ରାଉରକେଲା: ବନ୍ଦେ ଭାରତ ଏକ୍ସପ୍ରେସ୍ ହେଉଛି ବିକଶିତ ଭାରତର ପ୍ରତୀକ। ଏହା ନୂତନ ଉତ୍ସାହର ପ୍ରତୀକ। ଓଡ଼ିଶାରେ ଭାରତୀୟ ରେଳବାଇ ପକ୍ଷରୁ ଗତକାଲି ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ଖୁବ୍ଶୀଘ୍ର ଦେଶର ସବୁ ପ୍ରମୁଖ ସ୍ଥାନକୁ ସଂଯୋଗ କରିପାରିବ। ରାଉରକେଲା-ହାୱଡ଼ା ବନ୍ଦେଭାରତ ଯୋଗୁଁ ଛାତ୍ରଛାତ୍ରୀ, ଯୁବବର୍ଗ, ବ୍ୟବସାୟୀ ବହୁଳମାତ୍ରାରେ ଉପକୃତ ହେବେ। ଦ୍ବିତୀୟ ବନ୍ଦେଭାତର ଏକ୍ସପ୍ରେସ୍ର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ରଘୁବର ଦାସ ଏଭଳି କହିଛନ୍ତି।
ଉଦ୍ବୋଧନରେ ରାଜ୍ୟପାଳ କହିଲେ, ଏକବିଂଶ ଶତାବ୍ଦୀରେ ଭାରତର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗମନାଗମନ ସୁଗମ କରିପାରିଲେ ହିଁ ଦ୍ରୁତ ଗତିରେ ବିକାଶ ହୋଇପାରିବ। ଲୋକଙ୍କ ଜୀବନସ୍ତରକୁ ସୁଗମ ଓ ବ୍ୟବସ୍ଥିତ କରିପାରିବ l ଦେଶ ସ୍ବାଧୀନ ହେବାପରେ ବାମ୍ଫ ଚାଳିତ ଇଂଜିନରୁ ଆରମ୍ଭ ହୋଇଥିଲା ରେଳସେବା। ଏବେ କିନ୍ତୁ ଏହା ୫୨ ସେକେଣ୍ଡରେ ୧୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରୁଥିବା ସ୍ବଦେଶୀ ବନ୍ଦେଭାରତ ଟ୍ରେନ ଦେଶରେ ନିର୍ମାଣ କରାଯାଉଛି। ରାଷ୍ଟ୍ରର ବିକାଶ ଗତିକୁ ବୃଦ୍ଧି କରିବାରେ ସବୁସ୍ତରରେ ଯୋଗାଯୋଗର ମାଧ୍ୟମକୁ ସୁଗମ କରିବାକୁ ପଡ଼ିବବୋଲି କହିଥିଲେ। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କହିଲେ, ମୋଦୀ ସରକାର ବିକାଶକୁ ପ୍ରାଥମିକତା ଦେଉଛନ୍ତି। ରାଉରକେଲରୁ ଦ୍ବିତୀୟ ବନ୍ଦେଭାରତ ଚଳାଚଳ ଦ୍ବାରା ସମାଜର ସବୁ ବର୍ଗର ବ୍ୟକ୍ତି ଲାଭବାନ ହେବେ। ତେବେ ବିଭିନ୍ନ ସମୟରେ ଉନ୍ନୟନମୂଳକ ପ୍ରକଳ୍ପରେ ରାଜନୀତିକରଣ, ବିରୋଧାଭାସ ଦେଖିବାକୁ ମିଳିଥାଏ। ସମସ୍ତେ ଏହାକୁ ଦୂରକରି ମିଳିତଭାବରେ ବିକାଶର ଯାତ୍ରାରେ ସାମିଲ ହେବା ଆବଶ୍ୟକ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ବକ୍ତବ୍ୟ ରଖିଥିଲେ।
ଉଲ୍ଲେଖଯୋଗ୍ୟ, ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଏକ୍ସପ୍ରେସ ୧୮ ତାରିଖରୁ ନିୟମିତ ଚଳାଚଳ କରିବ। ଏହି ଅବସରରେ ରାଉରକେଲା ରେଳ ଷ୍ଟେସନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ମହାଜନ, ଡିଆଇଜି ନୀତି ଶେଖର, ଦକ୍ଷିଣ-ପୂର୍ବ ରେଳବାଇର ଏଜିଏମ ସ୍ବମିତ୍ର ମଜୁମଦାର, ଚକ୍ରଧରପୁର ଡିଭିଜନର ଏଡିଆର୍ଏମ୍ ଅଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/gEFrxPA03CoyRsqD4XBR.jpeg)