ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତିର ଘଟଣାକ୍ରମ କୌଣସି ବଲିଉଡ ଫିଲ୍ମଠାରୁ ମଧ୍ୟ କମ ରୋଚକ ନୁହେଁ । ଅକ୍ଟୋବର ୨୪ରେ ଭୋଟ ଫଳାଫଳ ପ୍ରକାଶ ଦିନଠାରୁ ଆଜି ପର୍ଯ୍ୟନ୍ତ ଅପ୍ରତ୍ୟାଶିତ ଘଟଣାମାନ ଦେଖିବାକୁ ମିଳିଛି । କିନ୍ତୁ ଆଜି ସକାଳେ ହୋଇଥିବା ଘଟଣାକ୍ରମ ଥିବା ସବୁଠାରୁ ଅପ୍ରତ୍ୟାଶିତ । ଲୋକେ ନିଜରୁ ଉଠିବା ପୂର୍ବରୁ ଦେବେନ୍ଦ୍ର ଫଡନବୀସ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇସାରିଥିଲେ । ଏହାର ଟେର ମଧ୍ୟ କେହି ପାଇନଥିଲେ । ସକାଳ ୫ଟା ୪୭ ମିନିଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଆଦେଶନାମାରେ ସ୍ୱାକ୍ଷର କରିଥିଲେ । ରାଷ୍ଟ୍ରପତି ଶାସନ ଉଠିବା ପରେ ନୂଆ ସରକାର ଶପଥ ନେଇଥିଲା ।

Advertisment

publive-image

ଏବେ ବିରୋଧୀମାନେ ବିନା କ୍ୟାବିନେଟ୍‌ ଅନୁମୋଦନରେ ରାଷ୍ଟ୍ରପତି ଶାସନ ଉଠିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ଆଇନଜ୍ଞମାନେ ଏନେଇ ସରକାରୀ ନିୟମାବଳୀରେ ବ୍ୟବସ୍ଥା ଥିବା କହିଛନ୍ତି । ଗଭର୍ଣ୍ଣମେଣ୍ଟ ଅଫ୍‌ ଇଣ୍ଡିଆ (ଟ୍ରାନଜାକ୍ସନ୍‌ ଅଫ ବିଜନେସ୍‌) ରୁଲ୍ସ ୧୯୬୧ର ଧାରା ୧୨ ଅନୁସାରେ କେତେକ ବିଶେଷ ପରିସ୍ଥିତିରେ ଆବଶ୍ୟକତା ଅନୁସାରେ ପ୍ରଧାନମନ୍ତ୍ରୀ ବିନା କ୍ୟାବିନେଟ ଅନୁମୋଦନରେ ନିଷ୍ପତ୍ତି ନେଇପାରିବେ । ଏହି ନିୟମକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଉପରୋକ୍ତ ନିର୍ଦ୍ଦେଶନାମା ଜାରିକରିବା କୁହାଯାଉଛି ।