ନୂଆଦିଲ୍ଲୀ: ଆଜି ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ନାଙ୍ଗଲି ସାହିବ ଗୁରୁଦ୍ୱାରରେ ପହଞ୍ଚିଥିଲେ । ଏଠାରେ ସେ ପାକିସ୍ତାନ ଗୁଳିରେ ମୃତ ଏବଂ ଆହତଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହିତ ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି। ଏହି ଅବସରରେ ଉପ ରାଜ୍ୟପାଳ କହିଛନ୍ତି, "ଜମ୍ମୁ ଓ କାଶ୍ମୀରରେ ସର୍ବାଧିକ କ୍ଷୟକ୍ଷତି ପୁଞ୍ଚରେ ହୋଇଛି। ଆମେ ଅନେକ ମୂଲ୍ୟବାନ ଜୀବନ ହରାଇଛୁ। ଏହା ରାଜନୀତି କରିବାର ସମୟ ନୁହେଁ। ଭାରତ ସରକାର ଏବଂ ଜମ୍ମୁ ଓ କାଶ୍ମୀର ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ଯେଉଁଥିରେ ପ୍ରତ୍ୟେକ ପରିବାରକୁ ୧୬ ଲକ୍ଷ ଟଙ୍କା ଦିଆଯାଇଛି। ପ୍ରଶାସନ ଆହତଙ୍କ ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରିଛି ଏବଂ ସହାୟତା ରାଶି ମଧ୍ୟ ବଣ୍ଟନ କରାଯାଇଛି।"
ସେ ଆହୁରି କହିଛନ୍ତି, "ଏହା ସତ୍ୟ ଯେ ମୃତ୍ୟୁ ପାଇଁ କୌଣସି କ୍ଷତିପୂରଣ ନାହିଁ। ଆମେ କାହାର ଜୀବନ ଫେରାଇ ଆଣିପାରିବୁ ନାହିଁ। କିନ୍ତୁ ଏହି ଦୁଃଖର ସମୟରେ, ଭାରତ ସରକାର ଏବଂ ଜମ୍ମୁ-କାଶ୍ମୀର ପ୍ରଶାସନ ପ୍ରଭାବିତ ପରିବାର ସହିତ, ପୁଞ୍ଚର ଲୋକଙ୍କ ସହିତ ଅଛନ୍ତି। ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଛି ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଛି।
ଭାରତ ସରକାରଙ୍କ ସହିତ କଥା ହୋଇ ସେମାନଙ୍କ ପୁନର୍ବାସ ପାଇଁ ମଧ୍ୟ କାର୍ଯ୍ୟ କରାଯାଇଛି। ଏହି ଗୁଳିକାଣ୍ଡରେ ସହିଦ ହୋଇଥିବା ଲୋକଙ୍କ (ପିଡ଼ିତ) ପରିବାରର ନିକଟତମ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି |