ଭୁବନେଶ୍ୱର: ଲୋସଭା ନିର୍ବାଚନ ୨୦୧୯ ଯୁଦ୍ଧର ଲଢେଇ ଶେଷ ହୋଇସାରି ଥିବା ବେଳେ ଏକଜିଟ୍ ପୋଲ୍ ରିପୋର୍ଟ ମଧ୍ୟ ସାମ୍ନାକୁ ଆସି ସାରିଛି । ୨୦୧୯ ନିର୍ବାଚନ ଫଳାଫଳ ଆସିବାକୁ ଆଉ ମାତ୍ର ୪୮ଘଣ୍ଟାର ସମୟ ଥିବା ବେଳେ ରାଜନୀତି ମଧ୍ୟ ସରଗରମ ରହିଛି । ସମୟର କଣ୍ଟା ଯେତିକି ଆଗକୁ ବଢୁଛି, ନେତାଙ୍କ ହୃଦସ୍ପନ୍ଦନ ମଧ୍ୟ ସେତିକି ବଢି ବଢି ଚାଲିଛି । ଯେତେବେଳେ ଇଭିଏମରେ ବନ୍ଦ ହୋଇଥିବା ନେତାଙ୍କ ଭାଗ୍ୟ ଖୋଲିବ, ନିର୍ବାଚନୀ ମୈଦାନରେ ଦୀର୍ଘ ଦିନ ଧରି ଯେଉଁ କସରତ ଚାଲିଥିଲା, ସେଥିରେ ନେତା କେତେ ସଫଳ ହେଉଛନ୍ତି ତାହା ଜଣାପଡିବ ।
ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବଢିଯାଇଛି ରାଜନୀତିର ପାରଦ । ଏକଜିଟ୍ ପୋଲର ଆକଳନ କହୁଛି, ଦେଶରେ ପୁଣି ଥରେ ବନିବାକୁ ଯାଉଛି ନରେନ୍ଦ୍ର ମୋଦିଙ୍କ ସରକାର । ଅର୍ଥାତ ଦେଶରେ ବିଜେପିକୁ ବହୁମତ ମିଳିବ । ସେହିପରି ଯଦି ଓଡିଶା ରାଜନୀତି ଉପରେ ନଜର ପକାଇବା, ତେବେ ଏଠାରେ ଯଦି ଏକଜିଟ୍ ପୋଲର ଆକଳନ ସତ ହୁଏ, ତେବେ ଇତିହାସ ରଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ରାଜନୀତିରେ ଦୁଇ ଜାତୀୟ ଦଳକୁ ଚେକ୍ ଦେଇ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିପାରନ୍ତି ନବୀନ ପଟ୍ଟନାୟକ ।