୂଦ ବସ୍ତିଠାରୁ ଆରମ୍ଭ କରି ଏରସମା-ବାଲିକୁଦା ଉପକୂଳ ଅଂଚଳରେ ଥିବା ବଙ୍ଗାଳୀମାନେ ମାଳ ମାଳ ହୋଇ କଲିକତା ଯାଇଥିଲେ । ପଶ୍ଚିମବଙ୍ଗରୁ ଫେରିବା ପରେ ଏହି ସବୁ ଅଂଚଳରେ କରୋନା ସଂକ୍ରମଣ ବଢ଼ିଥିଲା । ହେଲେ ଅଧିକାଂଶ ଲୋକ ଟେଷ୍ଟ କଲେ ନାହିଁ କିମ୍ବା ସରକାରଙ୍କ କଟକଣାକୁ ପାଳନ କଲେ ନାହିଁ । ପରେ ପରେ ବାତ୍ୟା ୟାସ୍ ଆସିବା ଯୋଗୁଁ ସମସ୍ତ ବ୍ଲକ୍ ଓ ପୌରାଚଂଳରେ ବିପଦପୂର୍ଣ୍ଣ ସ୍ଥାନରେ ଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିଲେ । ଏଥିପାଇଁ ୪୨ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳ ସମେତ ୨ ଶହରୁ ଅଧିକ ବିକଳ୍ପ ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିଲା । ସରକାରୀ ତଥ୍ୟ ଅନୁସାରେ ଏରସମା ବ୍ଲକ୍ରେ ସର୍ବାଧିକ ୬୩୦୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ପାରାଦୀପ ପୌରାଚଂଳରେ ୩୩୮୬ ଜଣ, ବାଲିକୁଦା ବ୍ଲକ୍ରେ ୨୯୯୪ ଜଣ, ତିର୍ତ୍ତୋଲ ବ୍ଲକ୍ରେ ୨୫୯୦ ଜଣ, ଜଗତସିଂହପୁର ବ୍ଳକ୍ରେ ୧୭୩୮ ଜଣ, ବିରିଡ଼ି ବ୍ଲକରେ ୧୭୧୮ ଜଣ, କୁଜଙ୍ଗ ବ୍ଲକ୍ରେ ୧୯୦୧ ଜଣ, ରଘୁନାଥପୁର ବ୍ଲକ୍ରେ ୧୦୧୨ ଜଣ ଏବଂ ଜଗତସିଂହପୁର ପୌରାଚଂଳରେ ୧୧୨୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମୋଟ ୨୨୩୬୧ ଜଣ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଇଥିଲା । ତେବେ ଏହି ସମୟରେ କରୋନା କଟକଣାକୁ ପାଳନ କରିବାକୁ ପ୍ରଶାସନିକ ଅଧିକାରୀ/କର୍ମଚାରୀ ଚେଷ୍ଟା କରିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏହା ଫଳପ୍ରଦ ହୋଇ ନଥିବା ଦେଖିବାକୁ ମିଳିଥିଲା । ଏମିତିକି ମୁହଁରେ ମାସ୍କ ଦେବାକୁ କୁଣ୍ଠାବୋଧ କରିଥିଲେ । ହାତରେ କମ୍ ସମୟ ଥିବାରୁ ଆଣ୍ଟିଜେନ୍ ଟେଷ୍ଟ ସମସ୍ତ ସ୍ଥାନରେ କରିବା ସମ୍ଭବ ହୋଇ ନଥିଲା । ବାତ୍ୟା ସରିବା ପରେ ଲୋକମାନେ ଘରକୁ ଫେରିବା ପରେ ଏବେ କରୋନା କବଳରେ ପଡ଼ିଛନ୍ତି ।
ଏରସମା ବ୍ଲକ୍ ଗଡହରିଶପୁର ପଂଚାୟତର ରାଜସ୍ୱଗ୍ରାମ ଗଡ଼ହରିଶପୁର, ଗରିଆ ଓ ଅସିଆକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦ଟି ଆଣ୍ଟିଜେନ୍ ଟେଷ୍ଟର ୧୪ ଜଣଙ୍କ ପଜିଟିଭ୍ ଆସିଛି । ୮୦ଟି ଆର୍ଟିପିସିଆର୍ ରିପୋର୍ଟ ଟେଷ୍ଟ ପାଇଁ ପଠାଯାଇଛି । ସୂଚନା ଅନୁସାରେ ଶତାଧିକ ଲୋକ କରୋନାରେ ସଂକ୍ରମଣ ହୋଇଛନ୍ତି । ଘରେ ଘରେ ଥଣ୍ଡା, ଛିଙ୍କ, କାସ, ଜ୍ୱର ଲାଗି ରହିଛି । ହେଲେ ପ୍ରଶାସନକୁ ଅସହଯୋଗ କରି ଟେଷ୍ଟ ନକରି ଘରେ ରହୁଛନ୍ତି ଲୋକ । ଯାହା ଆଗକୁ ଭୟଙ୍କର ସ୍ଥିତି ସୃଷ୍ଟି କରିବ । ସେହିପରି ନିକଟ ପଂଚାୟତ ପଦ୍ମପୁର, ଗୋଡା, ବାଲିକୁଦା ବ୍ଲକ୍ର କୁସୁପରରେ ମଧ୍ୟ ସଂକ୍ରମଣ ହାର ଯଥେଷ୍ଟ ଅଧିକ ରହିଛି । ବାଲିକୁଦା ବ୍ଲକ୍ର ମରିଚିପୁର ବାତ୍ୟା ଆଶ୍ରୟସ୍ଥଳରେ ଥିବା ୮୦ ଜଣଙ୍କରୁ ୨୭ ଜଣ କରୋନା ପଜିଟିଭ୍ ବାହାରିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତେବେ ଏଦିଗରେ ସ୍ଥାନୀୟ ପ୍ରଶାସନ କେତେଦୂର ସଫଳ ହେବ ତାକୁ ନେଇ ଆଲୋଚନା ଜୋର ଧରିଛି । ଏରସମା ବିଡିଓ କୌଳାସ ଚନ୍ଦ୍ର ବେହେରା କହିଛନ୍ତି ଯେ ଟେଷ୍ଟ ବଢ଼ାଯିବା ସହ ଘରେ ଘରେ ସର୍ଭେ କରାଯାଇ ଏହାର ମୁକାବିଲା କରାଯିବ ।
(ଫଟୋ ଅଛି)

ସମ୍ବନ୍ଧିତ ଖବର