ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏହି ମହାନ ଆତ୍ମାଙ୍କୁ ୧୨୪ଟି ଦେଶରୁ ସମ୍ମାନ ମିଳିଛି। ‘ମହାତ୍ମା ଗାନ୍ଧୀ ଇଣ୍ଟର୍ନେସ୍ନାଲ୍ ସାନିଟେସନ୍ କନ୍ଫରେନ୍ସ’ରେ ୧୨୪ ଦେଶର କଳାକାରମାନେ ଅଂଶ ଗ୍ରହଣ କରିବା ସହିତ ପ୍ରାୟ ୪୦ ଜଣ କଣ୍ଠଶିଳ୍ପୀ ଗାଇଥିବା ଏହି ହୃଦୟସ୍ପର୍ଶୀ ଗୀତକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରସିହ୍ନା ମେହେତାଙ୍କ ଗୁଜୁରାଟୀ ଭାଷାରେ ରଚିତ ହିନ୍ଦୁ ଭଜନ ‘ବୈଷ୍ଣବ ଜନ ତୋ’ ହେଉଛି ମହାତ୍ମା ଗାନ୍ଧୀଙ୍କର ପ୍ରିୟ ଭଜନ। ଏହି ଭଜନକୁ ସେ ନିଜର ଦୈନନ୍ଦିନ ପ୍ରାର୍ଥନାରେ ସାମିଲ୍ କରିଥିଲେ।
ଆରମୋନିଆରୁ ନେଇ ଆଙ୍ଗ୍ଲୋ, ଶ୍ରୀଲଙ୍କାରୁ ସେରବିୟା, ଇରାକ୍ରୁ ଆଇସ୍ଲାଣ୍ଡ୍ ପର୍ଯ୍ୟନ୍ତ ଆଞ୍ଚଳିକ କଣ୍ଠଶିଳ୍ପୀମାନେ ଗାନ୍ଧୀଙ୍କ ଏହି ପ୍ରିୟ ଭଜନ ଗାନ କରି ନିଜର ଦକ୍ଷତା ଦେଖାଇଛନ୍ତି। ବିଭିନ୍ନ ଦେଶର କଣ୍ଠଶିଳ୍ପୀମାନେ ଗାଇଥିବା ଏହି ଭଜନକୁ ମିଶ୍ରଣ କରାଯାଇ ୫ ମିନିଟ୍ର ଏକ ଚମତ୍କାର ଭିଡିଓ ତିଆରି କରାଯାଇଛି। ଏହାକୁ ପୂର୍ବରୁ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର୍ ଗାଇଥିଲେ।
ଏହି ଭଜନର ରଚୟିତା ନରସିହ୍ନା ମେହେତା ଜଣେ ନୀରକ୍ଷର ଥିବା ସତ୍ୱେ ବି ଭଜନ ରଚନା କ୍ଷେତ୍ରରେ ତାଙ୍କର ରହିଥିଲା ଅଗାଧ ଜ୍ଞାନ। ସେ କିଛି ଦିନ ପାଇଁ ନିଜ ମନର ଶାନ୍ତି ସକାଶେ ଜଙ୍ଗଲରେ ଯାଇ ଧ୍ୟାନ କଲେ। ସେଠାରେ ସେ ଶିବ ଓ କୃଷ୍ଣଙ୍କ ଅରାଧନା କରି ଜଣେ ସନ୍ଥ ଭାବେ ପରିଚୟ ହାସଲ କଲେ। ସେ ପ୍ରାୟ ୨୨ ହଜାର ଭଜନ ରଚନା କରି ଗୁଜୁରାଟର ଆଦି କବି ଭାବେ ପ୍ରସିଦ୍ଧି ଲାଭ କଲେ।
ଏପଟେ ପିଲାଦିନୁ ଭୂତ, ଅନ୍ଧାରକୁ ଭୟ କରୁଥିବା ଗାନ୍ଧିଜୀଙ୍କୁ ରାମ ନାମ ଜପ କରିବାକୁ ତାଙ୍କ ବାଇ ରମ୍ଭା କହିଥିଲେ। ଗାନ୍ଧିଜୀ ପୂର୍ବରୁ ପ୍ରାର୍ଥନା ସମୟରେ ରାମନାମ ହିଁ ଜପ କରୁଥିଲେ। ‘ବୈଷ୍ଣବ ଜନ ତୋ’ ଭଜନର ଜନ୍ମ ପରେ ଗାନ୍ଧିଜୀଙ୍କ ପ୍ରାର୍ଥନାରେ ଏହା ସାମିଲ୍ ହୋଇଗଲା। ଏହି ଭଜନ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ ଦେହତ୍ୟାଗ କରିବା ପର୍ଯ୍ୟନ୍ତ ଦିନଟିଏ ବି ଏହି ଭଜନ ଗାନ କରିବାରୁ ନିଜକୁ ନିବୃତ କରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/1538476104-Mahatma_Gandhi_Bardoli_Ashram.jpg)