ନୂଆଦିଲ୍ଲୀ: ମାନବିକତା ଯେବେ ମରିଯାଏ, ମଣିଷପଣିଆ ଯେବେ ସରିଯାଏ, ସେବେ ମୁଣ୍ଡକୁ ଏଭଳି ସବୁ ବୁଦ୍ଧି ଆସେ | ଆପଣ ଭାବୁଥିବେ ଯେ ବାସ୍ତବରେ ମାନବିକତାକୁ ନେଇ ଆମେ ଏତେ କଥା କାହିଁକି କହୁଛୁ | ବାସ୍ତବରେ ଘଟଣା ବାବଦରେ ଆପଣ ବି ଜାଣିଲେ ଏଭଳି କାମ କରିଥିବା ଲୋକଙ୍କ ପ୍ରତି ଘୃଣା ଭାବନା ଜାତ ହେବ | ଉତ୍ତରପ୍ରଦେଶର ସାହାଜାହାନପୁରର ଗୋହାବର ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ବାସ୍ତବରେ ଆଜି ସକାଳେ ଗାଁ ପାଖରୁ ଏକ ନବଜାତ କନ୍ୟା ସନ୍ତାନ ଉଦ୍ଧାର ହୋଇଛି | ଝିଅଟିକୁ କେହି ମାଟିରେ ଅଧା ପୋତିଦେଇଥିବାବେଳେ ହାତରୁ ରକ୍ତ ଝରିପଡ଼ୁଥିଲା |
କୁନି ଝିଅଟି କୁଆଁ କୁଆଁ କରି କାନ୍ଦୁଥିବାବେଳେ ସକାଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା | ଏହାପରେ ଗ୍ରାମବାସୀ ଝିଅକୁ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ଘଟଣାସ୍ଥଳରେ ପହଂଚି ଝିଅଟିକୁ ମାଟିରୁ ବାହାର କରିଥିଲେ | ଝିଅଟିର ନିଶ୍ୱାସପ୍ରଶ୍ୱାସ ଚାଲିଥିବାବେଳେ ଅବସ୍ଥା କିନ୍ତୁ ଗୁରୁତର ଥିଲା | ଝିଅର ମଥାରେ ସିନ୍ଦୂର ଲଗାଯାଇଥିବାବେଳେ ନୂଆ ପୋଷାକ ପିନ୍ଧିଥିଲା |
ଏହାକୁ ନେଇ ଗ୍ରାମବାସୀ ଓ ପୁଲିସ ସନ୍ଦେହ କରିଛନ୍ତି ଯେ ଝିଅଟିର ବୋଧେ ନାମକରଣ ପୂଜା କରାଯାଇଥିଲା ଓ ଏହା ପରେ ଝିଅକୁ ଆଣି ମାଟିରେ ପୋତିଦିଆଯାଇଥିଲା | ଗ୍ରାମବାସୀଙ୍କ କହିବା କଥା ଯେ ବୋଧେ କନ୍ୟା ସନ୍ତାନ ଜନ୍ମହୋଇଥିବାରୁ ବାପା-ମା ଆଣି ଝିଅଟିକୁ ପୋତି ଚାଲିଯାଇଛନ୍ତି | ଏବେ କୁନି ଝିଅର ଚିକିତ୍ସା ଚାଲିଥିବାବେଳେ ଡାକ୍ତର କହିଛନ୍ତି ଯେ ଝିଅଟିର ନାକ ଓ ପାଟିରେ ମାଟି ଭର୍ତ୍ତି ହୋଇନଥିବାରୁ ସେ ଶ୍ୱାସକ୍ରିୟା ନେଇ ପାରୁଥିଲା | ଏହି କାଣ୍ଡରେ କେଉଁମାନେ ସମ୍ପୃକ୍ତ ସେମାନଙ୍କୁ ଧରିବାକୁ ପୁଲିସ ଏବେ ଆଖପାଖର ସିସିଟିଭି କ୍ୟାମେରା ଯାଞ୍ଚ କରୁଛି |