ମାଲକାନଗିରି: ଆଜି ଚିତ୍ରକୋଣ୍ଡା ପୁଲିସ ଓ ମାଲକାନଗିରି ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନୂଆଗୁଡ଼ା ପଞ୍ଚାୟତର ଘଗଡାବନ୍ଧ ଗ୍ରାମ ପାର୍ଶ୍ଵ ଜଙ୍ଗଲରେ ଚଢ଼ଉ କରାଯାଇଥିଲା।ଚଢ଼ଉ ବେଳେ ୧୪ ଏକର ଜମିରେ ଚାଷ ହୋଇଥିବା ୨୧୦୦୦ ଗଞ୍ଜେଇ ନଷ୍ଟ କରାଯାଇଛି।ଏହାର ଆନୁମାନିକ ମୂଲ୍ୟ ୨ କୋଟି ୧୦ ଲକ୍ଷ ଟଂକାର ହେବ ବୋଲି ଜଣାପଡିଛି।ଏନେଇ ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।ଗଞ୍ଜେଇ ଚାଷ ହୋଇଥିବା ଜମିର ଯାଞ୍ଚ କରାଯାଇ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗକୁ ଅନୁରୋଧ କରାଯାଇଛି।
ରିପୋର୍ଟ ମିଳିବା ପରେ ଅବକାରୀ ଓ ପୁଲିସ ବିଭାଗ ତରଫରୁ ଚାଷୀକୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ବର୍ତ୍ତମାନ ଗଂଜେଇ ଅମଳର ସହୟ ହୋଇଥିବାରୁ ଜିଲ୍ଲା ପୁଲିସ ଏବଂ ଅବକାରୀ ବିଭାଗ ସଜାଗ ହୋଇଛି।ଗତବର୍ଷ ଅବକାରୀ ବିଭାଗ ତରଫରୁ ୪୩୦ ଏକର ଜମିରେ ୬ ଲକ୍ଷ ୫୪ ହଜାର ୨୦୦ ଗଂଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଏହାର ମୂଲ୍ୟ ୬୫ କୋଟି ୪୨ ଲକ୍ଷ ଟଂକା ହେବ ବୋଲି କୁହାଯାଇଛି।
ଲଗାତାର ଦୁଇ ବିଭାଗ ପକ୍ଷରୁ ଗଂଜେଇ ଚାଷ ହେଉଥିବା ଅଂଚଳକୁ ଟାର୍ଗେଟ କରାଯିବା ସହ ଗଂଜେଇ ଗଛ ନଷ୍ଟ କରାଯିବ ବୋଲି କୁହାଯାଇଛି।ଏହି ଚଢ଼ଉ ସମୟରେ ଅବକାରୀ ବିଭାଗ ତରଫରୁ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ,ସବ୍ ଇନ୍ସପେକ୍ଟର ଅଶେଷ କୁମାର ନାୟକ,ଅମିୟ କୁମାର ଖଞ୍ଜା,ଦୀପକ କୁମାର ସାମଲ,ଏଏସଆଇ ରାମ ଚନ୍ଦ୍ର ହନ୍ତାଲ ଉପସ୍ଥିତ ଥିଲେ। ପୁଲିସ ବିଭାଗ ତରଫରୁ ଚିତ୍ରକୋଣ୍ଡା ଥାନା ଆଇଆଇସି ମୁକୁନ୍ଦ ମେଲକା ଏବଂ ଅନ୍ୟ ପୁଲିସ କର୍ମଚାରୀ,ଡିଭିଏଫ ଯବାନ ପ୍ରମୁଖ ଉପସ୍ଥିତ ଥିଲେ।