ମଙ୍ଗୁଳା ନାବାଳିକା କନ୍ୟାକୁ ଉଠାଇ ନେଲା ଜିଲ୍ଲା ଚାଇଲଡ ଲାଇନ; ଶିଶୁପାଳ ହୋଇ ଗାଁ କୁ ଫେରିଲା ବର

ବ୍ରଜରାଜନଗର: ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ୨୨ନମ୍ବର ୱାର୍ଡରେ ଥିବା ଜଣେ କନ୍ୟାପିତା ନିଜର ନାବାଳିକା ଝିଅର ବିବାହ ଭଅଁର ଖୋଲ ପଞ୍ଚାୟତରେ ଥିବା ଏକ ଗ୍ରାମରେ ଠିକ କରିଥିଲେ। ଆଜି ବିବାହକୁ କିଛି ସମୟ ଥିବା ବେଳେ ଜିଲ୍ଲା ଚାଇଲଡ଼ ଲାଇନ ସଂଯୋଜକ ଆଶିଷ ପଣ୍ଡା ଖବର ପାଇ ସି ଡି ପି ଓ ପୂର୍ଣ୍ଣମାସି ସାହୁ, ଚାଇଲଡ଼ ଲାଇନର ସଦସ୍ୟ ରାଧେଶ୍ୟାମ ନାୟକ, ଜ୍ୟୋସ୍ନା ପ୍ରଧାନଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ।

ବ୍ରଜରାଜନଗର ପୁଲିସ ସହାୟତାରେ କନ୍ୟାଘରେ ପହଞ୍ଚି ମଙ୍ଗୁଳା ନାବାଳିକା କନ୍ୟାର ବିବାହ ବନ୍ଦ କରିବାକୁ କହିଥିଲେ। ସେଥିରେ କନ୍ୟାଘର ରାଜି ନହେବା ଫଳରେ ପୁଲିସ ସହାୟତାରେ ନାବାଳିକାକୁ ଉଠାଇ ନେଇଥିଲେ। ଝାରସୁଗୁଡା ଚାଇଲଡ଼ ଲାଇନ କାର୍ଯ୍ୟାଳୟରେ ନାବାଳିକାର କାଉଁସିଲିଂ କରାଯାଇଥିଲା। ଶେଷରେ ତାକୁ ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ଅଣାଯାଇ କମିଟିର ପରାମର୍ଶ କ୍ରମେ ଶିଶୁ ଯତ୍ନ ଅନୁଷ୍ଠାନକୁ ପଠାଇ ଦିଆଯାଇଥିବା ସଂଯୋଜକ ଆଶିଷ ପଣ୍ଡା କହିଛନ୍ତି।

ସୂଚନା ଅନୁସାରେ, ବ୍ରଜରାଜନଗର ପୌରାଞ୍ଚଳରେ ରହୁଥିବା ୧୬ବୟସ୍କା ନାବାଳିକାର ବିବାହ ଲଖନପୁର ବ୍ଲକ ଭଅଁର ଖୋଲ ପଞ୍ଚାୟତରେ ଜଣେ ୨୬ ବର୍ଷୀୟ ଯୁବକ ସହିତ ଠିକ ହୋଇଥିଲା। ବିବାହର ଲଗ୍ନ ଆଜି ଥିଲା। ସେଥିପାଇଁ କନ୍ୟାଘରେ ବନ୍ଧୁବାନ୍ଧବ ଆସିଯାଇଥିଲେ। ବିବାହ ପାଇଁ ସକାଳୁ ରନ୍ଧା ବଢା ଆରମ୍ଭ ହୋଇଯାଇଥିଲା। ବର ଗାଡ଼ିରେ ଆସି ଗାଁ ମୁଣ୍ଡରେ ପହଞ୍ଚି ଯାଇଥିଲା।

ବରଯାତ୍ରୀମାନେ କନ୍ୟାଘର ପକ୍ଷରୁ ଯୋଗାଇ ଦିଆଯାଇଥିବା ଜଳଖିଆ ଖାଇ ବର ପ୍ରୋସେସନରେ ବାହାରିବା ଉପରେ ଥିଲା। ଘଣ୍ଟାଏ ପରେ ବିବାହ ହୋଇଥାନ୍ତା।  ବିବାହ ପାଇଁ ଯାହାକିଛି ବ୍ୟବସ୍ଥା କନ୍ୟାଘର ପକ୍ଷରୁ ସରିଥିଲା। ଏହି ସମୟରେ ଚାଇଲଡ଼ ଲାଇନ ଟିମ ଓ ରାଜପୁର ସରପଞ୍ଚ ଯତୀନ ଦେଓ କନ୍ୟାଘରେ ପହଞ୍ଚି କନ୍ୟାର ବୟସ ଯାଞ୍ଚ କରିଥିଲେ।

କନ୍ୟାର ୧୫ବର୍ଷ ୧୧ ମାସ ହୋଇଥିବାରୁ ବିବାହ ବନ୍ଦ କରିବାକୁ କହିବାରୁ କନ୍ୟାଘର ଏଥିରେ ରାଜି ହୋଇ ନଥିଲେ। ପ୍ରଥମେ ବିବାହ କାର୍ଯ୍ୟ ଶେଷ କରିବାକୁ କହିବାରୁ ଚାଇଲଡ଼ ଲାଇନ ପୁଲିସ ସହାୟତାରେ ବିବାହ ପୂର୍ବରୁ କନ୍ୟାକୁ ଧରି ଝାରସୁଗୁଡା ଚାଲି ଯାଇଥିଲେ। ଗାଁମୁଣ୍ଡରେ ଥିବା ବରଯାତ୍ରୀମାନେ ଭୟରେ ନିଜ ନିଜ ବାଟ ଖୋଜି ଫେରାର ହୋଇଥିଲେ। ଶେଷରେ ଗାଁ ମୁଣ୍ଡରେ ବସିଥିବା ବର ବିଚରା ଶିଶୁପାଳ ହୋଇ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୨୦ ରେ ଝାରସୁଗୁଡା ଜିଲ୍ଲାରେ ସମୁଦାୟ ୧୬ଟି ନାବାଳିକା ବିବାହକୁ ଜିଲ୍ଲା ପ୍ରଶାସନ ଓ ଚାଇଲଡ ଲାଇନର ସହଯୋଗରେ ରୋକା ଯାଇପାରିଛି।

ସମ୍ବନ୍ଧିତ ଖବର