ରାଉରକେଲା: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ। ଚଳଚଞ୍ଚଳ ହୋଇଛି ଗାଁଠୁ ସହର। ସବୁଠି ଏବେ ଉତ୍ସବର ମାହୋଲ। ଗଣେଶ ପୂଜାକୁ ନେଇ ସ୍ମାର୍ଟସିଟି ରାଉରକେଲା ସହରର ବିଭିନ୍ନ ପୂଜାମଣ୍ଡପ ଆକର୍ଷଣୀୟ ତୋରଣ ଓ ରେଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି। ସହରରେ ଆଜିଠୁ ଆରମ୍ଭ ହୋଇଥିବା ପୂଜା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସହରରେ ପ୍ରତିବର୍ଷ ଆକର୍ଷଣ କେନ୍ଦବିନ୍ଦୁ ସାଜିଥିବା ପୁରୁଣା ଷ୍ଟେସନ ଗଣେଶ ପୂଜାର ଚମକ ଏବେ କମିଯାଇଛି। ସିଭିଲଟାଉସିପ୍‌, ଛେଣ୍ଡକଲୋନି, ବାସନ୍ତୀକଲୋନି, ପାୱାରହାଉସ୍‌ ଗଣେଶ ପୂଜା ଏବେ ସହରରେ ମୁଖ୍ୟ ଆକର୍ଷଣ ସାଜିଛି।

Advertisment

ଛେଣ୍ଡ କଲୋନି ଭିଏସ୍‌ଏସ୍‌ ମାର୍କେଟ ସମ୍ମୁଖ ବ୍ରାଇଟ୍‌ ଲେନ୍‌ ୱେଲଫେୟାର କମିଟିର ଗଣେଶ ପୂଜା ୩୨ ବର୍ଷରେ ପଦାର୍ପଣ କରିଛି। କମିଟି ପକ୍ଷରୁ ନିର୍ମାଣ କରାଯାଉଥିବା ତୋରଣରେ କିଛି ନା କିଛି ନୂଆ ଲୁକ୍‌ ରହିଥାଏ। ଏଥର କମିଟି ନିର୍ମାଣ କରିଛି ଗୁଜୁରାଟର ସୋମନାଥ ମନ୍ଦିର ଆକୃତିର ତୋରଣ। ସୁନା ରଙ୍ଗର କପଡ଼ାରେ ନିର୍ମାଣ ତୋରଣ ସହରରେ  ଅନ୍ୟତମ ଆକର୍ଷଣ ପାଲଟିଛି। କମିଟିର ସଭାପତି ଦିଲୀପ ସାହୁ, ସାଧାରଣ ସମ୍ପାଦକ ନିହାର ରଞ୍ଜନ ଦାସ, ଉପଦେଷ୍ଟା ଜେଣ୍ଟଲ ପରିଡ଼ା, ରିକି ବଜାଜ୍‌ଙ୍କ ସମେତ ପ୍ରିନ୍ସ ଦାସ, ଅଭିନାଶ ଜେନା, ଦେବାଶିଷ ଲେଙ୍କା, ବିକାଶ ପୃଷ୍ଟିଙ୍କ ନେତୃତ୍ବରେ ପୂଜାକୁ ଆକର୍ଷଣୀୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କମିଟି ପୂଜାର ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ବାସନ୍ତୀକଲୋନି ପାଣିଟାଙ୍କିସ୍ଥ ହେଲ୍‌ପ୍‌ ଏଜ୍‌ ପକ୍ଷରୁ ୩୨ ବର୍ଷ ଧରି ଚାଲିଥିବା ପୂଜା ଏଥର ତୋରଣରେ ନୂଆ ଲୁକ୍‌ ଦିଆଯାଇଛି। ବାଉଁଶ ପାତିଆରେ ନିର୍ମାଣ ହୋଇଛି ପ୍ରଜାପତି ମହଲ ଆକୃତିର ତୋରଣ। ସଭାପତି ନିମୁ ଜୈନ୍‌, ସାଧାରଣ ସମ୍ପାଦକ ସଞ୍ଜୟ ରାୟ, ଉପଦେଷ୍ଟା ବୁଲୁ ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟମାନେ ନେତୃତ୍ବ ନେଇଛନ୍ତି। କେବଳ ତୋରଣ ନୁହେଁ ଗଣେଶ ପ୍ରତିମା କମିଟି ଆଉ ଏକ ଆକର୍ଷଣ ସାଜିଛି। ସିଭିଲଟାଉନସିପ୍‌ ଆର୍‌ଡିଏ ପଡ଼ିଆରେ ନିର୍ମାଣ ହୋଇଛି ତାଇୱାନ୍ର ବୁଦ୍ଧ ମନ୍ଦିର ଆକୃତିର ତୋରଣ। ଏଠି ମଧ୍ୟ ତୋରଣ ସହ ଗଣେଶମୂର୍ତ୍ତି ବେଶ୍‌ ଆକର୍ଷଣୀୟ ହୋଇଛି। ଗଣେଶଙ୍କ ମୂର୍ତ୍ତି ଛତିଶଗଡ ରାୟପୁରରୁ ଅଣାଯାଇଛି। ସଭାପତି ସଞ୍ଜିତ ସିଂ, ସାଧାରଣ ସମ୍ପାଦକ ବିକାଶ ଶର୍ମାଙ୍କ ନେତୃତ୍ବରେ କମିଟିର କାର୍ଯ୍ୟକର୍ତ୍ତାମାନେ ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି।

ସେମିତି ସିଭିଲଟାଉନ୍‌ସିପ୍‌ ମଡର୍ଣ୍ଣ ପଡ଼ିଆରେ ନିର୍ମାଣ ହୋଇଛି ବୃନ୍ଦାବନର ଚନ୍ଦ୍ରୋଦୟ ମନ୍ଦିର। ବାସନ୍ତୀକଲୋନି ପାହାଡପାର୍ଶ୍ବ ଗଣେଶ ପୂଜାକମିଟି ପକ୍ଷରୁ ମନ୍ଦିର ଆକୃତିର ତୋରଣ ଆଉ ଏକ ଆକର୍ଷଣ। ବାସନ୍ତୀକଲୋନି ଡିଏଭି ଛକରେ ଆଖଣ୍ଡଳମଣି ପୂଜା କମିଟି ପକ୍ଷରୁ ଶୋଭାପାଉଛି କର୍ଣ୍ଣାଟକର କୋଟିଲିଙ୍ଗେଶ୍ବର ସ୍ବାମୀ ମନ୍ଦିର ଆକୃତି ତୋରଣ। ଚଳିତ ଥର ପୂଜା ୨୫ ବର୍ଷରେ ପାଦ ଥାପିଛି। ସଭାପତି ସପନ ବେହେରା, ସମ୍ପାଦକ ରାଜା ନାୟକ, ସହ ସମ୍ପାଦକ ଅମିତ ବାରିକ୍‌, ଚନ୍ଦନ ବରାଳଙ୍କ ସହଯୋଗର ପୂଜା କରାଯାଉଛି। ପାୱାରହାଉସ୍‌ ରୋଡ ସମେତ ଇସ୍ପାତ ସହରାଞ୍ଚଳରେ ଆକର୍ଷଣୀୟ ତୋରଣମାନ ନିର୍ମାଣ କରାଯାଇଛି। ଶାନ୍ତିଶୃ୍ଙ୍ଖଳା ବଜାୟ ରଖିବାକୁ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।