ବେପରୁଆ ଉତ୍ତର ଦେଇ ଚର୍ଚ୍ଚାରେ ଡ୍ରିମ୍‌ଗାର୍ଲ: ମଥୁରାରେ ଅନେକ କିଛି କାମ କରିଛି, ହେଲେ ଏବେ ମନେ ପକାଇ ପାରୁନି

ନୂଆଦିଲ୍ଲୀ: ଦିନ ପରେ ଦିନ ଗଡ଼ି ଗଡ଼ି ଯାଉଛି, ପାଖେଇ ଆସୁଛି ନିର୍ବାଚନ ତାରିଖ। ନିର୍ବାଚନ ଜିତିଲେ କିଏ କ’ଣ କରିବ ଓ ନିର୍ବାଚନରେ ଜିତିଥିବା ପ୍ରାର୍ଥୀ ଅତୀତରେ କ’ଣ କରିଛନ୍ତି ସେ ନେଇ ଆରମ୍ଭ ହୋଇଛି ଅଙ୍କ କଷା। ନିର୍ବାଚନୀ ଅଙ୍କରେ ଭୁଲ୍‌ ସୂତ୍ର ପକାଇ ଅଡୁଆରେ ଛନ୍ଦି ହୋଇ ପଡ଼ିଛନ୍ତି ବିଜେପିର ମଥୁରା ସାଂସଦ ହେମା ମାଳିନୀ।

ଆଗାମୀ ସାଧାରଣ ନିର୍ବାଚନରେ ବି ମଥୁରାରୁ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ ହେମା। ହେମାଙ୍କୁ ସୋମବାର ଜଣେ ରିପୋର୍ଟର ପଚାରିଥିବା ପ୍ରଶ୍ନର ସେ ଯେଉଁଭଳି ଉତ୍ତର ରଖିଛନ୍ତି ତାହାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। ପୂର୍ବରୁ ସେ ନିଜ ଅଞ୍ଚଳ ପାଇଁ କ’ଣ ସବୁ କରିଛନ୍ତି ପ୍ରଶ୍ନର ଉତ୍ତର ଦେଇ ହେମା କହନ୍ତି, ‘ମୁଁ ଅନେକ କିଛି କରିଛି, ତାହା ଅବଶ୍ୟ ଏବେ ମନେ ପଡୁନାହିଁ।’

 

ପୁଣିଥରେ ନିର୍ବାଚନ ଜିତିବା ନେଇ ହେମାଙ୍କ ଆତ୍ମବିଶ୍ୱାସ ଦେଖିବା ପରେ ରିପୋର୍ଟର ଜଣକ ତାଙ୍କୁ ତାଙ୍କ ଆତ୍ମବିଶ୍ୱାସର କାରଣ ପଚାରିବାରୁ ହେମା କହିଛନ୍ତି, ‘ମୁଁ ଅନେକ ରାସ୍ତା ଓ ଅନ୍ୟାନ୍ୟ କାମ କରିଛି, ଯାହାକୁ ଏବେ ମନେ ପକାଇ ପାରୁନାହିଁ। ମାତ୍ର ଲୋକମାନେ ମୋତେ ଭଲପାଆନ୍ତି। ତେଣୁ ପୁଣି ଥରେ ନିର୍ବାଚନ ଜିତିବା ନେଇ ମୁଁ ନିଶ୍ଚିତ।’

ବଲିଉଡ୍‌ ଡ୍ରମ୍‌ଗାର୍ଲ ହେମା ୨୦୦୪ ମସିହାରେ ରାଜନୀତିରେ ପାଦ ରଖିଛନ୍ତି। ୨୦୧୪ରେ ମଥୁରା ଲୋକସଭା ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ। ସେ ୨୦୦୩ରୁ ୨୦୦୯ ରାଜ୍ୟ ସଭା ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର