ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଓବାଦୀଙ୍କୁ ନେଇ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ମାଲକାନଗିରି ଗଂଜେଇ। ମାଲକାନଗିରି ଗଂଜେଇର ବାହାର ରାଜ୍ୟରେ ବେଶ ଚାହିଦା ରହିଥିବା ବେଳେ ପ୍ରଚ୍ଛଦ ପଟରେ ମାଫିଆମାନେ ଆଦିବାସୀଙ୍କୁ ଉନ୍ନତମାନର ଗଂଜେଇ ବିହନ ଯୋଗାଇବା ସହ ଚାଷର ପ୍ରଣାଳୀରେ ସହଯୋଗ କରିଆସୁଛନ୍ତି। ଏପଟେ ଗଂଜେଇକୁ ନେଇ ପୁଲିସ କଡାକଡି ଯାଞ୍ଚ କରୁଥିବାବେଳେ ଜବତ କମ୍ ହେଉଥିବା ବେଳେ ଅଧିକ ଖସିଯାଉଛି । ପୁଲିସ କହିଛି ଅପରପକ୍ଷରେ ବାହାର ରାଜ୍ୟର ମାଫିଆଙ୍କ ଉପରେ ତୀକ୍ଷଣ ନଜର ରହିଥିବା ବେଳେ ଗିରଫ ମଧ୍ୟ କରାଯାଉଛି। ଜିଲ୍ଲାର ସୀମାରେ ଅନ୍ୟ ରାଜ୍ୟ ସଂଯୋଗ ଥିବା ବେଳେ ରହିଛି ଘଂଚ ଜଂଗଲ। ଯାହାର ସୁଯୋଗ ନେଇ ମାଫିଆମାନେ ଜିଲ୍ଲାରୁ ଗଂଜେଇଗୁଡିକ ପାର କରିଦେଉଛନ୍ତି। ଏବେ ଗଂଜେଇ ଅମଳର ସମୟ। ପୁଲିସ ଏବଂ ଅବକାରୀ ବିଭାଗ ଗଂଜେଇ ଗଛ ନଷ୍ଟ କରିବାରେ ଲାଗିପଡିବେ। ଅଥଚ କୋଟି କୋଟି ଟଂକାର ଗଂଜେଇ ପାର ହୋଇଯିବ।

Advertisment

ଗଂଜେଇର ଭୁସ୍ବର୍ଗ ମାଲକାନଗିରି। ଜିଲ୍ଲାର ଦୁର୍ଗମ ଅଂଚଳରେ ଶହଶହ ଏକରରେ ସବୁଜ ଫର ଫର ହୋଇ ଉଡୁଛି ଗଂଜେଇ ଗଛ। ଜିଲ୍ଲାର ପାହାଡିଆ ,ନଦୀକୂଳିଆ ଅଂଚଳରେ ହଜାର ହଜାର ଏକରରେ ହେଉଛି ଏହି ଚାଷ। ଏଠାରେ ଶୀଳାବତୀ ପରି ଉନ୍ନତି ମାନର ଗଂଜେଇ କରାଯାଉଛି ଚାଷ। ଏହାର ପ୍ରଚ୍ଛଦ ପଟରେ ରହିଛନ୍ତି ଗଂଜେଇ ମାଫିଆ। ମାଫିଆମାନେ ବାହାର ରାଜ୍ୟରୁ ଉନ୍ନତମାନର ଗଂଜେଇ ବିହନ ଆଣିବା ସହ ଜଂଗଲ ଭିତରେ ଲେବ୍ କରି ପରୀକ୍ଷଣ ପ୍ରକ୍ରିୟାରେ ଆଦିବାସୀଙ୍କୁ ତାଲିମ ଦେଇ କରାଉଛନ୍ତି ଚାଷ। ଯାହାଦ୍ବାରା କି ଗଂଜେଇ ଗଛ ହୃଷ୍ଟପୃଷ୍ଟ ହେବା ସହ ଉନ୍ନତମାନର ଗଂଜେଇ ଅମଳ ହେଉଛି। ଯାହାର ଚାହିଦା ଏବେ ବାହାର ରାଜ୍ୟରେ ବଶ ଅଧିକ। ପୁଲିସର କଡା ଗଂଜେଇ ଡ୍ରାଇଭ ପରେ ମଧ୍ୟ ମାଫିଆମାନେ ଜିଲ୍ଲାରୁ ଅତି ଚତୁରତାର ସହ ପାର କରାଇ ନେଉଛନ୍ତି ଗଂଜେଇ। ମାଲକାନଗିରି ଗଂଜେଇ ଦିଲ୍ଲୀ ଠାରୁ ଆରମ୍ଭ କରି ଛତିଶଗଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ ପରି ଅନେକ ରାଜ୍ୟରେ ଧରାପଡିବା ପରେ ଏହି ତଥ୍ୟ ପଦାକୁ ଆସିଛି।

ଯଦିଓ ମାଓବାଦୀଙ୍କ ସ୍ଥିତି କିଛି ଦିନ ହେବ ମାଲକାନଗିରିରେ କମି ଥିବା ବେଳେ ଗଂଜେଇ ଚାଷରୁ ମଧ୍ୟ ମାଓବାଦୀମାନେ ପ୍ରୋତ୍ସାହନ ଦେଇ ମାଫିଆଙ୍କ ଠାରୁ ଅର୍ଥ ମଧ୍ୟ ଆଦାୟ କରୁଥିଲେ। ତେବେ ପ୍ରଶ୍ନ ଉଠୁଛି ଯଦି ଅବକାରୀ ଓ ପୁଲିସ ଏତେ ଗଂଜେଇକୁ ନେଇ ଚାଷ ନଷ୍ଟ କରିବା ଆରମ୍ଭ କରି ଧରପଗଡ କଲେ ମଧ୍ୟ କିଭଳି ହେଉଛି ଗଂଜେଇ ଚାଷ ଓ ଏହା ରପ୍ତାନୀ।

ଅପରପକ୍ଷରେ ମାଲକାନଗିରି ପୁଲିସ କହିଛି ଗତ ୨୦୨୩-୨୪ରେ ୧୬୬ଟି ଗଂଜେଇ କେଶ ହେଉଥିବା ବେଳେ ୩୬ ଟନ୍ ଗଂଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୮୦ କୋଟି ଟଂକାରୁ ଉର୍ଦ୍ଧ୍ବ ହେବ। ଏହି ଘଟଣାରେ ୨୦୩ ଜଣଙ୍କୁ ଗିରଫ କରିଥିବା ବେଳେ ୭୨ ଜଣ ବାହାର ରାଜ୍ୟର। ଚଳିତ ବର୍ଷ ମଧ୍ୟ ବର୍ତ୍ତମାନ ସୁଦ୍ଧା ୪୨ଟି କେଶ୍ ହୋଇଥିବା ବେଳେ ୨୦ ଟୋନ୍ ଗଂଜେଇ ଜବତ ହୋଇସାରିଲାଣି। ଏହି ମାମଲାରେ ୧୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବାହାର ରାଜ୍ୟର ୪୧ ଜଣ।ଅପହଞ୍ଚ ଅଂଚଳରେ ମାଫିଆମାନଙ୍କ ପ୍ରୋତ୍ସାହନରେ ଆଦିବାସୀମାନେ ଏହି ଗଂଜେଇ ଚାଷ କରୁଛନ୍ତି। ମାଲକାନଗିରି ସୀମାକୁ ଲାଗି ଅନ୍ୟ ରାଜ୍ୟର ଜଂଗଲ ଲାଗି ରହିଥିବାରୁ କାଉଡି ମାଧ୍ୟମରେ ଗଂଜେଇଗୁଡିକ ପାର କରିନେଉଛନ୍ତି ମାଫିଆ। ପୁଲିସ ପକ୍ଷରୁ ଏହାକୁ ନେଇ ସ୍ବତନ୍ତ୍ର ଡ୍ରାଇଭ ମଧ୍ୟ ଚାଲୁଥିବା ବେଳେ ଆଗାମୀ ଦିନରେ ଆହୁରି ଧରପଗଡ କରାଯିବ। ଏହାସହ ଆଗାମୀ ଦିନରେ ଆଦିବାସୀମାନେ କିପରି ଗଂଜେଇ ଚାଷରୁ ନିବୃତ୍ତ ହେବେ ସେନେଇ ସଚେତନତା ମଧ୍ୟ କରାଯାଉଛି। ତେବେ ଦେଖିବାର କଥା କେବେ ମାଲକାନଗିରିରୁ ଗଂଜେଇ ଚାଷରୁ ମୁକ୍ତ ହେବ ଓ ବେଆଇନ କାର୍ଯ୍ୟରୁ ଆଦିବାସୀମାନେ ନିବୃତ୍ତ ହେବ।