କଟକ/ନିଶ୍ଚିନ୍ତକୋଇଲି: ବେଆଇନ ଭାବେ ଶିକ୍ଷକଙ୍କ ବଦଳି କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ସ୍କୁଲରେ ୨୦୨୫, ଅଗଷ୍ଟ ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ (ପିଟିଆର) ସଂପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେତେ ଶିକ୍ଷକ ପଦବି ଖାଲି ରହିଛି ଓ ଏହି ପଦପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ସୀତାକାନ୍ତ ସାମଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ବହୁ ସମୟରେ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ସ୍କୁଲରୁ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଉଛି। ଏଥି ସହିତ ବଦଳି ଗାଇଡଲାଇନ ଅନୁସାରେ ଶିକ୍ଷକଙ୍କ ଗୋଟିଏ ସ୍କୁଲରେ ଅବଧି ପୂରଣ ହେବା ପୂର୍ବରୁ ଅନ୍ୟତ୍ର ବଦଳି କରାଯାଉଛି। ଏଭଳି ସ୍ଥିତିରେ ବହୁ ସ୍କୁଲରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ବଜାୟ ରଖାଯାଇ ପାରୁ ନାହିଁ। ଏହା ଦ୍ବାରା ଶିକ୍ଷାଦାନର ମାନ ପ୍ରଭାବିତ ହେଉଛି। କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷା ନୀତିରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ଧାର୍ଯ୍ୟ କରାଯାଇଛି। ବଢୁଥିବା ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଗଣାତ୍ମକ ଶିକ୍ଷା ଉପରେ ଦେଶର ଭବିଷ୍ୟତ ନିର୍ଭର କରୁଛି। ପ୍ରସିଦ୍ଧ ପୁସ୍ତକ 'ଗୋଲ୍ଡେନ୍ ଅପର୍ଚୁନିଟି'ରେ ଏହି ପ୍ରସଂଗରେ ଆଲୋଚନା କରାଯାଇଛି। ଶିକ୍ଷା ଅଧିକାର ସମ୍ବିଧାନର ଧାରା ୨୧ର ଅଂଶବିଶେଷ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି। ଏଭଳି ସ୍ଥିତିରେ ପ୍ରଶାସନରେ ଏଭଳି ଅଭାବକୁ କୋର୍ଟ ଜାଣି ଶୁଣି ଅଣଦେଖା କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।
ଏଥି ସହିତ ସାରା ରାଜ୍ୟରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ପ୍ରସଂଗରେ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏଥି ସହିତ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାପୁଜୀ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷକ ସୀତାକାନ୍ତ ସାମଲଙ୍କୁ ବାଙ୍କୀ ବ୍ଲକ ଅଧିନ ବାଉଁଶପୁର ସରାକାରୀ ହାଇସ୍କୁଲକୁ ବଦଳି ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ପ୍ରଦାନ କରିଛନ୍ତି। ବର୍ତ୍ତମାନ କାର୍ଯ୍ୟରତ ସ୍କୁଲରେ ଆବେଦନକାରୀ କାର୍ଯ୍ୟ ଜାରି ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, କଟକ ଜିଲ୍ଲା ଶିକ୍ଷା ଅଧିକାରୀ, ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ଅଧିକାରୀ, ବାପୁଜୀ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କୁ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାପୁଜୀ ସରକାରୀ ହାଇସ୍କୁଲରୁ ବାଙ୍କୀ ବ୍ଲକର ବାଉଁଶପୁର ସରକାରୀ ହାଇସ୍କୁଲକୁ ଆକ୍ରାଶମୂଳକ ଭାବେ ଜୁଲାଇ ୨୪ରେ ବଦଳି କରାଯାଇଥିବା ଦର୍ଶାଇ ଏହି ମାମଲା ହାଇକୋର୍ଟରେ ଦାୟର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/26/nNC3W8Fb2kCicAlDm3Gs.jpg)