ସଂଗରୋଧ ଥିବା ଲୋକଙ୍କ ଘର ଆଗରେ ଷ୍ଟିକର ଲଗାଇବ ଜିଲ୍ଲା ପ୍ରଶାସନ, କଡ଼ାକ଼ଡ଼ି ପାଳନ ହେବ ନିୟମ

ନୂଆଦିଲ୍ଲୀ : ଘରେ ସଂଗରୋଧ (ହୋମ୍ କ୍ୱାରାଣ୍ଟାଇନ) ଥିବା ଲୋକମାନେ ଯେପରି କଡ଼ାକଡ଼ିଭାବେ ଏହି ନିୟମକୁ ପାଳନ କରିବେ ସେଥିପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଯେଉଁ ଘରେ ହୋମ୍ କ୍ୱାରାଣ୍ଟାଇନ କରାଯାଇଛି, ସେହି ଘର ବାହାରେ ଜିଲ୍ଲା ପ୍ରଶାସନ ତରଫରୁ ଷ୍ଟିକର ଲଗାଯିବ । ଏହି ଷ୍ଟିକର ହୋମ କ୍ୱାରାଣ୍ଟାଇନର ଅବଧି, ଘର ଓ ପରିବାର ସଂପର୍କିତ ସୂଚନା ଉଲ୍ଲେଖ ରହିବ ।

ଷ୍ଟ୍ରିକର ଲଗାଯାଇଥିବା ଘରକୁ ବାହାର ଲୋକ ଯାଇପାରିବେ ନାହିଁ । ଏପରିକି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସେହି ଘରକୁ ଯାଇ ରିପୋର୍ଟିଂ କରିପାରିବେ ନାହିଁ କିମ୍ବା ସେମାନଙ୍କ ସଂପର୍କିତ ସୂଚନା ପ୍ରଘଟ କରିପାରିବେ ନାହିଁ । କ୍ୱାରାଣ୍ଟାଇନ ଘରଗୁଡ଼ିକର ତାଲିକା ସ୍ଥାନୀୟ ଥାନାରେ ରହିବ ଓ ସେମାନଙ୍କ ଉପରେ କଡ଼ା ନଜର ରଖାଯିବ । ଏସବୁ ନିର୍ଦ୍ଦେଶଗୁଡ଼ିକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଲାଗୁ କରିବେ ।

ଏସବୁ ଘରକୁ ଯେପରି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ହୋଇପାରିବ ତାହା ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବ । ପୁଣି ଏହି ଘରକୁ ଯେପରି ସାମାଜିକ ଭାବେ ବାସନ୍ଦ କରାନଯାଏ ତାହା ନିଶ୍ଚିତ କରାଯିବ । ଜିଲ୍ଲାପାଳ ଏସବୁ ନିୟମଗୁଡ଼ିକୁ ବିଦେଶରୁ, ଅନ୍ୟରାଜ୍ୟରୁ ଆସିଥିବା ଲୋକମାନଙ୍କ ଉପରେ ଲାଗୁ କରିବେ । ତେବେ ଜଣେ ବ୍ୟକ୍ତିଙ୍କ ହୋମ କ୍ୱାରାଣ୍ଟାଇନ ସମୟ ଶେଷ ହେଲେ ଏହି ଷ୍ଟ୍ରିକର ଲଗାଯିବ ନାହିଁ ।

ସମ୍ବନ୍ଧିତ ଖବର