ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଲେ ଏହି ସବୁ ନାମୀଦାମୀ ନେତା

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ର୍ନିବାଚନ ପାଇଁ ଚାଲିଛି ଭୋଟଗ୍ରହଣ। ଅସହ୍ୟ ଗରମ ସତ୍ତ୍ୱେ ମଧ୍ୟ ନେତା ବାଛିବା ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ମତଦାନ କେନ୍ଦ୍ର ସାମ୍ନାରେ ଲମ୍ବା ଲାଇନରେ ଛିଡ଼ା ହୋଇ ନିଜର ନେତା ବାଛୁଛନ୍ତି ଜନତା। ଷଷ୍ଠ ପର୍ଯ୍ୟାୟରେ ଅନେକ ହେଭିୱେଟ ନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। କେବଳ ସାଧାରଣ ଲୋକ ନୁହେଁ ବରଂ ହେଭିୱେଟ ନେତା ମଧ୍ୟ ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ଛିଡ଼ା ହୋଇ ନିଜର ମତାଧିକାର ସାବ୍ୟସ୍ତ କରୁଥିବାର ନଜର ଆସିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଔରଙ୍ଗଜେବ ଲେନରେ ଥିବା ଏନପି ସିନିୟର ସେକେଣ୍ଡାରି ସ୍କୁଲରେ ଥିବା ପୋଲିଂ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୋଟ ଦେବା ପରେ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି। ବିମୁଦ୍ରାକରଣ, ଚାଷୀ ସମସ୍ୟା, ଗବର ସିଂ ଟ୍ୟାକ୍ସ ଓ ରାଫେଲ ଡିଲରେ ହୋଇଥିବା ଦୁର୍ନୀତି ବିରୋଧରେ ଏହି ର୍ନିବାଚନ ଲଡ଼େଇ ବୋଲି ସ୍ପଷ୍ଟ କରିଛନ୍ତି ରାହୁଲ। ଘୃଣାଭାବ ନେଇ ନରେନ୍ଦ୍ର ମୋଦୀ ର୍ନିବାଚନ ଲଢୁଥିବା ବେଳେ ଆମେ ଭଲପାଇବାକୁ ସାଥୀ କରି ର୍ନିବାଚନ ମୈଦାନକୁ ଓହ୍ଲାଇଛୁ। ଆମର ବିଶ୍ୱାସ ଘୃଣାଭାବ ଆଗରେ ଭଲପାଇବାର ବିଜୟ ସୁନିଶ୍ଚିତ ହେବ ବୋଲି କହିଛନ୍ତି ରାହୁଲ।

ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲିର ସିଭିଲ ଲେନରେ ଥିବା ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି। ଅନ୍ୟ ହେଭିୱେଟଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ରାହୁଲ ଗାନ୍ଧୀ ଭୋଟ ଦେଇଥିବା ମତଦାନ କେନ୍ଦ୍ରରେ ନିଜର ଭୋଟ ଦେଇଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ମନୋଜ ବାଜପେୟୀ ଯମୁନା ବିହାରର ୬୦ ନମ୍ବର ବୁଥରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରିଛନ୍ତି। ହରିୟାଣାର କର୍ଣ୍ଣାଲ ବୁଥରେ ଭୋଟ ଦେଇଛନ୍ତି ମନୋହର ଲାଲ ଖଟ୍ଟର। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ମଧ୍ୟ ପୂର୍ବ ନିଜାମୁଦ୍ଦିନର ଏକ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଶୀଲାଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହିଭଳି ଚଳିତ ର୍ନିବାଚନରେ ଚର୍ଚ୍ଚାରେ ରହିଥିବା ବିଜେପି ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। କଂଗ୍ରେସର ହେଭିୱେଟ ନେତା ତଥା ମଧ୍ୟପ୍ରଦେଶର ଗୁନା ଆସନରୁ ପ୍ରାର୍ଥୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜକୁ ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରିଛନ୍ତି।

ସମ୍ବନ୍ଧିତ ଖବର