ନୂଆଦିଲ୍ଲୀ: ଗୁପଚୁପ-ଖଟା ତେନ୍ତୁଳି ପାଣି ସାଙ୍ଗକୁ ମସଲା ଦିଆ ଆଳୁ ଚକଟା, କେବଳ ସେତିକି ନୁହେଁ ଗୁପଚୁପରେ ଛୋଟ କଣାଟିଏ କରି ଯେତେବେଳେ ଆଳୁମସଲା ସହ ଖଟାପାଣି ମିଶିଯାଏ ତାହା ଅନେକଙ୍କ ଲାଳ ଗଡାଇଦିଏ | ଗୁପଚୁପ କଥା ଶୁଣିଲେ ଅନେକଙ୍କ ପାଟି କେମିତି ତାହାକୁ ଖାଇବ କେବଳ ତାହା ହିଁ ଭାବେ | ଗୁପଚୁପ ଭଳି ସ୍ନାକ୍ସ ସହ ପ୍ରାୟ ସମସ୍ତେ ଅଳ୍ପବହୁତେ ଜଡିତ | ଅଧିକାଂଶ ଲୋକ(ମୁଖ୍ୟତଃ ଯୁବତୀ) ଖଟାପାଣିରେ ଗୁପଚୁପ ଖାଇବାକୁ ପସନ୍ଦ କରୁଥିବାବେଳେ କିଛି ଦହି ମିଶା ଶୁଖିଲା ଗୁପଚୁପ ଖାଇବାକୁ ପସନ୍ଦ କରନ୍ତି | ରାଗୁଆ ଆଳୁ ଚକଟା ହେଉ କି ଖଟା ତେନ୍ତୁଳି ପାଣି ସୁ ସୁ ହୋଇ ଖାଇବାର ମଜା ଯିଏ ନେଇଛି ସେ ହିଁ ଜାଣିଛି | ତେବେ ଗୁପଚୁପକୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

Advertisment

 ଏହି ଭିଡିଓରେ ଭଦୋଦରାର ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯେ ସେ ରାସ୍ତା ଉପରେ ଧାରଣାରେ ବସିଛନ୍ତି ଓ କମ ଗୁପଚୁପ ମିଳିଥିବାରୁ କାନ୍ଦିପକାଉଛନ୍ତି | ମହିଳା ଜଣକ ଗୁପଚୁପ ବିକ୍ରେତାଙ୍କ ସହ ଝଗଡ଼ା କରିଥିଲେ କାରଣ ସେ ତାଙ୍କୁ ଦୁଇଟି ଗୁପଚୁପ କମ୍ ଦେଇଥିଲେ। ଗୁପଚୁପ ବିକ୍ରେତା ଦାବି କରିଥିଲେ ଯେ ସେ ତାଙ୍କୁ ୧୦ ଟଙ୍କାରେ ଛଅଟି ଗୁପଚୁପ ଦେଇଥିଲେ, ଯେତେବେଳେ ମହିଳା ଦାବି କରିଥିଲେ ଯେ ତାଙ୍କୁ ୧୦ ଟଙ୍କାରେ କେବଳ ଚାରିଟି ଦିଆଯାଇଥିଲା, ଅର୍ଥାତ୍ ଦୁଇଟି କମ୍ ଗୁପଚୁପ ମିଳିଥିଲା ।

ମହିଳା ଜଣକ କାନ୍ଦି କାନ୍ଦି ରାସ୍ତା ଉପରେ ବସିପଡିଥିଲେ | ସେ କହିଥିଲେ ଯେ ଅନ୍ୟମାନଙ୍କୁ ୧୦ ଟଙ୍କାରେ ୬ଟି ଗୁପଚୁପ ବିକ୍ରେତା ଦେଉଥିବାବେଳେ ମୋତେ ୪ଟି ଗୁପଚୁପ ଦେଇଥିଲେ | ସେ ରାସ୍ତାରେ ଧାରଣାରେ ବସିଥିବାବେଳେ ଶେଷରେ ପୁଲିସ ଆସି ତାଙ୍କୁ ବୁଝାସୁଝା କରିଥିଲା |