ସାମୁଦ୍ରିକ ବାତ୍ୟା ‘ଫନି’କୁ ମାସେରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ସୁଧୁରିନି ଅବସ୍ଥା

ଗଡ଼ିଶାଗୋଦା : ସାମୁଦ୍ରିକ ବାତ୍ୟା ‘ଫନି’କୁ ମାସେରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଗଡ଼ିଶାଗୋଦା ଅଞ୍ଚଳରେ ଏବେ ବି ଅବସ୍ଥା ସୁଧୁରୁନି। ବାତ୍ୟାରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତରୁ ଅଧିକ ଲୋକ କୃଷିକାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବା ବେଳେ ବାତ୍ୟାରେ ଫସଲ ଉଜୁଡ଼ି ଯାଇଥିବାରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ସେହିପରି ବହୁ ଘର ଆଜି ପର୍ଯ୍ୟନ୍ତ ଧରାଶାୟୀ ହୋଇ ପଡ଼ି ରହିଛି। ବାତ୍ୟାରେ ମତ୍ସଜୀବୀଙ୍କ ଡଙ୍ଗା ଓ ଜାଲ ସବୁ ବୁଡ଼ି ଯାଇଥିବା ବେଳେ ସେମାନେ ଏବେ ହାତ ବାନ୍ଧି ବସିଛନ୍ତି। ଭଙ୍ଗା ଘରକୁ ସଜାଡ଼ିବା ପାଇଁ ଅର୍ଥ ବାଧକ ସାଜୁଥିବା ବେଳେ ସରକାରଙ୍କ ପକ୍ଷରୁ ବିପନ୍ନଙ୍କୁ ଏପର୍ଯ୍ୟନ୍ତ ଘରଭଙ୍ଗା ସହାୟତା ମିଳିନାହିଁ। ଆଉ ଦିନ କେଇଟା ପରେ ମୌସୁମୀ ଓଡ଼ିଶା ଛୁଇଁବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ଫଳରେ ପଲିଥିନ୍‌ ପକାଇ ଭଙ୍ଗା ଘରେ ଆଶ୍ରୟ ନେଇଥିବା ବିପନ୍ନମାନଙ୍କ ମନରେ ଏବେ ଛନକା ପଶିଲାଣି। ସେହିପରି ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇନାହିଁ। ଗଡ଼ିଶାଗୋଦା ଓ ଏହାର ଆଖପାଖ ଅଞ୍ଚଳକୁ କେବେ ବିଦ୍ୟତ୍‌ ସଂଯୋଗ ଦିଆଯିବ ତାହାର ଉତ୍ତର କାହାରି ପାଖରେ ନାହିଁ। ଫଳରେ ବିଦ୍ୟୁତ୍‌ ସରବରାହ ପୁନଃ ଚାଲୁ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପ୍ରଶାସନ ଏଦିଗରେ ଧ୍ୟାନ ଦେବା ସହ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ସ୍ବାଭାବିକ କରିବାକୁ ଯଥୋଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର