୧୦୮ ଆମ୍ବୁଲାନ୍ସରେ କରୋନା ସଂକ୍ରମିତଙ୍କୁ ଅଣାଯାଇପାରିବ ନାହିଁ , ଗାଇଡଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ : ୧୦୮ ଆମ୍ବୁଲାନ୍ସରେ କରୋନା ଭାଇରସ ରୋଗୀ ଓ ସଂଦିଗ୍ଧ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାକୁ ଅଣାଯାଇପାରିବ ନାହିଁ । ୧୦୮ ଆମ୍ବୁଲାନ୍ସରେ କେବଳ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କୁ ଅଣାଯାଇପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ନିର୍ଦ୍ଦେଶ ଜାରି କରାଯାଇଛି ।

କରୋନା ସଂକ୍ରମିତଙ୍କ ପରିବହନ ସଂପର୍କରେ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଏ ସଂପର୍କରେ ଉଲ୍ଲେଖ କରାଯାଇଛି । ଏହି ଗାଇଡଲାଇନରେ କୁହାଯାଇଛି ଯେ କରୋନା ସଂକ୍ରମିତ ତଥା ସଂଦିଗ୍ଧମାନଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବହାର କରାଯିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କିମ୍ବା ସିଡିଏମଓ ଏଥପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସଗୁଡ଼ିକୁ ଚିହ୍ନଟ କରିବେ । ଏଥିପାଇଁ ଏଏଲଏସ (ଭେଣ୍ଟିଲେଟର ଥିବା) କିମ୍ବା ବିଏଲଏସ (ଭେଣ୍ଟିଲେଟର ନଥବା) ଆମ୍ବୁଲାନ୍ସ ବ୍ୟବହାର କରାଯାଇପାରିବ । ତେବେ କରୋନା ସଂକ୍ରମିତ କିମ୍ବା ସଂଦିଗ୍ଧ ପରିବହନ ପୂର୍ବରୁ ଏସବୁ ଆମ୍ବୁଲାନ୍ସକୁ ଆବଶ୍ୟକ ନିୟମଅନୁସାରେ ଠିକଭାବେ ପରିଷ୍କାର କରିବା ସହ ସାନିଟାଇଜ କରିବାକୁ ହେବ । ସେହିପରି ଆମ୍ବୁଲାନ୍ସ ଚାଳକ ଓ ଟେକନିସିଆନ ଉପଯୁକ୍ତ ସୁରକ୍ଷା ପୋଷାକ ଓ ଉପକରଣର ବ୍ୟବହାର କରିବେ । କରୋନା ଭାଇରସର ଲକ୍ଷଣ ସଂପର୍କରେ ସେମାନଙ୍କୁ ଆବଶ୍ୟକ ସୂଚନା ଦିଆଯିବ । ରୋଗୀଙ୍କ ସହିତ ଥିବା ଆଟେଣ୍ଡାଣ୍ଟଙ୍କୁ ଥ୍ରୀଲେୟର ମାସ୍କ ପିନ୍ଧିବାକୁ ଦିଆଯିବ । ସଂକ୍ରମଣକୁ ରୋକିବାକୁ ଏସବୁ ଗାଇଡଲାଇନ କଡ଼ାକଡ଼ିଭାବେ ପାଳନ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର