କୋରାପୁଟ ରାଜନୀତି : ଗମାଙ୍ଗ, ପାଙ୍ଗୀ ପରିବାରର ଯୁଗ ଶେଷ!

ଉଲ୍ଲାକା ପରିବା‌ରରେ ନୂଆ ପିଢ଼ିର ଅଭ୍ୟୁଦୟ

ରାୟଗଡା : କୋରାପୁଟ ରାଜନୀତିରେ ଶେଷ ହେବ ଗମାଙ୍ଗ ଓ ପାଙ୍ଗୀ ପରିବାରର ଯୁଗ। ୨୦୧୯ ନିର୍ବାଚନ ଫଳାଫଳ ଏହି ସଂକେତ ଦେଇଛି। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ଚଳିତ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ନ ଲଢ଼ି ପୁଅ ଶିଶିର ଗମାଙ୍ଗଙ୍କୁ ଅବତୀର୍ଣ କରାଇଥିଲେ। ଗୁଣପୁର ବିଧାନସଭା ଆସନରୁ ଶିଶିର ବିଜେପି ପ୍ରାର୍ଥୀ ଭାବେ ଲଢ଼ି ହାରିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୟରାମ ପାଙ୍ଗୀ ମଧ୍ୟ ବିଜେପି ଟିକଟରେ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି। ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ, ଶଳା ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗଙ୍କୁ କୌଣସି ଦଳ ଟିକେଟ୍ ଦେଇନଥିବା ବେଳେ ଜୟରାମ ପାଙ୍ଗୀଙ୍କ ପୁଅ ଅଶୋକ ପାଙ୍ଗୀ, ଭାଇ ତଥା ପଟାଙ୍ଗୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଦଳୀୟ ଟିକେଟରୁ ବଂଚିତ ହୋଇଛନ୍ତି। ଯାହା ଗମାଙ୍ଗ ଓ ପାଙ୍ଗୀ ପରିବାରର ରାଜନୀତି ଭବିଷ୍ୟତିକୁ ସନ୍ଦିହାନ କରି ଦେଇଛି।

ଏକଦା ଗମାଙ୍ଗ ଓ ପାଙ୍ଗୀ ପରିବାର ବିନା କୋରାପୁଟ ରାଜନୀତିରେ ପତ୍ର ହଲୁନଥିଲା। ଗମାଙ୍ଗ କଂଗ୍ରେସ ରାଜନୀତିରେ, ପାଙ୍ଗୀ ଅଣ କଂଗ୍ରେସ (ପ୍ରଥମେ ଜନତା, ପରେ ବିଜେଡି) ରାଜନୀତିରେ ନିଜ ସ୍ଥିତିକୁ ଉଭୟ କୋରାପୁଟ ଏବଂ ରାୟଗଡାରେ ସୁଦୃଢ଼ କରିପାରିଥିଲେ। ଯେଉଁଥି ପାଇଁ ଗିରିଧର ଗମାଙ୍ଗ କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ଟିକେଟରୁ ୯ ଥର ସଂସଦକୁ ନିର୍ବାଚିତ ହେବା ସହ ୧୯୯୯ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ଏଥିସହ ୧୯୯୯ ମସିହାରେ ସ୍ତ୍ରୀ ହେମା ଗମାଙ୍ଗଙ୍କୁ କୋରାପୁଟ ଲୋକସଭା ଆସନରୁ ସାଂସଦ ଭାବେ, ୨୦୦୪ ନିର୍ବାନଚରେ ଗୁଣପୁର ବିଧାନସଭା ଆସନରୁ ବିଧାୟିକା ଭାବେ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୦୯ ନିର୍ବାଚନରେ ହେମା ଟିକେଟ୍ ନ ପାଇବାରୁ ୨୦୧୪ରେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇ ଲକ୍ଷ୍ମୀପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେମା ଲକ୍ଷ୍ମୀପୁରରେ କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକାଙ୍କ ନିକଟରୁ ହାରିଯାଇଥିଲେ।

୨୦୧୯ ନିର୍ବାଚନ ପୂର୍ବରୁ ହେମା ପୁଣି ଘର ବାହୁଡା ପାଇଁ ଉଦ୍ୟମ କରିଥିଲେ। ହେଲେ କଂଗ୍ରେସ ଭିତରେ ବିଦ୍ରୋହ ଯୋଗୁ ସମ୍ଭବ ହୋଇନଥିଲା। ଏହାରି ଭିତରେ ଗିରିଧର ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଯାହା କଂଗ୍ରେସ ପରିବାର ସହ ଗମାଙ୍ଗଙ୍କ ସଂପର୍କକୁ ଚ୍ଛିନ୍ନ କରିବା ସହ ସବୁ ଦିନ ପାଇଁ ପୂର୍ଣଚ୍ଛେଦ ଟାଣିଥିଲା। ୨୦୧୯ ରେ ଗିରିଧର ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିବା ସହ ପୁଅ ଶିଶିରକୁ ଗୁଣପୁର ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ କରାଇଥିଲେ। ହେଲେ ଦଳୀୟ ଗୋଷ୍ଠୀ କନ୍ଦଳ ଗମାଙ୍ଗଙ୍କୁ ସହାୟକ ହୋଇପାରିଲାନି। ଶିଶିର ମାତ୍ର ୧୬ ହଜାର ଭୋଟ ପାଇ ପରାସ୍ତ ହେବା ସହ ଚତୁର୍ଥ ସ୍ଥାନରେ ରହିଥିଲେ।

ପାଙ୍ଗୀ ପରିବାରର ଇତିହାସ ମଧ୍ୟ ସମାନ। ଜୟରାମଙ୍କ ବାପା ମସୁରୀସାନ୍ତା ପାଙ୍ଗୀ କଂଗ୍ରେସ ରାଜନୀତିରେ ଥିବା ବେଳେ ୧୯୭୦ରେ ଜୟରାମ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରେ ସାମିଲ୍ ହୋଇଥିଲେ। ୧୯୭୭ ମସିହାରେ ଜୟରାମ ପାଙ୍ଗୀ ପ୍ରଥମେ ପଟାଙ୍ଗୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହା ମଧ୍ୟରେ ପାଙ୍ଗୀ ୪ ଥର ପଟାଙ୍ଗୀ ଆସନରୁ ବିଧାନସଭାକୁ ନିର୍ବାଚିତ ହେବା ସହ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ କୃଷି, ଅବକାରୀ, ସମବାୟ ବିଭାଗର ମନ୍ତ୍ରୀ ପଦ ସମେତ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଛନ୍ତି। ୨୦୦୯ରେ ଜୟରାମ ପାଙ୍ଗୀଙ୍କୁ ଦଳ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ପ୍ରଥମ ଥର ପାଇଁ ଗିରିଧର ଗମାଙ୍ଗଙ୍କୁ ହରାଇ ପାଙ୍ଗୀ ବିଜେଡି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ଦଳ ପାଙ୍ଗୀଙ୍କୁ ଟିକେଟ୍ ନ ଦେଇ ପୁଅ ଅଶୋକ ପାଙ୍ଗୀଙ୍କୁ ନବରଂଗପୁର ଲୋକସଭା ଅଧୀନରେ ଥିବା କୋଟପାଡ ବିଧାନସଭା ଆସନରୁ ଏବଂ ଭାଇ ପ୍ରଫୁଲ୍ଲ ପାଙ୍ଗୀଙ୍କୁ କୋରାପୁଟ ଲୋକସଭା ଅଧୀନରେ ଥିବା ପଟାଙ୍ଗୀ ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ କରିଥିଲା। ଅଶୋକ ପାଙ୍ଗୀ ହାରିଥିବା ବେଳେ ପ୍ରଫୁଲ୍ଲ କିନ୍ତୁ ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଜୟରାମ ବିଜେଡି ଛାଡି ବିଜେପିରେ ଯୋଗ ଦେବା ସହ ବିଜେଡି ବିରୁଦ୍ଧରେ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ସେ ହାରିଯାଇଥିଲେ।

କୋରାପୁଟ ରାଜନୀତିରେ ପାଙ୍ଗୀ ଓ ଗମାଙ୍ଗ ପରିବାରର ଏପରି ଚିତ୍ର ଥିବା ବେଳେ ନୂତନ ପିଢ଼ି ଭାବେ ଆଶାର ଆଲୋକ ହୋଇଛନ୍ତି ନବନିର୍ବାଚିତ କଂଗ୍ରେସ ସାଂସଦ ତଥା ପୂର୍ବତନ ମନ୍ତ୍ରୀ, ସାଂସଦ ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ଇଂ. ସପ୍ତଗିରି ଉଲ୍ଲାକା। ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା କଂଗ୍ରେସ ଟିକେଟରୁ ୭ ଥର ବିଧାନସଭା ଓ ଥରଟିଏ ଲୋକସଭାକୁ ନିର୍ବାଚିତ ହେବା ସହ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ୨୦୧୧ରେ ତାଙ୍କର ମୃତ୍ୟୁ ପରେ ପୁଅ ସପ୍ତଗିରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ସ୍ବର୍ଗତ ରାମଚନ୍ଦ୍ରଙ୍କ ପତ୍ନୀ ରତ୍ନମଣି ଉଲ୍ଲାକା ବର୍ତମାନ ଏଆଇସିସି ସଦସ୍ୟ ଭାବେ କାମ କରୁଥିବାରୁ ଆଗାମୀ ଦିନରେ ଏହି ପରିବାରର ରାଜ କୋରାପୁଟ ରାଜନୀତିରେ ଦେଖିବାକୁ ମିଳିବ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର